ଚନ୍ଦ୍ରକଳା

 

 

 

 

 

 

 

 

 

 

 

ଚନ୍ଦ୍ରକଳା

ତାରାଚନ୍ଦ୍ର ଦାସ

 

ପଦେ ଅଧେ

 

ଚନ୍ଦ୍ରକଳା ଉପନ୍ୟାସଟି ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୋଇ ଆତ୍ମ ପ୍ରକାଶ କଲା । ଆଶା, ପୁସ୍ତକଟି ପାଠକ ପାଠିକାମାନଙ୍କ ଅବସର ସମୟର ସମ୍ୟକ୍ ସାଥି ହୋଇ ପାରିବ । ଯୁବକ ତାରାଚନ୍ଦ୍ରଙ୍କର ପ୍ରଥମ ଚେଷ୍ଟା ତୁଳନାରେ ଲେଖାଟି ଉପଭୋଗ୍ୟ ହୋଇଛି ବୋଲି ମୁଁ ହୃଦୟଙ୍ଗମ କରୁଛି ।

 

ପ୍ରଥମ ପ୍ରୟାସ ହିସାବରେ ଲେଖାରେ ଦୋଷ ତ୍ରୁଟି ଥିବା ସୁନିଶ୍ଚିନ୍ତ । କିନ୍ତୁ ଅଭ୍ୟାସ ରଖି ଚେଷ୍ଟା କଲେ ଶ୍ରୀମାନ୍‌ ତାରାଚନ୍ଦ୍ର ଯେ ଭବିଷ୍ୟତରେ ଆହୁରି ଉନ୍ନତି କରିପାରିବେ ଏବଂ ଜଣେ ସୁ ଲେଖକ ହୋଇ ତତ୍‌ସହ ମାତୃଭାଷାର କଲ୍ୟାଣ ସାଧନ କରିପାରିବେ । ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ରମେଶ

Image

 

ଫଗୁଣର ଧୂସର ସନ୍ଧ୍ୟା ! ନରାଜ ପାହାଡ଼ ଆରପଟେ କେତେ ବେଳୁ ସୂର୍ଯ୍ୟଦେବତା ଡୁବିଗଲେଣି ! ନୀଳ ଆକାଶରେ ଜଳି ଉଠିଲାଣି ତାରକା—ଦୀପାବଳୀ ! ଦକ୍ଷିଣା ପବନ ନଈ ଆର ପଟୁ ବହି ଆସୁଛି ଖିଲି ଖିଲି ହୋଇ ! ଝାପ୍‌ସା ଅନ୍ଧକାର ମଧ୍ୟରେ ମ୍ୟୁନିସ୍‌ପାଲଟିର ବତି ଖୁମ୍ୱ ଗୁଡ଼ାକ ନୀରବରେ ଆତ୍ମପ୍ରକାଶ କରୁଛି ମାତ୍ର ।

 

ବୁରୁଜ ଆରପଟ ସିମେଟ୍‌ ଚଟାଣ ଉପରେ ଚନ୍ଦ୍ର ଯେ, କେତେ ବେଳୁ ଘୁମାଇ ପଡ଼ିଛି, ତାକୁ ଜଣାନାହିଁ ।

 

ବାବୁ ! ବାବୁ !

 

ନିଦଟା ଚାଉଁ କିନା ଭାଙ୍ଗିଗଲା । ଆଖି ଖୋଲିଲା ଚନ୍ଦ୍ର । ଆଖି ଆଗରେ କାଠଯୋଡ଼ିର ଧୂସର ବାଲି ଲମ୍ୱି ଯାଇଛି କାହିଁ କେତେ ଦୂର !

 

କିଏ, ଦିନା କିରେ ?

 

ହଁ ବାବୁ, ଆପଣଙ୍କୁ ମା ଡାକୁଛନ୍ତି !

 

ହଉ ଚାଲ, ମୁଁ ପଛେ ପଛେ ଯାଉଛି । ଚନ୍ଦ୍ର ଚାହିଁଲା, ଦିନା ସେଇ ଝାପସା ଅନ୍ଧକାର ମଧ୍ୟରେ ଲୁଚିଯାଉଛି । ତାକୁ ନିଶ୍ଚୟ ଯିବାକୁ ହିଁ ହେବ । ଆଗକୁ ଗୋଡ଼ କାଢ଼ିଲା ଚନ୍ଦ୍ର ! ନଈ ବନ୍ଧରୁ ଗଡ଼ି ପଡ଼ିଲା ମାତ୍ରେ ହୋଇ ଗଲା ଘର !

 

ଗେଟ୍‌ଟି ଖୋଲି ପଶିଲି ! ପଢ଼ାଘରୁ ଶୁଣାଯାଉ ଥାଏ ଗୋଳମାଳ ! ସିଧାସଳଖେ ଆଗେଇଲି ପଢ଼ାଘରକୁ !

 

ହଠାତ୍‌ ମୋର ଆର୍ବିଭାବରେ, ପାଟିକରି ଉଠିଲେ ମଞ୍ଜୁ, ଚାରୁ ଓ ସ୍ନିଗ୍‌ଧା । ଚନ୍ଦ୍ର ଭାଇ, ତମକୁ କାଇଁକି ଡକା ହୋଇଛି ଜାଣ, ତମେ ପରା ଆମକୁ ପଢ଼ାଇବ !

 

ହୁଁ ! ଏଇଥି ପାଇଁ ଡକାଇ ପଠାଇଲ ନାଁ । ହଉ.....

 

ମୋ କଥା ନସରୁଣୁ ଚାରୁ କହିଲା, ସତେ ଯିମିତି ଗୁଡ଼ାଏ କାମଥିଲା—ଦିନା କହିଲା ନଈକୂଳେ ବସି ଘୁମାଉ ଥିଲ !

 

ମାଉସୀ କହିଲେ ଯେ ଚନ୍ଦ୍ର ତୁ ଟିକେ ବସ ମୁଁ ଯାଉଛି, ମୋର ପୁଣି କେତେ କାମ ଅଛି-?

 

କଥାରେ ବାଧା ଦେଇ କହିଲି, କାହିଁକି ବସୁନାହାନ୍ତି । କଣ....

 

ମୁଁ ବସିଲେ ଚଳିବ ବାପ, ତୁ ବସି ଗପ କରୁଥା । ନ ହେଲେ ଏ ଗୁଡ଼ାକ ଶୋଇ ପଡ଼ିବେ !

 

ମୋ କଥା କିଛି ଶୁଣିବା ପୂର୍ବରୁ ମାଉସୀ ଚାଲି ଯାଇଥିଲେ ! ଏଥର ଗୋଟାଏ ବଡ଼ ଆଡ଼ା ଜମାଇ ବସି କହିଲା, କଣ ପଢ଼ିବ କହିଲ ପିଲାଏ ?

 

ଚାରୁ ମୋ କଥାରେ ପ୍ରତିବାଦ କରି କହିଲା ଓଃ ! ଭାରି ମାଷ୍ଟ୍ରେଯେ, ଏ ପୁଣି ଆମକୁ ପଢ଼ାଇବେ । ନାଇଁ ସେ ପଢ଼ା ଫଢ଼ା ଛାଡ଼ି ଗୋଟାଏ ଗପ କୁହ !

 

କଥାରେ ବାଁରେଇ କହିଲି ଗପ ତ ମୋତେ ଆସେନା.....

 

କାହିଁକି ‘‘ଦେବଦାସ’’ ଗପଟା କହୁନ, ତୁମେପରା କହୁଥିଲ, ରବୀନ୍ଦ୍ର ନାଥ ଠାକୁରଙ୍କର ସେ ଗପଟା ତୁମକୁ ଭାରି ଭଲ ଲାଗେ !

 

ନାହିଁତ କରି ହେଲାନି, କହିଲି ଚେଷ୍ଟାକରିବି ।

 

ସ୍ନିଗ୍‌ଧା ବି ତା କଥାରେ, ଯୋଗ ଦେଲା । ସେ ଭାରି, ଠକ ନାଁ, ତାଙ୍କୁ କଣ ତୁ ପାରିବୁ ଦେଈ ! ସେ ପରା ଏଣୁ ତେଣୁ ଗପି ପଳେଇବେ !

 

ପଳେଇବେ କୁଆଡ଼େ ବା, ମୁଁ ପୁଣି ଦେଖେଇ ଦେବିନି—

 

କ’ଣ—

 

ନାଇଁ ତୁମେ କୁହ—

 

ତୁମେ ଯେବେ ଗୋଳମାଳ ନ କରିବ, ତେବେ ବା ଆପତ୍ତିଟା ଶୁଣାଯାଇ ପାରେ । ନ ହେଲେ ନାଇଁ !

 

ଗୋଳମାଳ ବନ୍ଦ ହେଲା । ମୁଁ କହି ଚାଲିଲି, ଦେବଦାସ ଓ ପାରୋର ପିଲାଦିନର ହସ କୌତୁକ କଥା, ମୋ କଥାରେ ବାଧା ଦେଇ ଚାରୁ କହିଲା, ସ୍ନିଗ୍‌ଧା ଗଲୁ ପାଣି ଗିଲାସେ ଆଣିବୁ ।

 

ନାଇଁ, ମୁଁ ଯାଇ ପାରିବି ନାହିଁ ।

 

ତେବେ କଥା ବନ୍ଦ ! ମୋ ଆଡ଼କୁ ଚାହିଁଲା ଚାରୁ, ତା’ ଇଙ୍ଗିତରୁ ମୁଁ ବୁଝିପାରିଲି । ସେ ଚାହୁଁଛି, ମୁଁ ତା କଥାରେ ହଁ ଭରିବା ପାଇଁ । ତାର ଟିକି ଟିକି ଆଖି ଦୁଇଟି ଚାହିଁ ରହିଛି, ମୋ ଉତ୍ତର ପ୍ରତୀକ୍ଷାରେ—

 

ହଁ ତୁମେ ଯାଅ ସ୍ନିଗ୍‌ଧା—

 

ଦେଖିଲୁ, ମୋ କଥା କେମିତି ରହିଲା ।

 

ସ୍ନିଗ୍‌ଧା ଅଭିମାନିଆ ସ୍ୱରରେ କହିଲା । ଯେତେ ବେଳେ ଭାଇ ସାହାବ ତୋର—

 

ଆରେ....ସ୍ନିଗ୍‌ଧା, ଚାଲ ବୋଉ ପାଖକୁ । ଏହା କହି ଉଠିପଡ଼ିଲା ଚାରୁ—ହାତ ଧରି ବସାଇ ଦେଲି ତାକୁ—ଏମିତି ଗୋଳମାଳ କରିବତ ମୁଁ ଚାଲି ଯାଉଛି !

 

ସୁନା ପିଲାଟିପରି ବସି ରହିଲା ସେ, ସ୍ନିଗ୍‌ଧା ଚାଲିଗଲା ପାଣି ପାଇଁ, କହୁଥିବା ଗପଟା ସେଇଠି ବନ୍ଦ ରହିଲା ।

 

ଟେବୁଲ ଉପରେ ଲଣ୍ଠନଟା ଜଳୁଛି ଦିକ୍‌ ଦିକ୍‌ ହୋଇ ! ଦକ୍ଷିଣା ପବନ ବିନା ଆମନ୍ତ୍ରଣରେ ପଶିଆସି ବହି ଖାତା ଗୁଡ଼ାକ ନେଉଛି ଏଣେ ତେଣେ ! ମୁହଁ ଫେରାଇଲି । ଚାରୁ ଚାହିଁ ରହିଛି; ମୋତେ, ସତେ ଯେମିତି ସେ ଚାହୁଁଛି ମୋ ଠାରୁ ବହୁତ କିଛି ! ଜଳନ୍ତା ଲଣ୍ଠନର ଆଲୁଅରେ ଗୋରା ତକତକ ମୁହଁଟା ଭାରି ସୁନ୍ଦର ଦେଖାଯାଉଥାଏ ।

 

ଚାରୁ !

 

ଉଁ—

 

କଣ ଭଲକରି ପାଠ ପଢ଼ୁଛଟି !

 

କହୁଛ ତ !

 

ଏବେତ ଭାରି କଥା କହି ଶିଖିଲଣି !

 

ତୁମଠାରୁ କମି !

 

ଓଃ, ତା ହେଲେ ବହୁତ ଦୂର ଆଗେଇ ଗଲଣି ନାଁ, ଆଚ୍ଛା ମୁଁ ଯାଉଛି । ମୋର ତ ପୁଣି ପଢ଼ା ଅଛି !

 

ଯାଉନ, ମୁଁ କଣ ଅଟକାଇ ରଖି ପାରିବି ?

 

ଫେରି ଚାହିଁଲି, ସତେ ଯେମିତି ମୋ କଥା ପଦକରେ ସେ ଭାଙ୍ଗି ପଡ଼ିଛି ! ପାଖକୁ ଘୁଞ୍ଚିଗଲା, ଆଲୁଳାୟିତକେଶ ଗୁଡ଼ାକ ସଜାଡ଼ି ଦେଉ ଦେଉ କହିଲି, ମୋର ଉପସ୍ଥିତି ତୋତେ ଖୁବ୍‌ ଆନନ୍ଦ ଦିଏ ? ନାଁ—

 

ଅଳ୍ପ ହସି ଆଖି ଦିଟାକୁ ବନ୍ଦ କଲା ସେ, ତାରି ଭିତରେ ସତେ ଯେମିତି ସେ ଶୁଣାଇ ଦେଇ ଥିଲା, ଚନ୍ଦ୍ର ଭାଇ, ମୁଁ ଯାହା ପାଏ, ତାକୁ ବା କଣ ଦେଇ ବର୍ଣ୍ଣନା କରିବି—

 

ଘୁଞ୍ଚି ଆସିଲି, ପୁଣି ନିଜ ସ୍ଥାନକୁ ! କି ଅଜଣା ଇଙ୍ଗିତରେ ଦେହସାରା ଖେଳିଗଲା ଗୋଟାଏ ବିଦ୍ୟୁତ୍‌ର ଶିହରଣ ! ଛାତିଟା ଧଡ଼୍‌ ଧଡ଼୍‌ କରି ପଡ଼ୁଥାଏ ଉଠୁଥାଏ ! ଥରିଲା ଥରିଲା କଣ୍ଠରେ ପଚାରିଲି ଚାରୁ—

 

ସେ ଚାହିଁଲା, ପୁଣି ସେଇ ଅପାଙ୍ଗ ଦୃଷ୍ଟିରେ, ଯାହାର ଦର୍ଶନରେ ମୁନି ମାନଙ୍କର ତପ ଭାଙ୍ଗିଯାଏ, ମୁଁ ବା କେତେ ମାତ୍ର ମୋ ନିକଟରେ ଧୈର୍ଯ୍ୟର ବନ୍ଧ ହୀରାକୁଦ ପରି ଅଟଳ ହୋଇ ପାରିଲାନି—

 

ଚନ୍ଦ୍ରଭାଇ, ତୁମେ ବହୁତ ବେଳଯାଏ ପଢ଼ୁଛ ନାଁ, ଏତେ ରାତି ଅନିଦ୍ରା ହେଲେ ଦେହ ଖରାପ ହେବଯେ—

 

ନାଇଁତ—

 

ମନା କରୁଛ ନାଁ—ମୁଁ ତ ଯେତେବେଳେ ତମ ସେ ଛୋଟ କବାଟ ପାଖରେ ଦେଖେ, ତୁମେ ସେଇ ବିରାଟ ବହିଗଦା ନିକଟରେ ବସି ଥାଅ ଏକ ଲୟରେ !

 

ତୁ ତାହା ହେଲେ ବରାବର ଦେଖୁଛୁ ନାଁ, ଚାରୁ—କାହିଁ, ଯାଉନି ତ କେବେ—

 

ଡର ଆସେ ଚାଲିଯିବା ପାଇଁ । ହେଲେ ଅମାନିଆ ମନଟା କାହିଁକି ବେଳେ ବେଳେ ଚାଲିଯାଏ, ମନେ ମନେ ଭାବେ ମିଛରେ କାହିଁକି ଗୋଳମାଳ କରିବି । ପରୀକ୍ଷାଟା ଯେତେବେଳେ ମୁଣ୍ଡ ଉପରେ—

 

କଣ ବା କରିବି ତାକୁ, କଥା ବାଁରେଇ କହିଲି ଏଥର ଇଚ୍ଛା ହେଲେ ଚାଲି ଯିବୁ, ଡରିବୁ ନାହିଁ । ପରୀକ୍ଷା ବୋଲିତ ତୁମକୁ ମନା ନାହିଁ—

 

ହେଉ ଚନ୍ଦ୍ର ଭାଇ, ତୁମେ ଭାବ ଚାରୁ ପର, କିନ୍ତୁ,....ଛାଡ଼ ତୁମେ ଏଥର ଯାଅ, ମୁଁ ଯାଉଛି, ଦେଖେ, ଟୋକିଟା ସେତେ ବେଳୁ ଯାଇ ସେଇ ଆଡ଼େ—

 

ପାଦ ବଢ଼ାଇଲି ଆଗକୁ କିନ୍ତୁ ମନଟା ରହିଗଲା କେଉଁ ଅଜଣା ରାଇଜର ନିଭୃତ କୋଣରେ । ମୁଁ ଯାଉଛି ଚାରୁ ଗାଳି ଦେବନି ।

 

ଚାରୁ ଚାହିଁଛି ଚନ୍ଦ୍ର ଭାଇ ଲୁଚି ଗଲା ସେଇ ଅନ୍ଧାର ମଧ୍ୟରେ—

 

—ଦୁଇ—

 

ପରୀକ୍ଷା ଆଉ ଚାରିଦିନ ! ମନଟାକୁ ବହି ମଧ୍ୟରେ ହଜାଇ ଦେଇ, ଆଙ୍କି ବସୁ ଥାଏ ପରୀକ୍ଷାର ସୁନେଲି ଛବି କିନ୍ତୁ କର୍ମକ୍ଳାନ୍ତ ଜୀବନର ଅବସାଦ ମେଣ୍ଟାଇବା ପାଇଁ ହୃଦୟ ଚାହେଁ ଜଣକୁ ! ମନ ମଧ୍ୟରେ ହଜାର ପ୍ରଶ୍ନବାଚକ ଚିହ୍ନ ଆଙ୍କି ହୋଇଯାଏ । କିଏ ସେ—ଚାରୁ, ସତେ କଣ-! ସେ ଚାହେଁନା ଆସିବାକୁ—ଆଖିଆଗରେ ନାଚିଯାଏ ତାର ଦର ଫୁଟିଲା ମୁହଁଟି—ଦୁନିଆର ସମସ୍ତ ସୌନ୍ଦର୍ଯ୍ୟ ଯେମିତି ଠୁଳ ହୋଇ ଆତ୍ମ ପ୍ରକାଶ କରିଛି ତାଠାରେ । ପଢ଼ାରେ ମନ ଲାଗୁନାହିଁ–ଚନ୍ଦ୍ର ଚାହିଁଲା, ସତେ ଯେମିତି ଚାରୁ ହସୁଛି ।

 

ଚନ୍ଦ୍ର ଭାଇ ତୁମେ ଏତେ ଦୁର୍ବଳ ନାଁ, ନିତାନ୍ତ ପରୀକ୍ଷାଯାଏ ଭୁଲି ପାରୁନ, ତୁମର କର୍ତ୍ତବ୍ୟ ଆଗରେ ମୁଁ କଣ ଏତେ ବଡ଼—

 

ଚାରୁ ହସୁଛି, ସେଇ ଦୁଷ୍ଟାମି ହସ, ସତେ ଯେମିତି ଝରି ପଡ଼ୁଛି ତହିଁରୁ ଅଫୁରନ୍ତ ସ୍ନେହ-ମମତା ଆଉ କେତେ ଅକୁହାକଥା !

 

ହଁ ଚାରୁ, ସବୁ କାମଭିତରେ ତ ଏ’ବି ଗୋଟିଏ କାମ ! ନିର୍ଜ୍ଜୀବ ବହିଗୁଡ଼ାକରୁ ନିରସ ପାଠ ଗୁଡ଼ାକ ଅଭ୍ୟାସ କରି ମନୁଷ୍ୟ କଣ ଶାନ୍ତି ପାଏ ? ବରଂ ମନର ଅବସାଦ ମେଣ୍ଟାଇବା ପାଇଁ ଦରକାର ପଡ଼େ ତୁମର ସେଇ ମଧୁମଖା କଥା—କଣ ସେଥିରୁ କେହି ଅନୁଭବ କଲେ, ତୁମର ମନରେ କଷ୍ଟ ଆସୁଛି ଚାରୁ ?

 

ଚନ୍ଦ୍ର....

 

ବୋଉ—

 

ଚାରିଟା ବାଜିଲାଣି, କଣ ଖାଇବୁନି, କି ବୁଲି ଯିବୁନି ଟିକିଏ, ସଦା ବେଳେ ପାଠ—ପାଠ—ପାଠ—ମାଲୋ ! —କି ସରି ହେଲାଣି ପୁଅଟା ମୋର—ଗଲୁ ଯା—ଜଳଖିଆ ଗଣ୍ଡେ ଖାଇଦେ !

 

ମନ ମୋର ଭାବନାରୁ ଫେରି ଆସିଲା, କାହିଁ ଚାରୁ—କାହିଁ ସେ—ସତେ ଯେମିତି ସେ ଅନୁଭବ କରୁଥିଲା ତା ସହିତ ସେ କଥାବାର୍ତ୍ତା ହେଉଛି !

 

ମନ ଭାବନାକୁ ଚାପି ରଖି କହିଲି, ବୋଉ, ତୁ ଜଳଖିଆ ଆଣୁ ଆଣୁ ଟିକେ କୁନିକୁ ଡାକି ଦେଲୁ ।

 

ବୋଉ ହଉ କହି ଚାଲିଗଲା, ତଳୁ ପାଟି କରି ଧାଇଁ ଆସୁଥିଲା । କୁନି !

 

ମୋତେ ଡାକୁ ଥିଲ ଭାଇ ?

 

ହଁ—ଟିକିଏ ତୋ ଚାରୁ ଅପାକୁ ଡାକିଦେଲୁ ! କୋଠାକୁ ହାତ ବଢ଼ାଇ କୁନି କହିଲା ହେଇପରା ଚାରୁ ଅପା । ତାଙ୍କ ଛାତ ଉପରେ ବୁଲୁଛି, ଡାକୁନ—

 

ନାଇଁ ତୁ ଡ଼ାକ୍‌

 

ହେ ଚାରୁ ଅପା, ଚାରୁ ଅପାମ, ଏଣେ ପରା ଭା—

 

ତା ପାଟିକୁ ଜାବୁଡ଼ି ଧରିଲି, ଦୁଷ୍ଟ ମୋ ନାଁ କହନା ଖାଲି କହ ଶୁଣି ଯା—

 

ଏ ପାଖକୁ ଆସି ଚାରୁ ଶୁଣିଲାପରି ବୁଲିଲା ! ମନ ସମ୍ଭାଳି ହେଲାନି ଡାକିଲି ।

 

ହେ, ଶୁଣୁଛ ନାଁ—ଓଃ—ଛୋପରି ନାଁ ସତେ, ସତେ ଯେମିତି......

 

କଣ କି ?

 

ଏଠିକି ଆସ, ତାର ଜବାବ ପାଇବ । ଯାଉଛି କହି ଓହ୍ଲାଇ ଗଲା ସେ । ବୋଉ ଆଣିଲା ଜଳଖିଆ !

 

ଚନ୍ଦ୍ର, ନେ ଖାଇଦେ । କୁନିଲୋ, ମୁଁ ଯାଉଛି ତୁ ଭାଇକୁ ପାଣି ଗିଲାସେ ଆଣି ଦେବୁ । ବୋଉ ଚାଲିଗଲା ପରେ ହସ ହସ ମୁହଁରେ ପଶି ଆସିଲା ଚାରୁ ! ସେ କିଛି ନ କହିବା ଆଗରୁ ମୁଁ କହିଲି । ମଣିଷକୁ କ’ଣ ଟିକେ ଶାନ୍ତିରେ ରହିବାକୁ ଦେବନି ନାଁ କଣ ?

 

କାଇଁ କଣ ହେଲା କି, ପରୀକ୍ଷାର ବାହାନା ନେଇତ ଏବେ ପଚାରୁନ; ଚାରୁ ବଞ୍ଚିଛି କି ମରିଛି ।

 

ଆଉ ସେଇ ରାଗରେ ତମେ ଦେଖୁନ ଏହି ବହି ଗଦା ମଧ୍ୟରେ, ମୁଁ ସମାଧି ନେଲିଣି କି ବଞ୍ଚିଛି ।

 

ଆରେ ଏ ଅଲକ୍ଷଣା କଥା ଗୁଡ଼ାକ କୁଆଡ଼ୁ ଶିଖିଲମ—

 

ତୁମ ଠାରୁ—ଏତେ ସୁଆଙ୍ଗ ଦେଖାଉଛ ଡାକିଲେ ଶୁଣା ଯାଉନି, ହଉ, ବସ ଖାଇବା–

 

ମୁଁ ପରା—

 

ପରା ଫରା କିଛି ନାହିଁ, ଖାଇବାକୁ ହେବ କହି ପୁଳାଏ ପାଟିରେ ପୂରାଇ ଦେଲି ତାର । ସେ ଖାଇଲା । ହାତ ବଢ଼ାଇଲି ମନା କଲା—ନାଁ ତୁମେ ଖାଅ, ଖାଲି ବାଧ୍ୟକୁ ଖାଇଲି—ନ ହେଲେ–

 

ପୁଣି ସେଇ କଥା !

 

ମୋ ରାଣ । ପେଟରେ ଜମା ଜାଗା ନାହିଁ, ବରଂ ଖୁଆଇ ଦେଉଛି ।

 

ଖୁଆଇ ଦେଲା ସେ । ଆଉ ମୁଁ ବିନା ଆପତ୍ତିରେ ଉଦରସ୍ଥ କରିବାକୁ ଲାଗିଲି । ମୋତେ ଖାଇବାକୁ ସମୟ ନ ଦେଇ ପାତି ମାଙ୍କଡ଼କୁ ଶିଖାଇଲା ପରି ଗିଳାଇ ଚାଲି ଥାଏ ସେ—

 

ସେତିକି ଥାଉ !

 

ଏଇ ଥରକ !

 

ଆଚ୍ଛା ହେଉ, କହି କାମୁଡ଼ି ଦେଲି ତା ଆଙ୍ଗୁଠିକୁ ।

 

ଆଃ ମରିଗଲିଲୋ....

 

ବୋଉ ଦୌଡ଼ି ଆସିଲେ ତଳୁ,—

 

କଣ ହେଲା ଚନ୍ଦ୍ର ?

 

ନାଇଁ ବୋଉ ଚାରୁ ପଡ଼ି ଗୋଡ଼ ମକଚି ହୋଇ ଗଲା ।

 

ହଉ କ’ଣ କରୁଥାଅ ତୁମେ । ମୋର ଏଣେ କାମ ଅଛି । ବାପା ପରା ଅଫିସରୁ ଆସିଲେଣି !

 

ବୋଉ ଚାଲିଗଲା ! ଚାରୁ ମୋ ନିକଟକୁ ଲାଗି ଆସିଲା ବୀର ଦର୍ପରେ । ତମେ ତ ଭାରି ଭଲ ଲୋକ ?

 

ଆଉ କଣ ଖରାପ ହୋଇ ଥାଆନ୍ତି !

 

ମୋ ଆଙ୍ଗୁଠି ଗଲା !

 

ନୂଆ ଲଗାଇ ଦେବା !

 

ମୁଁ ମଲେ....

 

ନୂଆ—

 

ହୁଁ—

 

ଆରେ, ମୁଁ ସେମିତି ଥଟ୍ଟାରେ କହିଲି ନାଁ—ରାଗି ଗଲକି ? ପାଖକୁ ଲାଗି ଯାଇ ମୁହଁଟାକୁ ଟେକି ଧରିଲି, ଫେଁ’କିନା ହସି ଉଠିଲା ସେ ।

 

ଯା ତୁମେ ଭାରି ଦୁଷ୍ଟ !

 

ଝଡ଼ ପରି ପଶି ଆସିଲା ସ୍ନିଗ୍‌ଧା ।

 

ହଇଲୋ ଦେଈ, ତୁ ଚୁପ୍‌ ଚୁପ୍‌ କରି ଆସି ଏଠି, ଆଉ ମୁଁ ଦୁନିଆ ସାରା ଖୋଜି ହେଉଛି-

 

କଥାଟା କହି ସିନା ଦେଲା, କିନ୍ତୁ ମୋ ପ୍ରତି ଯେତେବେଳେ ନଜର ପଡ଼ିଲା ବିଚାରା ଅପରାଧୀଟି ପରି ଛିଡ଼ା ହୋଇ ରହିଲା !

 

କାହିଁକି, କିଏ ନେଇ ଯାଇଥିବ ବୋଲି କଣ ଭାବିଲୁ କିଲୋ ସ୍ନିଗ୍‌ଧା !

 

ତୁମେ ଥାଉଁ ଥାଉଁ.... !

 

ଚାରୁ ଚମକି ଗଲା—କିଲୋ ଟୋକି, ଭାରି ମୁହଁ ବଢ଼ି ବଢ଼ି କଥାତ କହି ଶିଖିଲୁଣି !

 

କାଇଁ ତୋତେ ଡରିକରି, ମାରିବୁ ନାଁ, ମାରିଲୁ ଭଲା ଦେଖି । ଆଚ୍ଛା ଚନ୍ଦ୍ର ଭାଇ ଆଜି ତୁମେ ଟିକେ ମୋ କଥାର ବିଚାର କର ତ !

 

ଦେଖି ! କଣ କହୁନୁ ?

 

ସେତ ବୁଢ଼ିଟାଏ ହେଲାଣି ଯେ, ଫ୍ରକ ପିନ୍ଧୁନି ମୋତେ କାହିଁକି ନ ଦେବ ?

 

ଚାରୁ ପ୍ରତିବାଦ କଲା; କାଇଁକି ଦେବିନା—ସତେ ଯେମିତି ପେଣ୍ଡିଆ ବନ୍ଧ !

 

ଚାରୁ !

 

ଉଁ

 

ପିଲା ଲୋକ, ଦେଉନ !

 

ନାଇଁ ସେ ପରା... !

 

ଛାଡ଼, ଆଡ଼େ ଶୁଣିଲ !

 

କଣ ?

 

ସେ ପରା ସାନ ଭଉଣୀ,—ଛି—ମୋ ରାଣ ନ ଦେଲେ ପୁଣି—

 

ହଉ ଲୋ ଟୋକି ଦେବି ଯା—ହିଃ—ହିଃ—ହିଃ ନ ଦେଲେ ପୁଣି କହିବି, ବୋଉ ଡାକୁଛି ଆପଣ ଚାଲନ୍ତୁ !

 

ତାକୁ ଟିକେ ଛାଡ଼ିଦେବ ଚନ୍ଦ୍ର ଭାଇ, ନହେଲେ ବୋଉ ବିଗିଡ଼ି ଉଚ୍ଛନ୍ନ ହେବ !

 

ହଉ ନେଇ ଯାଉନୁ, ମୁଁ କଣ ତୋ ଦେଇକୁ ବାନ୍ଧି ରଖିଛିକି ?

 

ସ୍ନିଗ୍‌ଧା ଭିଡ଼ିଲା ଚାରୁକୁ, ଚାଲ୍‌ବା—

 

ତୁ ଆଗେ ଚାଲ ମୁଁ ପଛରେ ଯାଉଛି ଲୋ ଛୋପରି ଟୋକି ! ସ୍ନିଗ୍‌ଧା ମୁଁହ ଫେରାଇ ଚାଲିଗଲା ! ବୀର ଦର୍ପରେ ମାଡ଼ି ଆସିଲା ଚାରୁ ମୋ ନିକଟକୁ—

 

ବାନ୍ଧି ରଖିନ, ତ ଡାକୁଥିଲ କାହିଁକି ?

 

ତେବେ ରହି ଯାଉନ ଏଠି....

 

କାହିଁ ଆଣୁଛ ଯେ—ହଉ ଥାଅ ମୁଁ ଯାଉଛି !

 

ଯାଉନ...

 

ଆରେ ଏମିତି କଣ ମଁ...

 

ଭିଡ଼ି ଆଣିଲି ଚାରୁକୁ, ଲୋଟି ପଡ଼ିଲା ଠିକ୍‌ ଲତାଟିପରି ମୋ ଉପରେ । ଦୀର୍ଘ ନିଃଶ୍ୱାସ ଭେଦକରି ତା ପାଟିରୁ ବାହାରୁଥିଲା, କି—ଶାନ୍ତି !

 

ହଉ—ଯାଅ ତେଣେ ମା ଗାଳି ଦେବେ—

 

ତଡ଼ି ଦେଉଛ ?

 

ଏଇତ ଗଲାନି, ଯାଅ ପୁଣି ସମୟ ଦେଖି ଆସିବ ।

 

ହଉ ଯାଉଛି, କହି ଚାଲିଗଲା ସେ, ମୁଁ ପୁଣି ପଡ଼ିରହିଲି, ସେଇ ମୋର ବହି ଗଦା ମଧ୍ୟରେ....

 

—ତିନି—

 

କୁମାର ପୂର୍ଣ୍ଣିମା ! ନୀଳ ଆକାଶର ଧାରେ ଧାରେ ଚଲା ବଉଦ ଖଣ୍ଡେ ଖଣ୍ଡେ କଇଁଫୁଲିଆ ଚାନ୍ଦଟିକୁ ଟିକିଏ ଟିକିଏ ଢାଙ୍କିଦେଇ ପୁଣି ଉଭେଇ ଯାଉଥାଏ କେଉଁଆଡ଼େ ! ସାଇକେଲଟା ଧରି ଆଗେଇଲି କଟକ ଚଣ୍ଡୀଆଡ଼େ । କଟକ ସହର ନାଲି ରାସ୍ତା ଉପରେ ଗୋଡ଼ ନ ଦେଉଣୁ, କାହାର ଜଣାଶୁଣା ଶବ୍ଦ ମୋର କର୍ଣ୍ଣକୁହର ମଧ୍ୟରେ ପ୍ରବେଶ କଲା । ବୁଲି ଚାହିଁଲି.....ସ୍ନିଗ୍‌ଧା । ମନ ମୋର ବିରକ୍ତ ହୋଇ ଉଠିଲା, କିନ୍ତୁ ବିରକ୍ତ ହେବାର ଭାବକୁ ମନ ମଧ୍ୟରେ ଦବାଇ ରଖିଲି । ମନର ଦମ୍ଭ ଗର୍ବ ସବୁ ସ୍ତ୍ରୀଙ୍କ ନିକଟରେ ହାର ମାନେ ।

 

ମତେ ଡାକୁଛ ସ୍ନିଗ୍‌ଧା ! ପାଟିରୁ କଥା ନ ସରୁଣୁ ଉତ୍ତର ଆସିଲା । ହଁ ଆଜ୍ଞା, ଆପଣଙ୍କୁ ବୋଉ ଡାକୁଛନ୍ତି ।

 

ସନ୍ଦେହୀ ମନ ମୋର ସନ୍ଦେହରେ ଭରିଗଲା—ଆଖି ଆଗରେ ଆଙ୍କି ହୋଇଗଲା ଲକ୍ଷେ ପ୍ରଶ୍ନବାଚକ ଚିହ୍ନ । ପଚାରିଲି କିନ୍ତୁ ମୁଁ ତ....

 

ଓଃ ବୁଲି ବାହାରିଛ—ନାଁ, ଟିକେ ଡେରିହେଲେ ବୋଧେ ପାଗ ବିଗିଡ଼ି ଯିବନି ।

 

ହେଉ ବାବା ତୁମମାନଙ୍କର ଯାହା ଇଚ୍ଛା, ମଣିଷକୁ ଶାନ୍ତିରେ ମରିବାକୁ ଦେବ ନାହିଁ କହି–ସାଇକେଲଟା ନେଇ ପ୍ରବେଶ କଲି ତାଙ୍କ ଘରକୁ ।

 

ତାଙ୍କ ଘରକୁ ବହୁତ ଥର ଆସିଛି, କିନ୍ତୁ କାହିଁକି ଆଜି ମନ ମୋର ବଡ଼ ଦୁର୍ବଳ ହୋଇ ଉଠୁଛି ।

 

ଘରେ ଗୋଡ଼ ନ ଦେଉଣୁ ଚାରୁ ଆସି ଲୋଟି ପଡ଼ିଲା, ମୋର ପାଦତଳେ । ବାଧା ଦେବାକୁ ସମୟ ନ ଥିଲା, ଏପରି ଅଚାନକ ଆକ୍ରମଣରେ ମୁଁ ଏକବାରେ ଆତ୍ମ ହରା ହୋଇ ପଡ଼ିଥିଲି; ମନ ମଧ୍ୟରେ ଅଜଣା ଭୂତ ମାଡ଼ି ବସିଲା ପରି ଲାଗୁ ଥିଲା, କେହି ଏ କାଣ୍ଡ ଦେଖୁ ନାହିଁ ତ ! ସତର୍କତାର ସହିତ ଆଖି ବୁଲାଇ ନେଲି, ଭଗବାନଙ୍କର କୃପାରୁ କେହି ନ ଥିଲେ । ଲୋଟଣି ପାରା ପରି ଲୋଟି ପଡ଼ିଥିବା ଲତାଟିକୁ ଟେକି ଧରିଲି, ଦରହସିଲା ଚାନ୍ଦ ମୁଁହଁ ଟିକୁ ଉଠାଇ ଧରିଲି ଲାଜରେ ଆଖି ବୁଜିଲା ସେ, ନାଲି ଟୁକୁ ଟୁକୁ ଓଠ ଦିଓଟି ଥରି ଉଠୁଥାଏ, ସତେ ଯେମିତି କଣ କହିବ ! ମତେ ଆଜି ଯେମିତି ନୂଆ ଦିଶୁଥାଏ ସେ !

 

ଚାରୁ—ଆଜି କାଇଁକି ଏ ବେଶ !

 

କୁଆଁର ପୁନେଇ ପରା—!

 

ଓଃ, ଆଚ୍ଛା, ମୋତେ ଦଣ୍ଡବତ କଲ, ଆଉ, ମୁଁ ତ ଆଶୀର୍ବାଦ କରିବାକୁ ଭୁଲିଗଲି,—ଭଗବାନ କରନ୍ତୁ ତୁମକୁ ଗୋଟିଏ ସୁନ୍ଦର ସ୍ୱାମୀ ମିଳି ଯାଉ !

 

ଉଁ—ତୁମେ ପ’ରା ଅଛ !

 

ହସ ମାଡ଼ିଲା, ସମ୍ଭାଳି ନପାରି ହସି ଦେଲି, କାହିଁ ମୁଁ, ଆଉ କାହିଁ ତୁମେ, ଆକାଶ କୁସୁମ.... ।

 

ସ୍ନିଗ୍‌ଧା ମାଡ଼ିଆସିଲା, ଶୁଣୁଲୋ ଦେଈ, ମୁଁ ଡାକିଲାରୁ କହୁଛନ୍ତି, ଶାନ୍ତିରେ କଣ ମରିବାକୁ ଦେଉଛ ।

 

ଛି—ଆଜିକାର ଦିନ ପୁଣି ସେଇ ଅଲକ୍ଷଣା କଥା—କୁହ—ମୋରାଣ ଆଉ କେବେ କହିବନାହିଁ—

 

ମୁଁ ମନା କଲି, ମାତ୍ର ମୋ ପ୍ରତି ଦରଦ ଦେଖାଇ ତାର ଆଖିରୁ ଝରି ପଡ଼ିଲା ଦୁଇଧାର ଲୁହ । ପଥର ଛାତିକି ମୋର ତରଳି ଗଲା, କଥା ବାଆଁରେଇ କହିଲି—ଛାଡ଼ ସେ କଥା ଚାଲ—ବୋଉପରା ଡାକୁଛନ୍ତି ।

 

ଅଭିମାନିଆ ଭଙ୍ଗିରେ ଚାରୁ କହିଲା, ଯାଉନ ବୋଉ ଡାକୁଛି । ଗିଳିବାକୁ, ନାଁ—କିନ୍ତୁ ଶୁଣ ଖାଇସାରି ଆମକୁ ଚଣ୍ଡୀ ମନ୍ଦିର ନେଇ ଯିବ ! ତୁମ କୁନିକୁ ବି ନେଇଯିବ !

 

ଓଃ ତା ହେଲେ ଭୋଗ ଗଣ୍ଡେ ଖାଇବାକୁ ଦେଇ ଏତେ କାମ ହାସଲ କରିବ—ନାଁ । ଆର ପାଖରୁ ମାଉସୀ ଡାକିଲେ, ଆରେ ଚନ୍ଦ୍ର ଭୋଗ ଖାଇବୁ ଆ ! ମୁଁ ଗଲି, ମାଉସୀ କହିଲେ ବସ-। ଘର ପୁଅ ଲାଜ କରୁଛୁ କ’ଣ କିରେ, ତୁ ସିନା ବଳେ ଆସି ଖାଇ ପିଇ ଯିବୁ । କରେଇ ଚାହିଁଲି ବୋଉଙ୍କର ସାର୍ଟିଫିକେଟରେ ଚାରୁମନ ଭାରି ଖୁସ୍‌ ! ହସ ମାଡ଼ିଲେବି ହସି ପାରିଲି ନାହିଁ–

 

ମାଉସୀ ପାଟି କରି ଉଠିଲେ, କିଲୋ ଭାଇକୁ ପାଣି ଦେଉନୁ । ତାଙ୍କ ଘରକୁ ଯାଉଛୁ ଆସୁଛୁ । ସେ କଣ ତୁମ ଘରକୁ ଆସେ ।

 

ଅଭିମାନିଆ ଭଙ୍ଗିରେ ଚାରୁ କହିଲା ସେ କାହିଁକି ଆସିବେ ବା ବୋଉ—ସେତ ବଡ଼ ଲୋକ ।

 

ମନକୁ କଥାଟା ପାଇଲାନି, ଭାବିଲି ନିଜ କଥା ଟା ନିଜେ କହୁଛି । ଅନ୍ୟ କେଉଁଠି ହୋଇଥିଲେ ଜବାବଟା ପାଇ ଯାଇ ଥାଆନ୍ତା ।

 

ମାଉସୀ କହିଲେ, ତୁ ପୁଅ ଖା । କଣ ତା କଥା ଶୁଣୁଛୁ । ସେଇଟା ହୁଣ୍ଡିଟା । ମିଛକୁ କୁନି କହେ ନିତି ତୋ ସହିତ ତମ ଘରେ କଜିଆ କରୁଛି । ତୋର ତାର ମୋଟେ ପଟିବନି ଯାହା ଦେଖୁଛି ।

 

ମନକୁ ଆସିଲା, ତୁମେ ଭୁଲ ବୁଝିଲ ମାଉସୀ । ଚାରୁର ସେଇ ବେଖିଆଲି, ଆଲୁବାଲୁରା କଥା, ଦୁଷ୍ଟାମି ତୁମ ଆଖିରେ ଭିନ୍ନ ରୂପ ଦେଇଛି । ତୁମେ ସେ କାଳର ଲୋକ, ତୁମେ କାହୁଁ ବୁଝିବ । ଏତେ ପରେ ବି’ ସେ ମୋତେ ଭଲପାଏ ।

 

ଖିଆ ସରିଲା । ବାହାରିଲି ଘରକୁ । ପାଦ ବଢ଼ାଇଲେ ବି’ ମନ ହେଉ ନଥାଏ; ସେମାନେ ପରା ବୁଲି ଯିବେ ! ସତକୁ ସତ ସ୍ନିଗ୍‌ଧା କହିଲା—ଯିବ କଣ ଆମକୁ ପରା...ବୋଉ, ଆମେ ଯିବୁ ନାଁ ? ନଜାଣିଲା ପରି ପଚାରିଲି,—କୁଆଡ଼େ ଯିବ !

 

ମାଉସୀ କହିଲେ, ପୁଅ ଏମାନଙ୍କୁ ଟିକେ କଟକ ଚଣ୍ଡୀ ନେଇଯିବ, ମୋତେ କଣ ବସେଇ ଉଠେଇ ଦେଉଛନ୍ତି । ଘଣ୍ଟାଏ ହେବ ମୋ ମୁଣ୍ଡ ଖାଇ ଯାଉଛନ୍ତି । ତମ କୁନିକୁ ଦେଖୁନୁ ପୁଅ ଆଗରୁ ସଜ ବାଜ ହୋଇ ବସିଛି କେମିତି !

 

ସତକୁ ସତ କୁନି ସଜବାଜ ହୋଇ ବସିଛି । ମୁଁ ଯଦିଚ ଚାହୁଁ ଥିଲି ସେମାନଙ୍କୁ ନେଇ ଯିବାକୁ; ଟିକିଏ କୁନି ଉପରେ କୃତ୍ରିମତାର ରାଗ ଦେଖାଇଲି—କିଲୋ କୁଆଡ଼େ ? ଚାଲ ଘରକୁ !

 

ଏଁ—ମୁଁ କଣ କରିବି, ସ୍ନିଗ୍‌ଧା ପରା.... । ମାଉସୀ କହିଲେ । ହଉ ପୁଅ ଏମାନଙ୍କୁ ଟିକିଏ ନେଇଯା; ଏମାନେ ଗୋଟାକୁ ଗୋଟାଏ ବଳି..... !

 

ହସିଲି, ହଁ ମାଉସୀ, ଏକା କୁନିକୁ ପାରି ହେବନି ?

 

ସେମାନଙ୍କୁ ନେଇ ବାହାରିଲି କଟକ ଚଣ୍ଡୀ ମନ୍ଦିର । ଗୋଟାଏ ରିକ୍‌ସାରେ ଚାରୁ ଓ ମୁଁ ଅନ୍ୟଟିରେ କୁନି ସ୍ନିଗ୍‌ଧା ! ବାଟରେ ପଚାରିଲି । ଚାରୁ ସତେ ତୁମେ ଆଜି କେଡ଼େ ସୁନ୍ଦର ଦେଖା ଯାଉଛ ! ସତେ ଯେମିତି କୁମାର ପୂର୍ଣ୍ଣିମାର ଚାନ୍ଦ !

 

ଯା, ସବୁ ବେଳେ ଖାଲି ସେଇ କଥା—ତୁମେ କଣ ଭାବୁଛ—ମୁଁ ଭାବିଛି ଏ ଦିନ ଆଉ ଫେରି ଆସିବନି—ଆଉ କିଛି କହି ପାରିଲା ନାହିଁ ସେ ! ମୁଁ କହିଲି ସତେ ଚାରୁ—ମୁଁ ବି’ ଭାବୁଛି, ବହୁଦିନ ଆଶା ଓ ଆକାଙ୍‌କ୍ଷା ନେଇ ଆମେ ଆଜି ଯାଉଛେ କଟକ ଚଣ୍ଡି ମନ୍ଦିର; ତୁମେ ଭାବ କି ନ ଭାବ ମୁଁ ଦିନେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି । ସତେ କ’ଣ ମା କଟକଚଣ୍ଡୀଙ୍କର ଆମ ଉପରେ ଦୟାହେବ । ଏ ଅଧିକାର କଣ ଚିରଦିନ ପାଇଁ ଅକ୍ଷୁଣ୍ଣ ରହିବ !

 

ରିକ୍‌ସା ଚାଲିଥାଏ, କେଉଁ ଅଙ୍କା ବଙ୍କା ପଥଦେଇ ତାର ସୁକୋମଳ ଅଙ୍ଗ ଜଡ଼ାଇ ରଖିଥାଏ ମୋ ଦେହ ସହିତ । ଅଜଣା ଆଶଙ୍କାରେ ମୋର ଦେହରେ ଗୋଟାଏ ଅପୂର୍ବ ଶିହରଣ ଖେଳି ଯାଉଥାଏ । ଥରିଲା ଥରିଲା ହାତଟିରେ ତାର ହାତଟିକୁ ଜଡ଼ାଇ ଧରିଲି—ଲାଜକୁଳି ଲତାଟା ପରି ଘୁମାଇ ପଡ଼ିଥାଏ ସେ ମୋ ଉପରେ; ଲୋକ ଗହଳିକୁ ପଛରେ ପକାଇ ରିକ୍‌ସା ଗଡ଼ି ଚାଲିଥାଏ କଟକଚଣ୍ଡୀ ଅଭିମୁଖେ । ରିକ୍‌ସାବାଲା ପଇସା ପାଇବା ପାଇଁ ଚଞ୍ଚଳ ଗାଡ଼ି ଚଳାଇବାରେ ବ୍ୟସ୍ତ ।

 

ଘୁମାଇ ପଡ଼ିଲକି ଚାରୁ—

 

ନାଁ...................................

 

ଝାପ୍‌ସା ଅନ୍ଧାର ମଧ୍ୟରେ, ଚାରୁ ଓ ମୁଁ; ଦକ୍ଷିଣା ଥଣ୍ଡା ପବନରେ, ଦେହ ମୋର ଶୀତେଇ ଉଠୁଥାଏ ।

 

ତୁମକୁ ଭଲ ଲାଗୁଛି ଚାରୁ—

 

ହଁ, ମୁଁ ଯଦି କବି ହୋଇ ଥାଆନ୍ତି, ତେବେ କହନ୍ତି, ପ୍ରକାଶ କରିବାକୁ ମୋ ଅନ୍ତରରେ ଭାଷାନାହିଁ, ତେବେ ମୁଁ ଏମିତି ଯଦି, ଭଗବାନଙ୍କର ଦୟାରୁ ତୁମର ବାହୁ ବେଷ୍ଟନି ମଧ୍ୟରେ ନିଦ୍ରା ଯାଆନ୍ତି, ତେବେ—ମୋର କିଛି ଅଭାବ ରହନ୍ତା ନାହିଁ—ବୁଝିଲ ।

 

ଖୁବ୍‌ ତ ଆଶା ତୁମର ଚାରୁ ! ଜାଣ—ମନୁଷ୍ୟ ଯାହା ଚାହେଁ, ପ୍ରକୃତି ତାର ପ୍ରତିକୂଳ ଆଚରଣ କରେ ।

 

ପ୍ରକୃତି ବିରୁଦ୍ଧରେ ଲଢ଼ିବା କିନ୍ତୁ ମନୁଷ୍ୟର ପ୍ରକୃତି—

 

ତା’ ବୁଝୁଛି ଯେ, ସଫଳତା ଅର୍ଜନ କରି ପାରିଲେ ତ !

 

ମୋତେ ଭୁଲ ବୁଝିଛ ନାଁ, କାହିଁକି ଯଦି ଏତେ ଡର—ମୋତେ ଭୁଲିଯାଉନ !

 

ଅଭିମାନ କଲକି ? ପାଖକୁ ଟାଣି ଆଣି ଗୋଟିଏ ଉଷ୍ଣ ଚୁମ୍ୱନ ଆଙ୍କିଦେଲି ତାର ନରମ ଗଣ୍ଡ ଦେଶରେ । ପ୍ରତିବାଦ କଲାନି ସେ—ମୁଁ ପଚାରିଲି ଅଭିମାନ କଲକି....ମୁଣ୍ଡ ହଲାଇ ନାହିଁ କଲା ।

 

ମୁଁ ଯଦି ଭୁଲିଯିବାର ହୋଇ ଥାଆନ୍ତି, ତେବେ ନିଶ୍ଚୟଁ ବହୁତ ଦିନ ଆଗରୁ ଭୁଲି ଯାଆନ୍ତିଣି—କିନ୍ତୁ କାହିଁ ଏ ମନତ ଭୁଲି ପାରୁନି ! ଆଉ ତୁମେ ଯଦି ଚାହଁ.....

 

କାହିଁକି ! କଣ ଆଉ କିଏ ?

 

ଆଉତ କିଛି କହି ପାରିବନି ଖାଲି, ସେଇ କଥା—ନ ଜାଣି କହନ୍ତି...ସ୍ତ୍ରୀ ଜାତିଟା ଅଭିମାନିନୀ—

 

ରିକ୍‌ସା ରହିଲା ! ଆଗରେ କଟକ ଚଣ୍ଡୀମନ୍ଦିର—କେତେ ଲୋକ ଯାଉଛନ୍ତି, ଆସୁଛନ୍ତି–ଭକ୍ତି ସହକାରେ ମୁଣ୍ଡ ନୁଆଇଁଲି, ସତେ କ’ଣ ମା ଆମର ମନସ୍କାମନା ପୂର୍ଣ୍ଣ କରିବୁ !

ସମସ୍ତେ ରିକ୍‌ସାରୁ ଓହ୍ଲାଇ ଗଲୁ ମନ୍ଦିରକୁ !

ଭୋଗ ପଇସା ନିଅ ଚନ୍ଦ୍ରଭାଇ, କହି ଉଠିଲା ସ୍ନିଗ୍‌ଧା !

ଥାଉ ସେ !

ଆରେ ବୋଉପରା ଦେଇଛି !

ଚାରୁ ଏଥିରେ ପ୍ରତିବାଦ କଲା, ଥାଉ ଲୋ—ବଡ଼ଲୋକଙ୍କୁ ଏମିତି ଅପମାନ କଲେ ଚଳିବ !

ହଠାତ୍‌ ପାଟିରୁ ବାହାରି ଗଲା, ଏତେ କଥା ଆଉ କହି ଶିଖନି, ବରଂ ମୋ ବଦଳରେ ଆଉ ଯେ ଆସିବ ତାକୁ ଶିଖାଇବ !

ଏତେ ରାଗୁଛ କାହିଁକି ମ—ତେଣେ ଆରତି ହେଲାଣି ଆସ ଯିବା !

ଆରତି ସରିଲା, କହିଲି ଚାଲ ଯିବା !

ହଁ ଯିବା ଯେ, ସ୍ନିଗ୍‌ଧା ତୁ କୁନି ଏଠି ଠିଆହୁଅ, ଆମେ ବୁଲି ଆସୁ ।

ମୁଁ କହିଲି କୁଆଡ଼େ ?

ଏଇ ବେଢ଼ା ଚାରି ପାଖ ।

ହଉ ଚାଲ—ମନ୍ଦିର ପଛପାଖ, ଛପି—ଛପିକିଆ ଅନ୍ଧାର ଜହ୍ନର ପକ୍‌କା ଆଲୋକରେ ହଠାତ୍‌ ଠିଆହୋଇ କହିଲା ସେ ଟିକେ ଠିଆହୁଅ !

 

ଏଁ, ମୋ କଥାକୁ ଅପେକ୍ଷା ନକରି ଫୁଲମାଳଟାକୁ, ବେକରେ ପକାଇ ଦେଲା ସେ—ଆଶ୍ଚର୍ଯ୍ୟ ହେଲି ମୁଁ—ଏ କଣ ଚାରୁ ?

 

ଏଇ ପରା ମୋର ଜୀବନର ଶେଷ ପରିଣତି ।

 

ମୁଁ ଠିଆ ହୋଇ ଭାବୁଥିଲି, ସତେ କଣ ଚାରୁ ତାର ଏ ମିଳନକୁ ଚାହିଁ ବସିଥିଲା ନାଁ କଣ-! ମନ ମଧ୍ୟରେ କେତେ କଥା ଉଙ୍କି ମାରି କୁଆଡ଼େ ଉଭାଇ ଯାଉଥିଲା, ଏ ଆଉ ପିଲାବେଳର ଧୂଳି ଖେଳପରି ଧୂଳିରେ ମିଳାଇ ଯିବନିତ ! ସେ କହି ଯାଉଥିଲା କେତେ କଥା କିନ୍ତୁ ମୁଁ ଶୁଣୁଥିଲି–ଚାରୁ କହୁଛି–ମୁଁ ଚଣ୍ଡୀ ମନ୍ଦିର ଧଣ୍ଡା ଛୁଇଁ ପ୍ରତିଜ୍ଞା କରିଛି–ତୁମେ ହିଁ ମୋର ମନର ଦେବତା–

 

ମନ କହିଲା । ଆର ମାଳଟି କାଢ଼ି ତା ବେକରେ ପକାଇ ଦେବାକୁ—ଶେଷରେ ସେଇଆ କଲି—ସେ ମୋ ପାଦ ଛୁଇଁ ପ୍ରଣାମ କଲା—ମନ ମୋର ଆନନ୍ଦରେ କୁରୁଳି ଉଠିଲା—ଆଖିରୁ ଅଜଣାରେ ଝରି ପଡ଼ିଲା ଦୁଇଧାର ଲୁହ ।

 

କାନ୍ଦୁଛୁ—

 

ନାଁତ । ଅତି ଆନନ୍ଦରେ ବି ଓଠରେ ଆସେ ହସ ଆଖିର ହିଡ଼ବାଡ଼ ଡେଇଁ ବହିଯାଏ ଲୁହ, କିନ୍ତୁ—

 

ତୁମେ କ’ଣ ବିଶ୍ୱାସ କରୁନ ମୋତେ, ମୁଁ ଯେ କେତେ ଅକୁହା କଥା ତୁମ ପାଇଁ ସାଇତି ରଖିଛି ! ଅନ୍ତର ଯଦି ଚିରି ଦେଖାଇ ହୁଅନ୍ତା ତେବେ ଦେଖାଇ ଦେଇ ପାରନ୍ତି ତୁମକୁ !

 

ତୁମେ ଦୁଃଖ କରନା ଚାରୁ, ଠାକୁରଙ୍କର ଫୁଲମାଳ ଛୁଇଁ ପ୍ରତିଜ୍ଞା କରୁଛି, ଏ ଜୀବନରେ ତୁମକୁ ମୁଁ କୌଣସି ପ୍ରାପ୍ୟରୁ ବଞ୍ଚିତ କରିବି ନାହିଁ ! ବହୁତ ଡେରି ହେଲାଣି, ଚାଲ ଯିବା ତେଣେ ପିଲା ଦିହେଁ ଅପେକ୍ଷା କରିଥିବେ ।

 

ଆଖିରୁ ଲୁହ ପୋଛିଲା, ହଁ, ଚାଲ ! ହେଲୋ, ଏ ଦିନ ପୁଣି ଆସିବନି ବୋଧେ !

 

ହଁ ଚାରୁ, ଯାହା ଯାଏ, ସେ ଆଉ ପୁଣି ଥରେ ଫେରି ଆସେନି ? ଅତୀତ ହିଁ ଅତୀତରେ ରହିଯାଏ ! ଘଡ଼ିକୁ ଚାହିଁଲି ମୋଟେ ୭ଟା ବାଜିଛି । ଏତେ ଜଲଦି ଘରକୁ ଯାଇଁ ଲାଭ କ’ଣ ?

 

ଚାରୁ !

 

ଉଁ—

 

କ’ଣ ଘରକୁ ବର୍ତ୍ତମାନ ଯିବା ! ମୁଁ ଭାବିଥିଲି—

 

କଣ କହୁନ ?

 

ଚାଲ ମହାନଦୀ କୂଳେ ଟିକେ ବସିଯିବା !

 

ହଉ ଚାଲ ଯିବା ! କହି ସମସ୍ତେ ଚାଲି ଚାଲି ମହାନଦୀ ଉପକୂଳକୁ ଗଲୁ ।

 

ଗଡ଼ ଗଡ଼ିଆ ଘାଟ । କାର୍ତ୍ତିକ ପୂର୍ଣ୍ଣିମା ହୋଇଥିଲେ ହୁଏତ ଜନଗହଳିରେ ଫାଟି ପଡ଼ୁଥାଆନ୍ତା କିନ୍ତୁ ଆଜି, ଜନ ଶୂନ୍ୟ ଅବସ୍ଥାରେ କିପରି ଖାଁ ଖାଁ କରୁ ଥାଏ । କୂଳର ସିମେଣ୍ଟ ବେଞ୍ଚ ଗୁଡ଼ାକ ସେମିତି ଖାଲି ପଡ଼ିଥାଏ । ପାଖ ଦେବଦାରୁ ଗଛ ଫାଙ୍କଦେଇ ପୂର୍ଣ୍ଣିମାର ସଜଫୁଟିଲା ଚାନ୍ଦଟି ଢାଳି ଦେଉଥାଏ ଜୋତ୍ସ୍ନାଧାରା । ପ୍ରଶାନ୍ତ ମହାନଦୀ ବକ୍ଷରେ ! ଦୂରବାହୀ ନାଉରୀର କଣ୍ଠ ସଙ୍ଗୀତ ନିର୍ଜନତା ଭେଦକରି ଶୁଣାଯାଉଛି ! ନୀଳ ଆକାଶରେ କେତେ ପ୍ରକାର ପକ୍ଷୀ ଖିଚିରି ମିଚିର ଶବ୍ଦ କରି ଉଡ଼ି ଯାଉଛନ୍ତି ! ଆମ୍ଭେମାନେ ଦୁଇଟି ବେଞ୍ଚ ଅଧିକାର କରି ବସିଲୁ ! ଶୀତଳ ଦକ୍ଷିଣା ପବନ ଖିଲି ଖିଲି ହୋଇ ବହି ଆସୁଥାଏ ମହାନଦୀ ବକ୍ଷରୁ ! କୁନି ସ୍ନିଗ୍‌ଧା ସେମାନଙ୍କର ଗପସପରେ ବ୍ୟସ୍ତ ! ସତେ ଯେମିତି ସେମାନେ ଆମମାନଙ୍କ ଠାରୁ ବହୁ ଦୂରରେ !

 

କାଲି ପରା ତୁମ ସ୍କୁଲ ଖୋଲିବ ଚାରୁ । ହଁ, କାଇଁକି କ’ଣ ହେଲାକି ?

 

ନାଇଁ କାଲି ଠାରୁ ମୋତେ ହିଁ ଏକୁଟିଆ ରହିବାକୁ ପଡ଼ିବ, ପରୀକ୍ଷା ନିକଟ ହେଲାଣି ପଢ଼ା କ’ଣ ସରୁଛି ନାଁ କିଛି ମନେରହୁଛି ! ସତେ ଚାରୁ ତୁମେ ପାଖେ ଥିଲେ, ମୋର ଯେତେ ପଢ଼ା ମନେରହେ ତୁମେ ଚାଲିଗଲେ, ସବୁ ବଦଳିଯାଏ । ମତେ ମନେ ହୁଏ ଯେମିତି, ମୁଁ କ’ଣ ହରାଇ ବସିଲି ! ମୋ କଥାରେ ସେ ହସୁଛନ୍ତି, ମୋତି ପରି ଦାନ୍ତ ଗୁଡ଼ାକ ଚନ୍ଦ୍ର କିରଣରେ ଚକ ଚକ କରୁଛି-। ନାଲି ନରମ ନରମ ଓଠଟିକୁ ଟିପି ଦେଇ କହିଲି, ହସି ଉଡ଼ାଇ ଦେଲନାଁ, କ’ଣ ମୁହଁଟା ସୁନ୍ଦର ବୋଲି ନାଁ—

 

ନିଜ କଥା କହୁନ, ମୋତେ କାହିଁକି ଥଟ୍ଟା କରୁଛ ! ଗୋଟାଏ କଥା ଶୁଣ—ଆମ କ୍ଲାସର ସେବା ଚିହ୍ନିଛି ନାଁ—

 

ନାଁତ—

 

ସେ ଦିନ ଯେ ଆସିଥିଲା, ଯାହାକୁ ମୁଁ ତାଙ୍କ ଘରକୁ ଛାଡ଼ିବାକୁ ଗଲି !

 

ହଁ ହଁ କ’ଣ ହେଲା—

 

ନାଇଁମ, ତୁମଠାରେ ତା’ର ଭାରି ସ୍ନେହ ଜମିଯାଇଛି କେଜାଣି ସବୁଦିନେ ତୁମ କଥା ପଚାରେ ! ସେ ଖାଲି କହେ ମୁଁ ଯିବି, ତୁମ ଘରକୁ, ତମ କୁନିକୁ ଭାରି ଆଦରକରେ ତମ କଥାବି ବରାବର ପଚାରେ ! ମତେ ଯେଉଁ Photo ଟା ଦେଇଥିଲ, ତାକୁ ପରା ନେଇ ଗଲା, ଆଉ ଦେଉ ନଥିଲା ଏବେ ଦେଲା ! ଆଉ ସଙ୍ଗାତତ ତୁମକୁ ନ ଦେଖିଲେ ତାକୁ ଭାତ ରୁଚେନି !

 

କାହିଁ ମୁଁ ତ ଏହା ମୋଟେ ଜାଣେନି ? ଜାଣନ୍ତେବା କେମିତି, ସେମାନଙ୍କର ଅନ୍ତରାଳ ପରା ମୁଁ—

 

ଓଃ ନାରୀ ଜାତିଟା ହିଂସୁକୀ ପରା ! କାହିଁ ସେମାନଙ୍କ ଠାରୁ କ’ଣ ମନ ଅଛିକି ?

 

ଯଦି ହଁ କହେ—

 

ତେବେ ଆଉ କ’ଣ କିଛି ମୋର କହିବାକୁ ନାହିଁ !

 

କଥା ବାଆଁରେଇ କହିଲେ ଛାଡ଼ ସେ କଥା, କ’ଣ କାଲି ଠାରୁ ସ୍କୁଲରୁ ଫେରି ଆଗ ଆମ ଘରକୁ ଆସିବ, ପରେ ଯୁଆଡ଼େ ଯିବ—ବୁଝିଲଟି !

 

ହଁ,

 

ଚାଲ ଯିବା ଏଥର, ବହୁତ ସମୟ ହେଲାଣି ! ତରତରରେ ଉଠି ପଡ଼ିଲା, ବେଞ୍ଚ ଉପରେ କିଏ ତାଳ ବାଉଙ୍ଗାଟାଏ ରଖି ଥିଲା, ଫର କିନା ହାତଟା ମୋର କଟି ଗଲା ! ଥପ ଥପ୍‌ କରି ଝରି ପଡ଼ିଲାରକ୍ତ ! ଯନ୍ତ୍ରଣାରେ ଅସ୍ଥିର ହୋଇ ପଡ଼ିଲି !

 

କଣ ହେଲାକି ?

 

କିଛି ନାହିଁ ଶୁଣ ଆଡ଼େ । ଆମର ଏଇ ସୋହାନି ରାତିଟି କ’ଣ କିଛି ବେଳ ପାଇଁ ମନେ ରହିଯିବଟି ! ଝରି ପଡ଼ିଥିବା ରକ୍ତରେ, ଲଗାଇ ଦେଲି ତାର ମଥାରେ ଟିକା ! ଫିକା ଜହ୍ନ ଆଲୁଅରେ ଚିକ୍‌ ଚିକ୍‌ ଉଠିଲା ରକ୍ତର ଦାଗ ଚାରୁର ମଥା ଉପରେ ! କଣ ହେଲା ସେ ଧରି ପକାଇଲା ମୋ ହାତକୁ !

 

ଏ କଣ କଲ ତୁମେ—

 

କିଛି ନୁହେଁ—ଯାହା ହେବାର ଥିଲା ହୋଇଗଲା, ସେଥିରେ କଣ କାହାର ହାତ ଅଛି ! ତୁମେ ଚାଲ ଚାରୁ—ଶାଗୁଆ ଘାସ ଉପରେ ଆଗେଇଲେ କଟକ ମ୍ୟୁନିସି-ପାଲିଟିର ପିଚ୍‌ ରାସ୍ତା ଉପରକୁ । ଗୁଣୁ ଗୁଣୁ ହୋଇ ଗାଳି ଦେଉ ଥିଲେ ସେ—

ରିକ୍‌ସା ଚାଲିଲା ଆମର ବସାଘର ଆଡ଼େ ! ନୀରବରେ କଟିଗଲା କିଛି ସମୟ—

ଚାରୁ !

ରାଗିଛ ନା, କଥା କହିବ ନାହିଁ !

ନ କୁହ, ମୋକଥାଟି ଟିକିଏ ଶୁଣିବ, ମୋ ହାତ କଟିବାରେ ମୋର ମନ ଯେତେ ଦୁଃଖ ନୁହେଁ, ଯଦି ସମୟ ଆସିବ, ତୁମେ ମୋତେ ଛାଡ଼ି ବହୁତ ଦୂର ଚାଲି ଯିବ, ମୁଁ ଏହି ହାତର ଚିହ୍ନ ଦେଖି ତୁମକୁ ମନେ ପକାଉଥିବି ! ପରୁ କଥା ଭାବି ଆନନ୍ଦ ପାଇବିତ !

ପାଟିରେ ହାତ ଦେଇ କହିଲା, ମୋତେ ଆଉ ଭଲ ଲାଗୁନି ?

ଭଲତ ନିଶ୍ଚୟଁ ଲାଗିବନି, ଲେଡ଼ି ଗୁଡ଼ କହୁଣିକୁ ଯେତେ ବେଳେ ବହିଯାଇଛି ! ଆମର ବି ଏଥର ପାଟି ବନ୍ଦ—

କରୁନ—ଏତେ ଡରାଉଛ କାହିଁକି ? ଘରେ ସମସ୍ତେତ ଭଲ ପାଉ ନାହାନ୍ତି, ଆଉ ତୁମେ କାହିଁକି ? ଦୁନିଆରେ ସମସ୍ତେ ସ୍ୱାର୍ଥନେଇଁ ବ୍ୟସ୍ତ, ବରଂ ପରସ୍ପରକୁ ଠକିବାରେ ସମସ୍ତେ ବ୍ୟସ୍ତ ! ପଛ ରିକ୍‌ସାରୁ ସ୍ନିଗ୍‌ଧା ପାଟି କଲା, ଏ ରିକ୍‌ସା ବାୟେଁ ବାୟେଁ—

ମନ ମୋର ଭାବନାରୁ ଫେରି ଆସିଲା ରିକ୍‌ସାରୁ ଓହ୍ଲାଇ ଘରକୁ ଗଲୁ—ମାଉସୀ ଅନାଇଁ ବସିଥିଲେ !

 

ଆସିଲ ପିଲାମାନେ ?

 

ମାଉସୀ କହିଲେ, ପୁଅ ଆମ ଘରେ ଖାଇ ଦେଇଯା ! ପିଲା ମାନଙ୍କର ପୁନେଇଁ ପରା !

 

ମନ ମୋର ଭଲ ଲାଗୁ ନଥିଲା । କହିଲି ବୋଉ ଅନାଇଁ ବସିଥିବ, ମୁଁ ଯାଉଛି, ପରେ ଆସି ଖାଇ ଦେଇ ଯିବି !

 

ମାଉସୀ ମନା କରୁ ଥିଲେ, କିନ୍ତୁ ରହି ଖାଇବାର ମୋର ଧୈର୍ଯ୍ୟ ନଥିଲା ! ମୁଁ ଉପର ମାହାଲା ଦେଇ ଚାଲି ଆସିଲି ! ଉପର ମାହାଲାର ଗଳି କବାଟଟା ଦୁଇ ଘର ମଧ୍ୟରେ ଘନିଷ୍ଠ ସମ୍ପର୍କର ଦ୍ୱାର !

 

ଯଦିଚ ମୁଁ ଚାଲି ଆସିଲି, ମନଟା ମୋର ଗୋଳେଇ ଘାଣ୍ଟି ହେଲା । ଆସିଲା ସମୟରେ ଚାରୁ ଏକଦୃଷ୍ଟିରେ ଚାହିଁଥିଲା ତା ଯିବା ବାଟକୁ । ପାଟିରେ ଭାଷା ନଥିଲାକି ମନରେ ସରାଗ ନଥିଲା ! ମୋର ସେଇ କଥା ପଦକରେ ସେ ମନଦୁଃଖ କରିଛି ! ଘଣ୍ଟାକରେ କଣ ଏଇ ତାର ପରିଣତି ! ବୋଉ ଡାକିଲା ଖାଇବାକୁ । ତାଙ୍କ ଘରେ ଖାଇ ଆସିଛି ବୋଲି ମନା କରି ଦେଲି ! ମୁଣ୍ଡ ଉପରେ ପରୀକ୍ଷା, ଥିର ହୋଇ ଶୋଇଲି ଆଲୁଅଟି ଲିଭାଇ ।

 

ପଢ଼ା ପଢ଼ିରେ ଏକାବାର ଡୋରବନ୍ଧା କହିଲେ ଚଳେ, ଯେ କୌଣସି ମତେ ସେ ପଢ଼ିବ-! ପରୀକ୍ଷାରେ ଭଲ ନମ୍ବର ରଖି ସେ ପାସ୍‍ କରିବ ! ମନର ଦୃଢ଼ ସଂକଳ୍ପକୁ ଉପେକ୍ଷା କରି ପେଟ ତାର ଭୋକରେ ଗୋଳେଇ ଘାଣ୍ଟି ହେଲା ! ମିଛଟାରେ ରାଗକରି କଣ ପାଇଲା ସେ ! ରାତି ଏଗାରଟା, ଜଗତ ସୁପ୍ତ ! ଘର ଲୋକମାନେ ଦିନଯାକର ପରିଶ୍ରମ ପରେ ଆନନ୍ଦରେ ଶୋଇଗଲେଣି ! ସ୍ୱସ୍ତିର ନିଶ୍ୱାସଟାଏ ମାଇଲି, ରାତିଟା ଉପାସରେ କାଟିବାକୁ ହେବ । ଆଖି ବୁଝି ଶୋଇ ପଡ଼ିଲେ ନିଦଟା ହୋଇଯାଇ ପାରେ । ନାଁ ହେଲାନି, ଆଲୁଅ ଲଗାଇ ପଢ଼ି ବସିଲେ—ତା ବି ହେଲା ନି, ଖାଲି ବସି ରହିଲି ! ବାହାରକୁ ଚାହିଁଲି, ଆକାଶରେ ପୁନେଇଁ ଚାନ୍ଦଟି ଢାଳି ଦେଇଛି ରୁପେଲି ଜୋତ୍ସ୍ନା ! କାଠ ଯୋଡ଼ି କୂଳରୁ ଶେଇ ଖେଣ୍ଟା ବରଗଛଟାରୁ, ଚକୋର ପ୍ରିୟାର ବିରହରେ ବିଳାପ କରୁଛି ! ଅଭୟ ବାବୁଙ୍କର ନଡ଼ିଆଗଛରୁ ଫଡ଼୍‌କିନା ଉଡ଼ିଗଲା ପେଚାଟା ! ଛାତିଟା ଧଡ଼ ଧଡ଼ କରି ଉଠିଲା ? ଦଲକାଏ ଥଣ୍ଡାପବନ ପଶି ଆସିଲା, ସେଇ ମୋର ମୁକ୍ତବାତାୟନଦେଇ ।

 

ଖଟ୍‌—ଖଟ୍‌—ଖଟ୍‌

 

କାନ ପାରିଲି, କିଏ ଡାକୁଛି ! ମନରେ ଭୟ ଆସିଲା ଭୂତ ନୁହେଁତ !

 

ପୁଣି ଚାପା ଗଳାରେ କାହାର ଶବ୍ଦ ! ନିସ୍ତବ୍‌ଧ ରାତି । ପ୍ରକୋଷ୍ଠଟିରେ ଏକାକୀ ମୁଁ—ପଥରର ଛାତିବି ମୋର ଦବିଗଲା—ସତରେ କଣ ମୋତେ କିଏ ଡାକୁଛି—କବାଟ ଖୋଲିଲି—

 

ଚାରୁ !

 

ଆଖିକୁ ବିଶ୍ୱାସ ହେଲାନି, ଭାବିଲି ଆଖିର ଭ୍ରମ ଏତ ନୁହେଁ ! ସେ ମୋ ନିକଟକୁ ପଶିଆସିଲା, ମୁଁ ଭୟରେ ଏପରି ହୋଇ ଯାଇ ଥିଲି ଯେ, ହୁଏତ ବିକଳରେ ପାଟିକରି ଥାଆନ୍ତି ବୋଉଲୋ ଭୂତ—

 

ଡରିଲ କି—

 

ଓଃ, ଚାରୁ—ତୁମେ ପୁଣି ଏ ଅସମୟରେ । କିଏ ଦେଖିଲେ କ’ଣ କହିବ !

 

କହନ୍ତୁ—

 

ଇଜ୍ଜତକୁ ତୁମର ଡରନାହିଁ ଚାରୁ—

 

ନାଁ, ନାରାଜ ହେଉଛତ ଚାଲିଯାଉଛି ! ପଛରାଗ ଗୁଡ଼ାକ ପାଶୋରି ଦେଲି, କହିଲି କିନ୍ତୁ ଆସି ଭଲ କଲନାହିଁ । ଯଦି ମୁଁ ଶୋଇ ଯାଇ ଥାଆନ୍ତି !

 

ଫେରି ଯାଇ ଥାଆନ୍ତ—

 

ଓଃ ! ବଡ଼ ସାହାସୀତ ତୁମେ !

 

ମୋ କଥା ନସରୁଣୁ ସେ ମୋନିକଟକୁ ଲାଗି ଆସିଲା । ହାତରେ ଆଣିଥାଏ କିଛି ଖାଇବା ଜିନିଷ ! ରୁଦ୍ଧ କୋଠରୀଟିର ମିଞ୍ଜି ମିଞ୍ଜିଆ ଆଲୋକରେ ସ୍ପଷ୍ଟ ବାରି ହେଉଥାଏ ! ହସି ହସି କହିଲା—

 

ରାଗି ପଳାଇ ଆସିଲ ନାଁ, ମୁଁ ସିନା ଦୋଷକଲି ଖାଇବା କ’ଣ ଦୋଷକଲା !

 

କାଇଁ ମୁଁ ତ ଖାଇଛି !

 

ମିଛ କାହିଁକି କହୁଛ,—ମୁଁ କ’ଣ ଜାଣିନି ? ମନ ମୋର ଦବିଗଲା—ପଚାରିଲି ତୁମେ କେମିତି ଜାଣିଲ !

 

ସେ ଆରମ୍ଭ କଲା ତୁମେ ଯେତେବେଳେ ଆସିଲ ମୁଁ ପରା ବାଟରେ ଠିଆହୋଇ ଦେଖୁଥିଲି । ତୁମେ ବୋଉଙ୍କୁ ମନା କରି ଶୋଇବାକୁ ଗଲ ! ଦମ୍ଭ ଆସିଲା କବାଟତ ଖୋଲା ଅଛି, କୁହଭଲା, କେମିତି ରହିଥାଆନ୍ତି । ଦମ୍ଭ କରି ଆସିଲି !

 

କିନ୍ତୁ ମୁଁ ଖାଇବି ନାହିଁ ? ମୋ ହାତ ଧରି ପକାଇଲା, ମୋ ରାଣ—ମୋ ମୁଣ୍ଡ ଖାଅଟି–ମୋ ଛୋଟ କଥା ଟିକେ ମାନ ! ଏଥିପାଇଁ କ’ଣ ମୁଁ ସବୁ ପଛରେ ପକାଇ ଧାଇଁ ଆସି ଥିଲି !

 

ତାର କଥା ଭାଙ୍ଗି ପାରିଲି ନାହିଁ ! ମୁଁ ସେତେବେଳେ ଭୁଲି ଗଲି ଦୁନିଆ ! ତାର ହାତ ମୋ ମୁଠାରୁ ଖସି ଗଲା, ବାଧ୍ୟ ହେଲି ଖାଇବାକୁ !

 

ମୁଁ ଖାଇ ବସିଲି । ସେ ମୋ ସାଥିରେ ଖାଇଲା, ବିଚାରି ମୋ ପାଇଁ ଖାଇନଥିଲା !

 

ବାହାର କବାଟ ଧଡ଼୍‌ କରି ଖୋଲି ଗଲା, କାଚର ରୁମ୍‌ ଝୁମ୍‌ ଶବ୍ଦ । ବୋଉ ଉଠିଲା ବୋଧେ !

 

ଚାରୁ ! ବୋଉ ଉଠିଲାଣି ଚୁପ୍‌ ହୋଇ ବସ । ସେ ବି ଅନାଗତ ଭବିଷ୍ୟତ ବିପଦରୁ ରକ୍ଷା ପାଇବା ପାଇଁ ଚୁପ୍‌ ହୋଇ ବସିଲା ! ବୋଉ ପୁଣି କବାଟ ବନ୍ଦ କରି ଚାଲି ଗଲେ !

 

ବୋଉ ଶୋଇଲାଣି, ତୁମେ ଯିବନି ଚାରୁ !

 

ନାଁ, ତଡ଼ି ଦେବତ ଦିଅ, ଯାଉଛି । ନ ହେଲେ—ମୁଁ କ’ଣ ମନା କରୁଛି—ତୁମର ଯଦି କିଛି ଅସୁବିଧା ନଥାଏ !

 

ମୁଁ ତାର ବ୍ୟବସ୍ଥା କରି ଦେଇ ଆସିଛି ! ଧୀରେ ଧୀରେ କହିଲି ବୋଉ ଶୁଣିବେଯେ—ସୁନା ପିଲାଟିପରି ବସିଲା ସେ—ଚାହିଁଲି, ଆକାଶ ଚାନ୍ଦଟିଏ ପରି ହସୁଛି ସେ !

 

ଚାରୁ—

 

ଉଁ,

 

ଦେଖିଲ, ଚନ୍ଦ୍ର କିରଣରେ କିପରି ପ୍ରକୃତି ସୁନ୍ଦର ଦେଖା ଯାଉଛି !

 

ବିଛଣାରେ ଶୋଇ ରହି ଚାହିଁଲା ସେ, ମୁଁ ବି ଚାହିଁଥାଏ । ଚକୁଆ ଚକୋଇ ପରି—ଚନ୍ଦ୍ର କିରଣ ଗୁଡ଼ିକ ତା ମୁଣ୍ଡ ଉପରେ ବିଞ୍ଚିହୋଇ ପଡ଼ିଥାଏ !

 

ଭାରି ସୁନ୍ଦର ତୁମେ—ଚାରୁ ।

 

ଆମେ ଯଦି ରାଜା ହୋଇ ଥାଆନ୍ତେ—ଏଇ ନୀଳ ଆକାଶର ସହସ ଚାନ୍ଦ ତଳେ, ମନଖୁସିରେ ଖେଳନ୍ତେ ବୁଲନ୍ତେ, କେଡ଼େ ମଜା ଲାଗନ୍ତା, ନୁହେଁ—

 

ଖିଡ଼ିକିଟା ଧଡ଼କରି ବନ୍ଦ କରି ଦେଲା, ସେ—ଥାଉ କବି ହୋଇ ଯିବ !

 

ରୁଦ୍ଧ ପ୍ରକୋଷ୍ଠରେ ଜଳୁଥିବା ଆଲୋକ ନିଷ୍ପ୍ରଭ—ମନୁଷ୍ୟ ଗଭା ପ୍ରକୋଷ୍ଠରେ ଏକାକୀ ସେ ଓ ମୁଁ—ଚାରୁ ଘୁଞ୍ଚି ଆସିଲା ମୋ ନିକଟକୁ । ଘଡ଼ିଏ ନୀରବ—ଦପ୍ କରି ଲିଭିଗଲା ବତିଟା—ମନ ମଧ୍ୟରେ ଖେଳିଲା ବିଦ୍ୟୁତ୍‌ ଶିହରଣ—ଚାରୁ ଅଭିମାନିନୀ ପରି କହିଲା—ରାଗିଥିଲପରା—ପ୍ରଶ୍ନର ଉତ୍ତର ଦେବା ଅବସ୍ଥାରେ ମୁଁ ନଥିଲି—ଅନ୍ଧକାର—ଆଜି ଅନୁଭବ କରୁଥିଲି ଆଲୋକ ଠାରୁ ଅନ୍ଧକାର କେଡ଼େ ମନୋହର—ସରଗର ଆରପଟେ ହଜି ଗଲା ଦୁଇଟା ଆତ୍ମା—କଳ୍ପନା ରାଇଜର କାହିଁ କେତେ ଦୂରରେ ।

 

ରାତି ପାହିଛି, ଝରକାର ଫାଙ୍କଦେଇ ପ୍ରଭାତର ଆଲୋକ ଦେଖାଯାଉଛି, ପଥହରାକୁ ପଥ ! ବାରି ପଟ ବଗିଚାରେ ଭ୍ରମର ମାନଙ୍କର ଭିଡ଼ ଭାଙ୍ଗି ନାହିଁ ! ଧଡ଼ କିନା ନିଦଟା ଭାଙ୍ଗିଗଲା । ମୁଁ ଖିଡ଼ିକିଟା ଖୋଲି ଦେଖିଲି, ଚାରୁ କେତେ ବେଳୁ ଚାଲି ଯାଇଛି ଚିହ୍ନ—ସ୍ୱରୂପ ରଖି ଦେଇ ଯାଇଛି ମୁକ୍ତ କବେରୀର ମଉଳା ଫୁଲ ମାଳ ! ଦେହଟା ଥରି ଉଠିଲା, କ’ଣ ନକଲା—ବୋଉ ଡାକିଲେ !

 

ବୁଢ଼ା ଉଠିବୁନିକି ?

 

ହଁ ବୋଉ ଯାଉଛି, କହି ଆଖି ମଳି ମଳି ଚାଲି ଆସିଲି, ଆଖି ମାଡ଼ି ମାଡ଼ି ପଡ଼ୁଥାଏ । ପୁରା ନିଦଟା ଯାଇନି ! ଡାକିଲି କୁନି ପାଣି ଆଣିଲୁ ! ଉପରୁ ଶୁଣା ଗଲା, ଖଣ୍ଡିକାସ ! ଉପରକୁ ଚାହିଁଲି—ଚାରୁ—ମୋ ଚାହିଁବା ପୂର୍ବରୁ ମୁହଁ ବୁଲାଇ ନେଇଥାଏ ସେ । ମୁହଁ ବୁଲାଇଲା, ଚାରି ଚକ୍ଷୁ ମିଳିଗଲା । ଗୋଟାଏ ଲୟରେ କାହା ପାଟିରେ ଭାଷା ନାହିଁ !

 

—ଚାରି—

 

ପରୀକ୍ଷା ସରିଯାଇଛି ! ପରୀକ୍ଷା ଫଳ ବାହାରିବାକୁ ଆଉ ଅଳ୍ପଦିନ ବାକି । ଦିନଟା ଯେତିକି ପାଖେଇ ଆସୁଥାଏ ମନଟା ସେତିକି ଛଟପଟ ହେଉଥାଏ ! ମନେ ପଡ଼ିଲା ସେଦିନ କଥା–ଆଲୋକଠାରୁ ଅନ୍ଧକାର ଭଲ । ପାସ୍‍କି, ଫେଲ ଦୁଇଟାରୁ ଗୋଟାଏ କିଛିତ ହେବ ! ଅତର୍କିତ ଭାବରେ ଦୌଡ଼ି ଆସିଲା କୁନି—ତାସାଧିରେ ସ୍ନିଗ୍‌ଧା ! ଦୁଇଟି ଯାକ ସମବୟସୀ ! ମଳୟର ପରଶ ଛୁଇଁବା ଛୁଇଁବା ଉପରେ ।

 

କଣ କିଲୋ !

 

ନାହିଁ ଆମେ ଲୁଡ଼ୁ ଖେଳିବୁ—

 

ଓଃ ଆଚ୍ଛା ଯାଅ, ଖେଳିବ, ମୁଁ ଯାଉଛି ଛାତଉପରେ ଟିକେ ବୁଲି ଆସୁଛି । ସେମାନେ ରହିଲେ, ମୁଁ ଚାଲିଲି ଛାତ ଉପରକୁ । ଅନ୍ୟମନସ୍କ ଭାବରେ ବୁଲିବା ଛଡ଼ା ମୋର ଆଉ କିଛି କାମ ନଥିଲା !

 

ବାପା ଅଛନ୍ତି ଚାରୁ ।

 

ଚମକି ପଡ଼ିଲି, ତଳକୁ ଚାହିଁଲି ସୁରବାବୁ । ଚାରୁର ମାମୁଁ ପୁଅ ଭାଇ ! ଅଶାତୀତ ଉତ୍ତର ପ୍ରତୀକ୍ଷାରେ ଅଛନ୍ତି ସେ । ଚାରୁ କେଶବିନ୍ୟାସରେ ବ୍ୟସ୍ତ !

 

ନାହାଁନ୍ତି ବାପା !

 

ଟିକେ ଶୁଣି ଗଲ !

 

ପାଖକୁ ଯାଇ ପଚାରିଲା ସେ—

 

କଣ— !

 

କିନ୍ତୁ ଏକଣ, ସୁର ବାବୁ ଯେ ଭିଡ଼ି ଧରିଛନ୍ତି ଚାରୁକୁ, ତାଙ୍କର ବାହୁ ଯୁଗଳରେ ସେ ଯେ ବନ୍ଦି । ଏ ଅବଶ୍ୟମ୍ଭାବୀ ଅତ୍ୟାଚାରରେ ତ୍ରସ୍ତା ହରିଣ ପରି, ସେ ବିବ୍ରତ ହୋଇପଡ଼ିଛି ।

 

ଆରେ !

 

କିନ୍ତୁ ତା କଥାକୁ ଭ୍ରୂକ୍ଷେପ ନକରି ଉନ୍ନତ ଚିବୁକକୁ ଦୋହଲାଇ ଦେଇ ଆଙ୍କିଦେବାକୁ ଯାଉଥିଲେ ଚୁମ୍ଭନ ବୋଧେ—ଦେହ ମୋର ସହିଲାନି, ଇଚ୍ଛା ହେଲା ଭଲକରି ଅପମାନ ଦିଅନ୍ତି ! ସୁରବାବୁ—ଉଚ୍ଚ ଶିକ୍ଷିତ ସେ—ଜଣେ ତରୁଣି ଉପରେ ତାର ଇଚ୍ଛା ବିରୁଦ୍ଧରେ କଣ କରିବାକୁ ଶିଖିଛନ୍ତି ଏଇ ବ୍ୟବହାର—ପୁଣି ଦେଶ—କାଳ—ପାତ୍ର ବିଚାର ନକରି ! ମୁଣ୍ଡ ମୋର ଘୂରି ଗଲା–ଚାରୁ ନିଶ୍ଚୟ ଦୂର୍ବଳ ତା ନହେଲେ—କିନ୍ତୁ ଅଜଣା ଝଡ଼ ମୋ ମୁଣ୍ଡକୁ ଭାରାକ୍ରାନ୍ତ କରି ତୋଳିଲା-! ପାଗଳ ପରି ହସି ଉଠିଲି ହିଃ—ହିଃ—ହିଃ !

 

ଧ୍ୟାନ ଭାଙ୍ଗି ଗଲା, ଚଞ୍ଚଳ ହୋଇ ଉଠିଲେ ଦୁହେଁ ! ସୁର ବାବୁ ଖସିଗଲେ ସେଇ ଧୂସର ରାସ୍ତାଉପରକୁ ! ଚାରୁ—ଛିଡ଼ା ହୋଇଥିଲା କାଠ ପିତୁଳାଟି ପରି ।

 

ସେ ବୋଧେ ଭାବୁଥିଲା, କଣ ଆଜି ସେ ଜବାବ ଦେବ ! ଚନ୍ଦ୍ର ଭାଇ ଜୀବନ ଦେଇ ଭଲପାଏ, ସେ ତାକୁ ଭୁଲ ବୁଝିଲେ ନାହିଁତ ! ସମସ୍ତେ ବାହାରଟା କୁ ଦେଖନ୍ତି—ସୁରଭାଇ ଶିକ୍ଷିତ ହେଲେ ବି ବଜାରି—ଭୁଲରେ ଦିନେବି ତାଙ୍କୁ ମନରେ ସ୍ଥାନ ଦେଇନି—ବରଂ ସେ କୁହନ୍ତି—ଚାରୁ ଚାଲ ଆମଘରକୁ ଯିବୁ ! କିନ୍ତୁ ସେ ଘରେ ବାଧ୍ୟ କଲେ ଯାଏ ସ୍ନିଗ୍‌ଧାକୁ ସାଙ୍ଗରେ ନେଇ, କେତେ ବେଳେ ପାଖ ଛାଡ଼େନା ! ଦୁନିଆ ଆଖିରେ ସେ ଦୋଷୀ; ଚନ୍ଦ୍ର ଭାଇଙ୍କ ଆଖିରେ ମଧ୍ୟ ! କୋହ ଉଠିଲା । କୋହ ସମ୍ଭାଳି ନପାରି କାନ୍ଦି ପକାଇଲା ! ଚନ୍ଦ୍ରଭାଇ ଅବିଶ୍ୱାସ କରିବେନିତ ! ଗାଳି ଦିଅନ୍ତୁ, ଗୋଡ଼ତଳେ ଦଳି ଦିଅନ୍ତୁ, ସେ ତାଙ୍କର ଗୋଡ଼ଛୁଇଁ କ୍ଷମା ମାଗିବ ! ତାର ହୃଦୟର ଦେବତା ପାଦ ଛୁଇଁ ପ୍ରତିଜ୍ଞା କରିବ ! ଚନ୍ଦ୍ରଭାଇ—ମୋତେ ଭୁଲ ବୁଝନା ନିଜର ଆତ୍ମାକୁ ବିଶ୍ୱାସ କରି ମୋତେ ଛଡ଼ା ଫୁଲପରି ଦଳିଦିଅନା ! ତୁମେ ଯଦି ଚାହଁ ସେ ଯୁଗର ସତୀ ସୀତାଙ୍କ ପରି ଅଗ୍ନି ପରୀକ୍ଷା ହେବ । ସେ କଣ ବିଶ୍ୱାସ କରିବେନି !

 

ସେ ବୋଧେ ରାଜି ହେବେନି ! ନିଜର ଆଖିକୁ କେବେ କଣ କେହି ଅବିଶ୍ୱାସ କରେ, କିନ୍ତୁ ଅନ୍ତର କିଏ କଣ ଦେଖେ !

 

ଜୀବନକୁ ଧିକାରିଲା, ସେ ବା କାହିଁକି ଏଠାକୁ ଆସିଲା ମନରେ ଆଶା ବାନ୍ଧି ଚାହିଁଲା–ସେ ଆଉନାହାନ୍ତି । ନୈତିକତାର ସାହାସ ନେଇ ଆଗେଇଲା ସେ ! ଭୟରେ ପାଦ ଦୁଇଟି ଏଣେ ତେଣେ ପଡ଼ୁଥାଏ !

 

ଛାତି ପରା ପେଟକୁ ଆଉଜି ନୀଳ ଅନ୍ତରିକ୍ଷକୁ ଚାହିଁ ରହି ଛନ୍ତି ଚନ୍ଦ୍ର ଭାଇ ! ହୃଦୟଟା ସତେ ଯେମିତି ଜଣା ପଢ଼ୁଛି, ନୀଳ ଆକାଶ ପରି ଶୂନ୍ୟ ମହାଶୂନ୍ୟ । ଦିବସର ଆଲୋକରେ ନିଷ୍ପ୍ରଭ ଚାନ୍ଦ ପରି ମୁଖମଣ୍ଡଳ ଦେଖାଯାଉଛି ପାଣ୍ଡୁର ! ମନରାଇଜରେ ଆଙ୍କି ହୋଇ ଯାଇଛି—ଖଣ୍ଡେ ଅଜଣା କଳା ବଉଦ ।

 

ମୋତେ କ୍ଷମା କର ଚନ୍ଦ୍ର ଭାଇ !

 

ଚନ୍ଦ୍ର ଚାହିଁଲା—ଚାରୁ ଲୋଟଣୀ ପାରାପରି ଲୋଟିପଡ଼ି ଅଳି କରୁଛି !

 

ଛି, ଚାରୁ ଏକ’ଣ ଶୋଭା ପାଏ ତୁମଠାରେ ! ଉଠାଇ ଧରିଲି, ଏ ପର୍ଯ୍ୟନ୍ତ ବି କାନ୍ଦଣାର ବିରାମ ନାହିଁ ! ଥରିଲା ଓଠରେ କହିଲା ସେ—

 

ମୋତେ ଭୁଲବୁଝିନ ତ ! —

 

......................

 

ବାହୁ ଦୁଇଟାକୁ ଜୋରରେ ହଲାଇ ଦେଲା—

 

କୁହ, ମତେ କ୍ଷମା କରିଛତ—

 

କାହିଁକି, ତୁମେ ତ ମୋର କିଛି ଦୋଷ କରିନ ! ଚାହିଁଲି, ପଛ ଘଟଣାରେ ଲାଜକୁଳି ଲତାଟି ପରି ଝାଉଁଳି ପଡ଼ିଛି ସେ ! ଲୁହଭରା ଆଖି ଦୁଇଟି ମୋ ଉତ୍ତର ପ୍ରତୀକ୍ଷାରେ !

 

ପାଖକୁ ଟାଣି ନେଲି, ନିଜର ପଣତରେ ଲୁହ ପୋଛି କହିଲି, ଚାରୁ ଦୁନିଆ ଆଖିରେ ଯାହା ଭୁଲ, ତାହା ମୋ ଆଖିରେ ଭୁଲ ନୁହେଁ ! ଛି ଏମିତି କାନ୍ଦନ୍ତି ! ମୋ କଥା ପଦକରେ ଆତ୍ମହରା ହୋଇ ଲୋଟି ପଡ଼ିଥିଲା ମୋ ଉପରେ !

 

ଘରୁ ବୋଉ ଡାକିଲେ, ବୁଢ଼ା ଖାଇବୁ ଆରେ ! ଚାରୁ ବୋଉ ଡାକୁଛି ଖାଇବ ଚାଲ । ବାଧ୍ୟ ପିଲାଟି ପରି ହଁ କହି ଚାଲିଲା ସେ—ଅନ୍ୟ ସମୟ ହୋଇ ଥିଲେ କେତେ ଫାଙ୍କି ଥାଆନ୍ତା ବିଚରା, ହସ ମାଡ଼ିଲା, ଧନ୍ୟ ବିଧାତାର ନିୟମ ।

 

କୁନି ଆଣି ଦେଇଗଲା ଖାଇବାକୁ । ଦୁହେଁ ଖାଇ ବସିଲୁ । ଚାରୁକୁ ଚାହିଁ ହସମାଡ଼ିଲା !

 

ଆରେ ହସୁଛୁ କାଇଁକି ?

 

ଗୋଟେ କଥା କହିବି !

 

କହୁନ !

 

ଜାଣିଛ—ମୋ ପରୀକ୍ଷା ଫଳ ବାହାରିବ, ଯଦି ଫେଲ ହୋଇଥାଏ—

 

ମୋଟେ ନୁହେଁ !

 

ତୁମେତ ଆଉ Examiner ହୋଇ ନାହଁ ପାସ କରେଇ ଦେବ । ତୁମେ ଜାଣ ଚାରୁ, ମୋର ପାସ୍‍ ଫେଲ ଉପରେ ତୁମର ଓ ମୋର ଭାଗ୍ୟ ନିର୍ଭର କରେ ! ମୁଁ ଯଦି ଫେଲ ହୁଏ ଆମର ଏ ଆଶାର ମରିଚିକା ଦିନର ଆଲୋକ ସାଥିରେ କେଉଁ ଆଡ଼େ ଉଭେଇ ଯିବ ! ତୁମେ ଜାଣ ଚାରୁ ମାଟ୍ରିକ୍‌ ଫେଲ ହେଲେ ମୁଁ କେଉଁ କୂଳକୁ ହେବିନି ! ସମସ୍ତେ ମୋତେ ଭଲ ପାଇବା ପରି ବର୍ତ୍ତରେ କୁତ୍ସାରଟନା କରିବେ !

 

ସେ କଥା ଗୁଡ଼ାକ କାହିଁକି ମନରେ ଧରୁଛ ଯେ ! ଆଉ କଣ କିଛି ନାହିଁ ।

 

ଛାଡ଼ ଭାଗ୍ୟରେ ଯାହା ଥିବ ବଳେ ହେବ । ହେଲେ ଗରିବ ପାଇଁ ପତର କୁଡ଼ିଆ ନ ହୋଇ କଣ କୋଠାଘର ହେବ !

 

ବୋଉ ପଶି ଆସିଲେ !

 

ଭାଇ ଭଉଣୀ ଦୁହେଁ ଖାଉଛ, ହଉ ଖାଆ ! ଆଉ କଣ ଦରକାର ବୁଢ଼ା, କହି ବୋଉ ଚାଲିଗଲେ—ମୁଁ ପାଟି କରି ଉଠିଲି ନାଇଁ ବୋଉ କିଛି ଦରକାର ନାହିଁ !

 

—ପାଞ୍ଚ—

 

ଦିନପରେ ଦିନ ବିତିଯାଇଛି । ଇତି ମଧ୍ୟରେ ଦୁନିଆରେ କେତେ କଣ ଓଲଟ ପାଲଟ ହୋଇ ଯାଇଛି ! କିନ୍ତୁ ହୋଇନି ମୋର ! ଦୁନିଆର ସୌନ୍ଦର୍ଯ୍ୟ ଦେଖିବାକୁ ମୋର ବେଳ ନାହିଁ ! କିନ୍ତୁ ଚାରୁ—ସେ ପ୍ରକୃତି ସାଥିରେ ତାଳଦେଇ ବଦଳି ଯାଇଛି ! ମନେ ପଡ଼େ ପିଲାଟାଏ ହୋଇ ଥାଏ ସେ ! ୪ଟା ବେଳେ ନଈକୂଳେ ଆସି ବାଲି ଘର କରି ଖେଳେ । ମୁଁ ବୁଲି ଆସି ପହଁଞ୍ଚେ ସେଠି । ମୋତେ ଦେଖି ପଳାଇ ଯାଏ ସେ ! ମୁଁ ଭାବେ ଲାଜକୁଳିଟାଏ ହେବ ! କିନ୍ତୁ ସେ—ଆଉ, ଦୁନିଆର ପରିବର୍ତ୍ତନରେ ପରିବର୍ତ୍ତିତ ହୋଇଛି, ତାର ଓ ମୋର ସମ୍ବନ୍ଧ ମଧ୍ୟରେ ଠିଆ ହୋଇଛି ଶାହାଜାନ କତୃକ ତାଜ ମହଲ !

 

ସମାଜ—ଦୈନିକ ସମାଜ, ମାଟ୍ରିକ୍‌—ପରୀକ୍ଷା ଫଳ !

 

ଚମକି ପଡ଼ିଲି, ଫଳ ବାହାରିଛି ! ତରବରରେ ଡାକ ପକାଇଲି । ହେ ସମାଜବାଲା ଦେଇ ଯା ଖଣ୍ଡେ—

 

୪ ପଇସା ବାବୁ !

 

ଦେ’ନା କହି ବଢ଼ାଇ ଦେଲି ଅଣାଏ । ପଇସାଟା ପାଇବା ମାତ୍ରେ ସେ ଚାଲିଗଲା ।

 

ପଢ଼ିବାକୁ ଆରମ୍ଭ କଲି । ଆଖି ଆଗରେ କେତେ ଗୁଡ଼ାଏ ଅକ୍ଷର ବିଶିଷ୍ଟ ଖଣ୍ଡେ ଦୀର୍ଘ କାଗଜ ! ଦେହ ମୋର ଥରିଉଠିଲା, ଅକ୍ଷର ଗୁଡ଼ିକ ଜାଲ ଜାଲୁଆ ଦେଖା ଗଲା । ଯଦି ମୋର ମନ ସନ୍ଦେହରେ ପାପ ଛୁଉଁଥାଏ ! କେବଳ ମୋ ନାଁ ଛାଡ଼ି ଆମ ସ୍କୁଲର ସାଥି ପିଲା ମାନେ ପାସ କରିଗଲେ । ଭାବିଲି ଭ୍ରମ ସଂଶୋଧନରେ ଅବା ଥାଇ ପାରେ, ମାତ୍ର କାହିଁ, ମନକୁ ପ୍ରବୋଧନା ଦେଲି ମୋ ପରି କେତେ ପିଲା ଫେଲ ହୋଇଛନ୍ତି । ମନର ଆଶା ଅଜଣା ଝଡ଼ରେ ଧ୍ୱଂସ ବିଧ୍ୱଂସ୍ତ ହୋଇ କେଉଁ ଆଡ଼େ ଲୀନ ହୋଇ ଗଲା ! କାଗଜ ଖଣ୍ଡକ ଖସି ପଡ଼ିଲା ମୋ ହାତରୁ ! ଆର ଘରୁ ବାପା ଗର୍ଜ୍ଜିଉଠୁଥିଲେ, ପଢ଼ିଲେ ପାସ୍‍ କରିବ ସିନା, ଟଙ୍କାଟା ବେକାର ଗଲାସିନା !

 

ବୋଉ ବିନୟ ହୋଇ କହୁଥାଏ, ଯାହା ହେବାର ହେଲା, ପାଟି ତୁଣ୍ଡ କରନା ପୁଅଟା ସେଘରେ ଅଛି । ସେ ଯେମିତିକା ପିଲାନା କ’ଣ ନାଇଁ କ’ଣ କରିଦେବ । ଗୋଟିଏ ପୁଅ ହେତୁ ବାପା ଚୁପ୍‌ ରହିଲେ ।

 

ମନେ ପଡ଼ିଲା ଚାରୁ ! ସେ ତ ଆଜି ହୁଏତ ତାପାଇଁ ଦୁଃଖ କରୁଥିବ ! ମାଉସୀ ମଉସା ଦୁଖଃ କରୁଥିବେ ! ସେ କେଉଁ ମୁହଁରେ ତାଙ୍କୁ ମୁହଁ ଦେଖାଇବ ! କେତେ ପିଲା ପାସ୍‍ କଲେ, ଭଗବାନ ତା ପାଇଁ ଏତେ ନିର୍ଦୟ ! ବଞ୍ଚିରହିବା ତାପକ୍ଷରେ ଦୁର୍ବହ ହୋଇ ଉଠିଲା । ସେ ମରିବ ପଛେ ଏ ଅପବାଦ ସହି ପାରିବନି । ମନଟା ଗୋଳେଇ ଘାଣ୍ଟି ହେଲା ଚାରୁ ପାଇଁ ସେ ମାସେ ପନ୍ଦର ଦିନ ପରେ ଭୁଲି ଯିବ ଯେ !

 

ମନେ ପଡ଼ିଲା, ଗଲା ରବିବାର ଦିନ କଚେରୀ ପାଖରୁ ମୂଷାମରା ବିଷନେଇ ଆସିଥିଲା-। ବିଚାରା ଘର ଅଳିଆ କରୁଥିବା ଚୁଚୁନ୍ଦ୍ରାଟାକୁ ମାରିବା ପାଇଁ । କିନ୍ତୁ ସେଇ ଦିନୁ ଚୁଚୁନ୍ଦ୍ରା ଆଉ ଆସେନି ! ତକିଆ ଟେକିଲା । ପୁଡ଼ାଟି ସେମିତି ଅଛି ବଡ଼ ବଡ଼ ଅକ୍ଷରରେ ଲେଖାଅଛି Poison

 

ଠିକ୍‌ ଅଛି ଚୁଚୁନ୍ଦ୍ରାଟା ନ ମରି ତାକୁ ଆଜି ଅପବାଦରୁ ବଞ୍ଚାଇଛି ! କାଗଜ ଟାଣିଆଣିଲା–କଲମ ନେଇ ଲେଖିଲା ।

 

ଚାରୁ—

 

ଦୁନିଆରେ କେହି ମୋର ଦୁଃଖ ନବୁଝିଲେ ତୁମେ ବୁଝିବ ! ପରୀକ୍ଷା ଫେଲ ଖବର ପାଇଥିବ ନିଶ୍ଚୟ ! ମୁଁ ଏ ନିର୍ଲ୍ଲଜ ମୁହଁଟାକୁ ତୁମକୁ ନ ଦେଖାଇ ଚାଲିଲି ବହୁ ଦୂରକୁ ! ମୋତେ ପାଇବାର ଆଶା ରଖିବନି । କାରଣ ସେଠୁ ପୁଣି କେହି ଫେରି ଆସେନି ! ମୋରାଣ ମନ ଦୁଃଖ ନକରି ଭୁଲି ଯିବ ।

 

ଇତି

ଚ—

 

ଆଉ ଲେଖି ପାରିଲିନି ! ଲଫାପାରେ ବନ୍ଦକରି ରଖି ଦେଲି । ସଂସାରକୁ ଏଇ ମୋର ଶେଷ ବିଦାୟ ! କେତେ ଆଡ଼ୁ କେତେ କଥା ଭାବୁ ଭାବୁ, କେତେବେଳେ ନିଦ ଆସିଗଲା ମୁଁ ଜାଣିନି ! ଲଫାପା ଓ ପୁଡ଼ିଆଟି ମୁଣ୍ଡ ନିକଟରେ ପଡ଼ିରହିଲା !

 

କାହା ପରସରେ ମୋର ନିଦଟା ଭାଙ୍ଗିଗଲା । ଚାରୁ ମୁଣ୍ଡ ଉପରେ ବସିଛି ! ସରସତା ନାହିଁ !

 

ତୁମେ ଏତେ ନିଷ୍ଠୁର ଚନ୍ଦ୍ରଭାଇ ! ମୁଁ ଜାଣିନଥିଲି ଏତେ ଦୁର୍ବଳ ତୁମେ । ତୁମେ ପରା କହୁଥିଲ ମନୁଷ୍ୟ ଯାହା ଚାହେଁ ପ୍ରକୃତି ତାର ପ୍ରତିକୂଳ ଆଚରଣ କରେ । ଜୀବନ ସଂଗ୍ରାମରେ ମନୁଷ୍ୟ ହାର ମାନେ । ପୁଣି ଦିଜୁଳି ଶକ୍ତି ନେଇ ମନୁଷ୍ୟ ପ୍ରକୃତରେ ପ୍ରତିରୋଧ କରେ ! ଶେଷରେ ମନୁଷ୍ୟ ହୁଏ ବିଜେତା ! ପ୍ରକୃତି ହାରିଯାଏ ମନୁଷ୍ୟ ନିକଟରେ ।

 

ମୁଁ ମୁହଁ ମାଡ଼ି ଶୋଇ ରହିଲି, ଯେମିତି ତା କଥା ଶୁଣି ବାକୁ ମୋର ଆଦୌ ଇଚ୍ଛାନାହିଁ ! ସେ ଜବରଦସ୍ତି କରି ତକିଆଟା ଭିଡ଼ିନେଲା ମୋ ମୁଣ୍ଡ ତଳୁ ! ସବୁ କାଗଜ ପତ୍ର ଛିଞ୍ଚାଡ଼ି ହୋଇ ପଡ଼ିଲା ତଳେ !

 

ଚାରୁ ଚାହିଁଲା......କାଗଜ ପତ୍ର ମଧ୍ୟରୁ ନାଲି ଅକ୍ଷରରେ ଲେଖାହୋଇଥିବା କ’ଣ ଗୋଟାଏ ପୁଡ଼ିଆ । ଚାରୁ ଉଠାଇ ଆଣିଲା, ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି Poison

 

ଇସ୍‌, ମା, ବିଷ ରଖିଛ ତୁମେ ! ସାମାନ୍ୟ ଗୋଟାଏ ଧକ୍‌କାରେ ଭାଙ୍ଗି ପଡ଼ିବ ତୁମେ ଚାହିଁଚ ଜୀବନଟାକୁ ନଷ୍ଟ କରିଦେବାକୁ ! ଜାଣ ମନୁଷ୍ୟର ଜୀବନ କେତେ ମୂଲ୍ୟବାନ ଆଛା ଚାଲ ମାଉସୀ ନିକଟକୁ—

 

ଛଡ଼ାଇ ଆଣିଲି ସେଇଟା, ତୁ ଯା ଚାରୁ, ମୁଁ ଯାହାକଲି, ତୋର ସେଥିରେ କ’ଣ ଅଛି !

 

କିଛି ନାହିଁ, ଏଇ କଣ ତୁମର ଭଲ ପାଇବାର ଶେଷପରିଣତି !

 

ହଁ—ଶେଷପରିଣତ ମୃତ୍ୟୁ—

 

ଚନ୍ଦ୍ର ଭାଇ, ମୋ ରାଣ ତୁମେ କୁହ, ତୁମେ ପରା ମୋତେ ଭଲପାଅ, ଘଡ଼ିଏ ନ ଦେଖିଲେ ମୁଣ୍ଡ ପରା ବିଗିଡ଼ିଯାଏ । ତାକୁ କଣ ଛାଡ଼ି ଚାଲି ଯିବ ! ମୋପାଇଁ କଣ—ତୁମେ ପରା କହି ଥିଲ, ଚାରୁ ମୁଁ ତୋ ପାଇଁ ଝଡ଼ ଝଞ୍ଜା ସବୁ ମୁଣ୍ଡ ପାତି ସହି ନେବି ବିପଦରେ ପଡ଼ିବି ତୋ ପାଇଁ, ବଞ୍ଚି ରହିବି—ଦିନ ରାତି ତୋତେ ଉତ୍ତର ଆକାଶରେ ଧ୍ରୁବତାରାଟି ପରି ଚାହିଁ ରହିବି—କଣ ଭୁଲିଗଲ କଥା ଗୁଡ଼ା ! ଫେଲ ହୋଇଛ ପୁଣି ପରୀକ୍ଷା ଦେବ !

 

ମୋର କଲମ ଆଉ ଚଳିବନି ଚାରୁ । ସେ ଧୈର୍ଯ୍ୟ ମୋର ତୁଟି ଯାଇଛି ।

 

ସେ ଦିନ କଥା ମନେକର—ପଢ଼ାରେ ମନ ନ ଲାଗିଲେ କୁହ—ତୁମେ ବସ ଚାରୁ—ତୁମର ଉପସ୍ଥିତିରେ ମୋର କଲମ ନୂଆଶକ୍ତି ପାଏ—ମୁଁ ଗଢ଼ିପାରିବି ଧରମା ପରି କୋଣାର୍କ ମନ୍ଦିର । ତୁମେ ଜାଣ ଚାରୁ—ସର ନବସିଲେ ଧରମା ନିହାଣ ଚାଲେନା—ଧରମା ଚାଲିଗଲା ଦୁନିଆର ଆର ପାରକୁ—ସର ରହିଗଲା ସେଇ ଧୂସର ପଲ୍ଲୀରେ—କିନ୍ତୁ ଯଶ ନେଲା କିଏ ।

 

ତୁ ବୁଝିନୁ—ଚାରୁ—ମୁଁ ସିନା ତୋ ପାଇଁ ବଞ୍ଚିରହିବି, କିନ୍ତୁ—ବାପା—ବୋଉ—ତୁ ଜାଣି କିଛି—ତୁ ବୁଝିନୁ ସଂସାର ତୁ ପିଲା ଲୋକ—ମୋତେ ଆଉ ବିରକ୍ତ କରନା ଚାରୁ !

 

ବୋଉ ଡାକିଲେ କଣ କିଲୋ ଚାରୁ । ସେ ମୋ ଆଡ଼କୁ ଚାହିଁଲା, ସତେ ଯେମିତି ବହୁତ ଆଶାକରୁଛି ମୋଠାରୁ ସେ ।

 

ନାଇଁ ମାଉସୀ, ଚନ୍ଦ୍ରଭାଇ ଭାରି ବ୍ୟସ୍ତ ହେଉଛନ୍ତି ! କାଇକି ? ଫେଲ ହେଲାତ, ପୁଣି ପରୀକ୍ଷା ଦେବ ବ୍ୟସ୍ତ କାଇକି ?

 

ଯାହା ହୋଉ ପିଣ୍ଡରେ ପ୍ରାଣ ପସିଲା—ଚାପାଗଳାରେ କହିଲି—ମୁଁ ବଞ୍ଚିରହିବି ଚାରୁ–ମୁଁ ବଞ୍ଚିରହିବି, ମନଲଗାଇ ପାଠପଢ଼ିବି—ତୋ କଥା ରଖିବି ଚାରୁ !

 

ମନରେ ହସ ଫୁଟି ଉଠିଲା ତାର । ଆନନ୍ଦରେ କୁଣ୍ଢାଇ ପକାଇଲା ସେ ! ଆଖିରୁ ଆନନ୍ଦରେ ଝରି ପଡ଼ୁଥିଲା, ଅଶ୍ରୁ ! ମୋର ଓସାରିଆ ଛାତିରେ ମୁଁହ ଗୁଞ୍ଜି କହିଲା ! ମୋ ଦେହ ଛୁଇଁ କହିଲ, ଆଉ କେବେ ଦୁଷ୍ଟାମି କରିବନିତ—

 

ଛୁଆଟି ପରି କହିଲା ନାଁ ?

 

ସେ ମୋ ଅଲରା ବାଳ ଗୁଡ଼ାକ ସଜାଡ଼ି ଦେଉଁ ଦେଉଁ କହିଲା ତୁମେ ଯାଇଥିଲେ ମୋର ଅବସ୍ଥା କଣ ହୋଇ ନଥାଆନ୍ତା ମୁଁ ଯାଉଛି, ବୋଉ ଖୋଜୁଥିବ ।

 

ଯାଅ !

 

ସେ ଚାହିଁଲା ମୋ ମୁହଁକୁ, ପୁଣି ଚାଲିଗଲା ଯେଉଁ ବାଟେ ଆସିଥିଲା, ମୁଁ ଚାହିଁ ରହିଲି ତା ଯିବା ବାଟକୁ—

 

—ଛଅ—

 

ସପ୍ଲିମେଣ୍ଟାରି ପରୀକ୍ଷା ଆଉ ଦୁଇମାସ ! ପଢ଼ା ପଢ଼ିରେ ମନଟାକୁ ହଜାଇ ଦେଇ ଥାଏ-! ଏଥର ଯେମିତି ହେଉ ନିଶ୍ଚୟ ପାସ୍‍ କରିବାକୁ ହେବ ! ବଇଶାଖମାସର ଖରା ଖଇଫୁଟାକରି ବିଞ୍ଚିହୋଇ ପଡ଼ିଥାଏ ! ପ୍ରଖର ଉତ୍ତାପ ! ଦିନ ୮ଟାରୁ ଗରମ ଆରମ୍ଭ ହୋଇଛି ! ଦାଣ୍ଡ ଘରେ ଚୌକି ପକାଇ ଖବର କାଗଜ ପଢ଼ୁଥାଏ ।

 

ଏ ରିକ୍‌ସା ରହ ଏଠି !

 

କାଗଜ ଉପରୁ ଆଖି ଫେରାଇଲି, ରିକ୍‌ସାରୁ ଓହ୍ଲାଇ ଆସିଲେ ଚାରୁ ସ୍ନିଗ୍‌ଧା ।

 

ଆମେ ପାସ୍‍ କରିଛୁ ଚନ୍ଦ୍ର ଭାଇ କହି କହି ପସି ଆସିଲା ସ୍ନିଗ୍‌ଧା !

 

ମୁଁ ଚାହିଁଲି ଚାରୁ ହସୁଛି—ସତେ ଯେମିତି ଗଡ଼ ଜିଣି ଆସିଛି ଆଜି । ମୁଁ କହିଲି ଦେଖି Progress Card ଟା କେମିତି ନମ୍ବର ରଖିଛୁ ।

 

ଦେଖୁନ—ତୁମ ଭଳିଆ କ’ଣ ଗଧ ହୋଇଛୁ !

 

ଚାହିଁଲି ଚାରୁ ଚୌକି ପଛରେ ଛିଡ଼ା ହୋଇ ହସୁଛି ! ପାସ୍‍ତ କଲ କଣ ଆମକୁ ଆଉ ମିଳିବ !

 

କ’ଣ ଅଛି ଯେ ଦେବି, ଯାହାତ ଦେବାର ଦେଇ ସାରିଛି !

 

ହସ ମାଡ଼ିଲା, ନାଇଁ କିଛି ଖାଇବାକୁ ମିଳିବତ,—

 

ହଁ ଦେଖିବା, କ’ଣ ତୁମ ଭଳିଆ ବଡ଼ ଲୋକ ହୋଇଛୁ ଆମେ !

 

ଛାଡ଼, ଦୁନିଆ ଜାଣୁଥିବ ଯେ, ଗଦାଧର ମାଜିଷ୍ଟ୍ରେଟଙ୍କର ଝିଅ ବଡ଼କି ଜଣେ କିରାନିର ପୁଅ—

 

ହଉ ଥାଉ—ମୁଁ ଯାଉଛି ପରେ ଆସିବି କହି ଚାଲିଗଲା ସେ—

 

ମୁଁ ଚାହିଁଲି ରିକ୍‌ସାଟା ଲୁଚିଗଲା ମୋର ଦୃଷ୍ଟି ପଥର ଅନ୍ତରାଳକୁ ! ମନଟା ଲାଗିଲାନି ପଢ଼ିବାରେ, ସମୟ ୧୧ଟା ହେବା ଉପରେ, ଖାଇବାକୁ ଚାଲିଲି !

 

ସମୟ ୪ଟା ହେବ, ମୁଁ ବସିଛି ଚାରୁର ଅପେକ୍ଷାରେ, ସେବି ତା କହିବା ଅନୁସାରେ ଗୁଡ଼ାଏ ମିଠା ଆଣି ପହଁଞ୍ଚିଲା । ବଡ଼ ଲୋକର ଝିଅ ସେ, କୋଉବା ପଇସାକୁ ତାଙ୍କର ଖାତିର ! କେତେ ସ୍ନେହରେ ବଢ଼ିଛନ୍ତି ସେମାନେ ! ବାପ ମାଙ୍କର ଦୁଇଟି ଝିଅ, ଘଡ଼ିଏ ନ ଦେଖିଲେ ଦେହ ଧରି ରହି ପାରନ୍ତିନି ?

 

କ’ଣ ଆପଣ ଆସିଗଲେ ?

 

ଆଜ୍ଞା, ଭାରି ତ ଖାତିର, କେଉଁଠୁ ଶିଖିଲ ଏତକ ! ହଉଖାଅ ପଛେ, ସେ ସବୁ !

 

ରୁମାଲଟା କାଢ଼ିଲି, ନାଁ ମୁଁ ଏତେ ଖାଇ ପାରିବି ନାହିଁ ।

 

ମୁଁ ତ କହୁନାହିଁ, ରୁହ ମୁଁ ଖୁଆଇ ଦେଉଛି, କହି ପାଟିରେ ପୂରାଇ ଦେଲା ଗୋଟିଏ ଲଡ଼ୁ-

 

ମୋର ଗୋଟାଏ କଥା ଅଛି ! ଯଦି ଶୁଣିବ ତ କହିବି !

 

ନଶୁଣିଲେ, ହଁ କେମିତି କହିବି !

 

ମୋ ଉପରେ କ’ଣ ବିଶ୍ୱାସ ନାହିଁ ?

 

ଅଛି ତ !

 

ତେବେ ହଁ, କହୁନ !

 

ହଁ !

 

କାଲି ଆମେ ମଉସା ଘରକୁ ଯାଉଛୁ ! ୪,୫ ଦିନ ପରେ ଫେରିବୁ । ମଉସାଙ୍କର ପୁଅ ବି ଆମ ସାଥିରେ ଆସିବ !

 

କିଏ ? ସୁର, କ’ଣ ସୁର ଭାଇପରି ନାଁ—ହେତ୍‌ ଭାରି ଦୁଷ୍ଟ ତୁମେ, ତାକୁ ମୋଟେ ୧୦ ବର୍ଷ ପରା—

 

ଯିବ ତ ମୋତେ କାହିଁକି ପଚାରୁଛ ! ନହେଲେ, ମୁଣ୍ଡ ବିଗିଡ଼ି ଯିବ—ସେୟାଡ଼ୁ ଫେରିଲା ବେଳକୁ ପାଟି ବନ୍ଦ, କିଏ ଏ ସବୁ ପାରିବ ବାବା ।

 

ତୁମେ ଏତେ ଦିନ ଗଲେ ମୁଁ ବଞ୍ଚିପାରିବିତ ପୁଣି ସେଇ ଅଲକ୍ଷଣା କଥା । ନାଇଁ କରିବତ ମୁଁ ମନା କରି ଦେବି, ଏତେ କାଇଁକି ମଁ !

 

ମନକୁ ଆସିଲା ପିଲା ଗୁଡ଼ାକର ସରାଗ ଭାଙ୍ଗିଦେବା ଭଲ ନୁହେଁ ! ଯାଉ ସେ ! ୪,୫ ଦିନ କ’ଣ ସେ ରହି ପାରିବନି ! ପୁଣି ୪ ଦିଗ ତାକୁ ଅନ୍ଧକାର ଦେଖାଗଲା, ନାଁ ନାଁ ସେ ଚାରୁକୁ ଛାଡ଼ି ପାରିବ ନାହିଁ । କିନ୍ତୁ ତା ଉପରେ ତା’ର କି ଅଧିକାର, ସବୁ ଦିନେ ଏମିତି ଅଟକାଇ ପାରିବତ-! ସେ ସିନା ହୋଇଛି ତା’ର କିନ୍ତୁ ତା’ର ବାପ—ମା’ଙ୍କ ମନ ବଦଳି ଗଲା—

 

ଚାରୁ !

 

ଉଁ,

 

ତୁମେ ଯାଅ ! ୪, ୫ ଦିନ ପରେ ନିଶ୍ଚୟ, ଡେରିକରିବ ନାହିଁ, ବୁଝିଲଟି !

 

ମନ ଦୁଃଖ କରୁଛ !

 

ନାଁ,

 

ମୋ ରାଣ !

 

ନାଁ—

 

ଆଛା ଯାଉଛି, ଶୁଣ, ଆଜି କବାଟଟା ଖୋଲା ରଖିଥିବ । ମୁଁ ଆସିବି, ବୁଝିଲ, ବହୁତ କଥା ଅଛି ! କହି କହି ଚାଲିଗଲାସେ—ମୁଁ ଦେଖୁ ଥିଲି ଚାରୁ ଲୁଚି ଗଲା । ସେଇ ଅଜଣା ବାଟରେ-

 

ରାତି ଏଗାରଟା ! ଚାରିଆଡ଼ ଶୂନଶାନ କେବଳ ନଈକୂଳ ରାସ୍ତାରେ ଖଣ୍ଡେ ଖଣ୍ଡେ ରିକ୍‌ସା ଯାଉଛି । ଗରମରୁ ରକ୍ଷା ପାଇବା ପାଇଁ କାଠଯୋଡ଼ିର ପଥର ବନ୍ଧ ଉପରେ କେତେ ଗୁଡ଼ିଏ ଲୋକ ନିଶ୍ଚିନ୍ତରେ ଶୋଇ ଯାଇଛନ୍ତି । ମୋର ଚକ୍ଷୁ ପଲକହୀନ, ମୁଁ ଅନାଇଁ ରହିଛ ଚାରୁର ପ୍ରତୀକ୍ଷାରେ । ଟେବୁଲ ଉପରେ ଘଡ଼ିଟା ଟିକ୍‌ ଟିକ୍‌ ଚାଲୁଛି କାହାକୁ ଅପେକ୍ଷା ନକରି । ଲ୍ୟାମ୍ପର ତେଲ ସରିଆସିଲାଣି, ହୁଏତ ଘରଟିକୁ ଆଉ କିଛି ସମୟ ପରେ ଅନ୍ଧକାର କରି ଆତ୍ମ ଗୋପନ କରିବ ଲ୍ୟାମ୍ପଟି । ଆଜି ଅମାବାସ୍ୟା ବାହାରେ ଜମାଟ ବନ୍ଧା ଅନ୍ଧକାର ! ଫୁଙ୍ଗୁଳା ଆକାଶରେ ତାରା ଗୁଡ଼ାକ ମିଟିକା ମାରି ଚାହିଁଛନ୍ତି । ବିରକ୍ତ ଲାଗୁଥାଏ ଏକାକୀ—

 

ସନ୍ତର୍ପଣରେ କବାଟଟି ଖୋଲି ଧୀର ପଦ କ୍ଷେପରେ ପ୍ରବେଶ କଲା ଚାରୁ—

 

କ’ଣ ବିରକ୍ତ ହେଉଥିଲ କି ? ଚାହିଁଲି, ଚାରୁର ଦେହ ସାରା ଜଡ଼ି ରହିଛି କଳା ଜର୍ଜେଟ-! ସରୁ ବେକରେ ପଥର ବସା ହାରଟି ଚକ୍‌ ଚକ୍‌ କରୁଛି । ସତେ ସ୍ୱର୍ଗରୁ ପରୀଟିଏ ଆସିଛି-! ଉଠି ଯାଇଁ ପାଛୋଟି ଆଣିଲି । ସେ ମୋ ନିକଟରେ ବସିଲା—ଚାରୁ—ତୁମକୁ ଚାହିଁ ଆଲୋକଟା ଲିଭିବା ଉପରେ ।

 

ସେ କହିଲା ଲିଭିଯାଉ, ଆଲୋକ ଅପେକ୍ଷା ଅନ୍ଧକାର ମନୋହର—

 

ଚାରୁ ! ତୁମେ ଆଜି ଭାରି ସୁନ୍ଦର ଦେଖା ଯାଉଚ ! ଏପରି ଅବସ୍ଥାରେ ଦେଖିଲେ କାହାର ବା ହିଂସା ନହେବ ।

 

ଥାଉ ସେ କଥା, ଅଯଥା ପ୍ରଶଂସା ମୋତେ ଭଲ ଲାଗେନା ଚନ୍ଦ୍ର ଭାଇ ।

 

ତୁମେ ସିନା ମୋ କଥା ଶୁଣୁନ ଚାରୁ, ହେଲେ; ତୁମକୁ ମୋର କରି ପାଇବା କଣ ଏ ହତଭାଗ୍ୟର କରମରେ ଅଛି !

 

ଚନ୍ଦ୍ର ଭାଇ, ତୁମେ ପାଠ ପଢ଼ିବ, ବଡ଼ ହେବ, ଇଚ୍ଛା ଅବା କରିଥିବ ସ୍ୱର୍ଗର ପରୀଟିଏ ପାଇ, ଜୀବନ ରଙ୍ଗୀନ କରିବ । କିନ୍ତୁ ମୁଁ ତୁମକୁ ଛାଡ଼ିଲେ ପାଇ ପାରିବି ନାହିଁ—

 

ଯଦି ବାପା ମା ରାଜି ନହୁଅନ୍ତି ! ମରିଯାଇ ପାରେ; କିନ୍ତୁ ଅନ୍ୟକୁ ନୁହେଁ...

 

ଛାଡ଼ ସେ କଥା, ଭାଗ୍ୟରେ ଯାହାଥିବ, ତାହାହିଁ ହେବ । ହେଲେ ଆଜି ର ଏ ଦୟା କାହିଁକି ?

 

କାଲିପରା ଚାଲିଯିବି !

 

ଓଃ ମନେରଖି ଦେଇ ଯିବ ନାଁ—

 

ଦିପ ଜଳି ଲିଭିଲା ପୂର୍ବରୁ ହୁ କରି ଜଳିଉଠି ପୁଣି ଲିଭିଯାଏ ! ଲ୍ୟାମ୍ପଟା ଯୋରରେ ଜଳି ଉଠିଲା; ମୁଁ ଚାହିଁଲି । ଚାରୁ ମୋ ନିକଟରେ ଶୋଇ ରହିଛି । ପଲଙ୍କ ଉପରେ ଛୁଆଙ୍କ ପରି ଗୋଡ଼ ଦୁଇଟା ହଲାଉଛି !

 

ଲ୍ୟାମ୍ପଟା ଲିଭିଗଲା—ଘର ତମାମ ଅନ୍ଧକାର !

 

ଚାରୁ !

 

ଉଁ,

 

ଅନ୍ଧାର ହୋଇଗଲା !

 

ଯାଅ ଶୋଇ ପଡ଼, ବହୁତ ରାତି ହେଲାଣି ! ସେଇ ନିର୍ଜନ ଅନ୍ଧକାରମୟ ପ୍ରକୋଷ୍ଠରେ ହଜିଗଲୁ ଆମେ ଦୁହେଁ—

 

—ସାତ—

 

ପହିଲି ଆଷାଢ଼ ! ଆକାଶରେ ଭାସିଯାଉଛି କଳାହାଣ୍ଡିଆ ବଉଦ ଖଣ୍ଡେ ଖଣ୍ଡେ ! ଚାହୁଁ ଚାହୁଁ ବହି ଆସିଲା ଦଲକାଏ ଥଣ୍ଡା ପବନ ମେଘର ସନ୍ଦେଶ ନେଇ ! ବାର ବୁଲା କଳା ବଉଦ ଗୁଡ଼ା ଏକାଠି ହୋଇଗଲେ, ଚାଲିଲା ଭୀଷଣ ବର୍ଷା ! ଆକାଶ ଚିରି ବିଜୁଳି ଚମକିଲା, ଘଡ଼ଘଡ଼ିର ପ୍ରଚଣ୍ଡ ଶବ୍ଦରେ ପୃଥିବୀ କମ୍ପିଉଠିଲା, ସତେ ଯେମିତି ଇନ୍ଦ୍ର ଦେବତା କୋପ କରିଛି ! ସୂର୍ଯ୍ୟ ଦେବତା ମେଘ କୋଳରେ ଲୁଚିଗଲେ, ପୃଥିବୀ ସାରା ଢାଙ୍କି ହୋଇ ଗଲା କଳା ଘିମିରି ପରଦା ! ମୁଁ ଚାହିଁଲି ଆଷାଢ଼ର ବର୍ଷଣ ମୁଖ ସନ୍ଧ୍ୟାଆଡ଼େ ।

 

ସନ୍ଧ୍ୟା ହେଲା, ଶରତଟା ଆସିଲା ନାହିଁ, ପ୍ରତିଦିନତ ପଳାଇ ଆସେ ! ଚାରୁ ବି ଏବେ ଆସିବା କମେଇ ଦେଇଛି, କୁନିଟା କଳିକରି ପାଟି ଫିଟୋଉନି, ନ ହେଲେ ପଠାନ୍ତା ଡାକିଆଣିବାକୁ, ମନ ସମ୍ଭାଳି ହେଲାନି ସ୍ଥିରକଲି, ଚାରୁକୁ ନିଜେ ଯାଇଁ ଡାକି ଆଣିବି ! ଛତାଟି ଧରି ବାହାରିଲି । ଏ କ’ଣ—ବର୍ଷା ଯୋଡ଼ୀ କବାଟ ବନ୍ଦ ! ଠିଆ ହେଲି ଡାକିବା ଉଦ୍ଦେଶ୍ୟରେ ! କାହାର ଚଢ଼ାଗଳାରେ ମୋ ଧ୍ୟାନ ଭାଙ୍ଗି ଗଲା—

 

ମୋ କଥା ଟିକେ ଶୁଣୁଛ ଚାରୁ ବୋଉ ! ଚମକି ପଡ଼ିଲି ମଉସା, କ’ଣ ଚାରୁକୁ ଗାଳି ଦେଉଛନ୍ତି—କାନ ଡେରି ଶୁଣିଲି—

ମାଉସୀ କହିଲେ କ’ଣ କହୁଥିଲ ପରା କହୁନ !

ଏଇ ଆମ ଚାରୁ କଥା ମଁ ! ଲୋକନାଥ ବାବୁ ଲଗାଇଛନ୍ତି ବାହାଘର କରିବା ପାଇଁ—

ମାଉସୀ କହିଲେ କ’ଣ ଝିଅର ବୟସ ୧୬ ନହେଉଣୁ ତୁମେ ଠିକ୍‌ କଲଣି ବାହାଘର ! ତା’ର ପିଲାଳିଆ ଅଭ୍ୟାସ ଛାଡ଼ିଲାଣିନାଁ ?

ତୁମେ କ’ଣ ଭାବିଛ ଚାରୁ ବୋଉ ସେ ତୁମଠାରୁ ହେଳା କରିବେ, ଝିଅ ଘିଅ, ଉଠାଇ ଦେଲେ ଗଲା, ପୁଅଟାତ ତାଙ୍କର B.A ପାସ୍‍ କରି ଏବେ Subregister ହୋଇଛି । ବୁଢ଼ା ତ ହେଲେଣି ବୟସ ଥାଉଁ ଟିକେ ଝିଅଜ୍ୱାଇଁ ଦେଖି ଯିବା । ଲୋକନାଥ ବାବୁ ସଦା ବେଳେ କହୁଛି ତା’ର ଝିଅଟି ହିଁ ଦରକାର !

ତମେତ ସବୁ ଠିକ୍‌ କରିଛ ମୋତେ କାହିଁକି କହୁଛ ! ଏସବୁ କେବେ ଠିକ୍‌ କଲମ—

ଏଇ ମାସରେ ହେବ ପରା—

ୟା କ’ଣ ସମ୍ଭବ ବୋଲି ଭାବୁଛଟି !

ଦୁନିଆରେ ଟଙ୍କାଥିଲେ, ଅସମ୍ଭବ ହୋଇ କିଛି ଅଛି ନାଁ !

ଝିଅର ଇଚ୍ଛାକି ନାଁ ବୁଝିଲଣି !

ତୁମେ ବିଭା ହେଲା ବେଳେ କ’ଣ ମୋତେ ନିଜ ଇଚ୍ଛାରେ ବିଭା ହୋଇଥିଲ । ଯେତେହେଲେ ଝିଅ ସେ, ତା’ର ପୁଣି କ’ଣ ଗୋଟାଏ—

ମାଉସୀ କହିଲେ ହେଉ ତୁମ ଇଛା ।

ଚାରୁ ବୋଉ ମୁଁ ଯାଉଛି ତେଣେ ପୁଣି କାମଅଛି ! ଆସନ୍ତା ତା ୧୨ ରିଖରେ ବିଭାଘର ଠିକ୍‌ କରିବାକୁ ଲୋକନାଥ ବାବୁଙ୍କୁ କହିଦେବି !

ଛାତିଟାରେ ହାତୁଡ଼ିଟାଏ କିଏ ପିଟି ଦେଲାପରି ଲାଗିଲା । ଶେଷ ତାରିଖ, ଆଉ ମୋଟେ ୧୦ ଦିନ ! ଚାହୁଁ ଚାହୁଁ ଦିନ ଗୁଡ଼ାକ କୁଆଡ଼େ ଗଡ଼ି ଯିବ । ତା ସାଥେ ସାଥେ ପ୍ରାଣର ଚାରୁ ତାର ଚାଲିଯିବ କାହିଁ କେତେ ଦୂର । ଯେଉଁ ଠାକୁ ଚାହିଁଲେ ଦିଶିବନି କି ଡାକିଲେ ଶୁଣାଯିବନି-। ବିବାହ, ହୃଦୟ ସହିତ ହୃଦୟର ବନ୍ଧନ । ଚାରୁ—ଅକାଳ ଧୂମକେତୁପରି ତାର ଜୀବନ ଆକାଶରେ ଦେଖା ଦେଇ ଲୁଚିଯିବ ପୁଣି । ସେଇ ନୀଳ ଆକାଶର ଆରପାରିରେ । ସେ ରୋକି ପାରିବନି—ନିଜର କରି ପାରିବନି, ଯାହା କରି ଯାଇଛି ସେହି ହେବ ତା ଜୀବନର ସମ୍ପଦ । ସେ ମନେପକାଇବ ତାର ଗୁଣ ଖାଇ ଆଖିରୁ ଲୁହ ଗଡ଼ାଇବ, କିନ୍ତୁ ସବୁ ଅଳୀକ । ଅତୀତ ଅତୀତ ସେହି ରହିଯିବ ।

ଚାରୁକୁ ସେ ଭଲ ପାଏ, ସମସ୍ତଙ୍କର ଅଜ୍ଞାତରେ ! ଚାରୁର ତାର ମିଳନହୁଏ ନିଜୀବ ପୃଥିବୀ ବୁଝେ, ନୀଳ ଆକାଶର ତାରା ଗୁଡ଼ାକ ଦେଖନ୍ତି କିନ୍ତୁ ସେମାନେ ପାଟି ଫିଟାନ୍ତିନି, ସହରର ବଜାର ଟୋକାଙ୍କ ପରି ସିଟି ମାରନ୍ତିନି, ଚନ୍ଦ୍ର ଅନୁଭବ କରେ, ଆଘାତ ପାଏ ପୁଣି ସୁନେଲି ସ୍ୱପ୍ନ ଆଙ୍କିବସେ—

ମନଟା ଦବି ଗଲା ଦୁନିଆଟା ବିଷପରି ଲାଗିଲା ତାକୁ । ନିଜର ସ୍ୱାର୍ଥନେଇ ସମସ୍ତେ ବ୍ୟସ୍ତ । ବାପା ବୋଉ ସମସ୍ତଙ୍କ ଉପରେ ରାଗ ହେଲା, ଏଇଥି ପାଇଁ କଣ ଏମାନେ ଖାଲି ଭଲ ପାଆନ୍ତି ।

ଚାରୁକୁ ଭଲ ପାଏ, ସବୁ ସମୟରେ ସବୁକହେ, ଚାରୁ ତାର ଅତି ଆପଣାର, ଭଲପାଇବାର ଶେଷପରିଣତ କଣ ବିଭାଘର କିନ୍ତୁ ତାର ବିଭାଘରରେ ଚାରୁ ଯଦି ସୁଖୀହୋଇ ପାରିବ, ତେବେ ସେ କାହିଁକି ତାର ଚଲା ପଥରେ କଣ୍ଟା ହେବ !

 

ଭାବନାରୁ ଫେରିଆସିଲି, କବାଟଟା ଫିଟାଇ ପଶିଆସିଲା ଶରତ—

 

ଚନ୍ଦ୍ର ଭାଇ ତମେ ଏଠି, ଚୁପ ହୋଇ କାହିଁକି ଠିଆ ହୋଇଛ ଆସୁନ ?

 

ନାଁ ଏଇତ ଆସିଲି ଏଇନେ, ଶୁଣିଲୁ ଟିକେ ଆଡ଼େ—

 

କଣ, ଦେଇକି ଡାକିଦେବି !

 

ମୋର ହଁ କି ନାହିଁକୁ ଅପେକ୍ଷା ନକରି ଦୌଡ଼ି ପଳାଇଲା ସେ, ମୁଣ୍ଡ ମୋର ଘୂରି ଯାଉଥାଏ ! ନିର୍ଜ୍ଜୀବ ପାଦଦୁଇଟାକୁ ଚଲାଇ ଚାଲି ଆସିଲି ଘରକୁ ! ଘରେ ନ ପହଞ୍ଚୁଣୁ ଚାରୁ ହାଜର !

 

ମୋତେ ଡାକୁଥିଲ !

 

ହଁ !

 

କାହିଁକି ଆଜି ବିରସ୍‌ ଦେଖା ଯାଉଛ, କ’ଣ ହେଲାକି ତୁମର ?

 

ସନ୍ଦେହି ମନ ପାପ ଛୁଇଁଲା, ସତେକଣ ମୋ ମନକଥା ଆଉ ସେ ଜାଣିଲା କି ? ମିଛରେ କହିଲି ମୋ ମୁଣ୍ଡଟା ଟିକେ ବିନ୍ଧୁଛି ।

 

କ’ଣ ଚିପି ଦେବି କି ?

 

ଦରକାର ନାହିଁ !

 

ତେବେ କାହିଁକି ଡାକିଥିଲ !

 

ଅନ୍ୟକାମ ଅଛି !

 

ଚୁପ୍‌ ହୋଇ ବସିରହିଲା ସେ, ମୁଁ ଆରମ୍ଭ କଲି, ମୋ ଜୀବନର ପ୍ରଥମ ଭୁଲ ଆରମ୍ଭ ହୋଇଛି କେବେଠୁ ଜାଣ ଚାରୁ !

 

କ’ଣ କହୁଛ ତୁମେ !

 

ଜାଣନି, ଜାଣିବା ବି ଦରକାର ନାହିଁ, ସୁଖର ଦିନ ଚାଲି ଯାଇଛି ଚାରୁ, ଏଣିକି ହେଲା ଦୁଃଖ ଆରମ୍ଭ, ଦୁଃଖ ସୁଖ, ନ ଆସିଲେ, ଜୀବନଟା ଲଙ୍ଗନ୍‌ ଲାଗେନା—କିନ୍ତୁ ମୁଁ ଭାଙ୍ଗି ପଡ଼ିଛି ଚାରୁ !

 

ଏ କ’ଣ କହୁଛ ତୁମେ ଚନ୍ଦ୍ର ଭାଇ, ଏଁ ତୁମ ଦେହରେ ଭୀଷଣ ତାତି, ଜର ହେଲାଣି ଶୋଇ ପଡ଼ !

 

ନାଁ, ନାଁ, ମୋତେ ଛାଡ଼ ଚାରୁ, ମୁଁ ବଞ୍ଚିରହିବାକୁ ଚାହେଁ ନି, ବରଂ ଜୀବନଟା ଚାଲିଗଲେ ଭଲ ! ମୁଣ୍ଡ ମୋର ଘୂରାଇ ଦେଲା, ମୁଁ ଜାଣେନି କେତେବେଳେ ମୋର ଚେତା ହଜିଗଲା ! ୫ ମିନିଟ୍‌ ପରେ ଚେତା ଫେରିଲା, ଦେଖିଲି ଚାରୁ ବିଞ୍ଚୁଛି ଦୁଇ ଆଖିରୁ ବହି ଯାଉଛି ଲୁହଧାର ।

 

ତୁମେ ଶୋଇ ପଡ଼, ଦେହଖରାପ ଲାଗୁଛି ପରା ।

 

ଛାଡ଼ ଚାରୁ, ତୁ ଯା ମୁଁ ଟିକିଏ ଶାନ୍ତିରେ ମରେ ! ଏ ଦେହରେ ଟିକିଏ ଜୀବନ ଥିବା ଯାଏ ଅମାନିଆ ମନଟା । ଧାଇଁ ଯିବ କେତେ ଅମଡ଼ା ମାଡ଼ି କାହିଁ କେତେ ଦୂର । କିନ୍ତୁ ପାଇବି କଣ–ଚାରୁ–ମରିଚିକା ପଛରେ ଗୋଡ଼ାଇ କେବେ କଣ କେହି ଜଳର ସନ୍ଧାନ ପାଇଛି, ନାଁ ବରଂ ତତଲା ବାଲିରେ କଲରବଲର ହୋଇ ଶେଷ ନିଶ୍ୱାସ ଛାଡ଼ିଛି ! ସେ ଶାନ୍ତି ସରିନି, ତତଲା ବାୟୁମଣ୍ଡଳ ବିଷାକ୍ତ କରି ଦେଇଛି, କିନ୍ତୁ କାହିଁ ଅଶାନ୍ତିରେ କଣ ମୋ ଜୀବନଟା ଯାଉଛି—ତୁ ସେଦିନ ମୋତେ ବଞ୍ଚାଇ ଭୁଲ କରିଛୁ ଚାରୁ—ତୁ ଚାଲି ଯା—ମୋତେ ମରିବାକୁ ଦେ ।

 

ଚାରୁ ଆଖିରେ ଲୁହ—କଣ ତୁମେ ପାଗଳ ହୋଇ ଗଲ ଚନ୍ଦ୍ର ଭାଇ !

 

ନାଁ ମୁଁ ପାଗଳ ନୁହେଁ, ଦୁନିଆ ମୋତେ ଆଜି କରିଛି ପାଗଳ—ମୁଁ ମନୁଷ୍ୟ, କିନ୍ତୁ ମନୁଷ୍ୟ ହୋଇ ବଞ୍ଚିବାର ମୋର ଅଧିକାର ନାହିଁ । ତେବେ ସେ ବଞ୍ଚିବାରେ କି ଲାଭ ଚାରୁ । ହୋଇ ଚାଁ, ମନୁଷ୍ୟ ଚାହୁଁଛି ମନୁଷ୍ୟର ସର୍ବନାଶ, ଧୁ ଧୁ ହୋଇ ଜଳିଉଠୁଛି ସର୍ବଗ୍ରାସି ନିଆଁ—ମୋତେ ପୋଡ଼ି ଦେବ—ଜାଳିଦେବ—ପାଉଁଶ କରିଦେବ—ମୁଁ ଭୁଲ୍ କରିନି ଚାରୁ—ତୁ ବି ଭୁଲ୍ କରିନୁ । ଭୁଲ୍ କରିଛି ଏଇ ମନୁଷ୍ୟର ଗଢ଼ା ସମାଜ—ଏଇ ଶିକ୍ଷା—ବଡ଼ହେବାର ବାସନା !

 

ଶରତ ପଶି ଆସିଲା, ହାତରେ ଖଣ୍ଡେ ଚିଠି ।

 

ଦେଇ, ଏ ଚିଠି ଟା ଚନ୍ଦ୍ର ଭାଇଙ୍କ ସାଙ୍ଗ ଦେଇ ଗଲେ, କହିଲେ ଜରୁରୀ ଦେବ !

 

ରବିନ୍ଦ୍ର !

 

କଣ ଦେଇ !

 

କିଛି ବରଫ ନେଇ ଆସି ପାରିବୁ ।

 

ହଁ କଣ ଚନ୍ଦ୍ର ଭାଇଙ୍କ ଦେହ ଖରାପ କି !

 

ହଁ ନେଇଯା ପଇସା ।

 

ପଇସା ନେଇ ପଳାଇଲା ଶରତ, ମୁଁ କହିଲି ଚିଠିଟି ପଢ଼ ଚାରୁ । ସେ ପଢ଼ିଲା ।

 

ପ୍ରିୟ ଚନ୍ଦ୍ର

 

ତୁ ସପ୍ଳିମେଣ୍ଟାରି ପରୀକ୍ଷାରେ ୨ୟ ଶ୍ରେଣୀରେ ପାସ୍‍ କରି ଯାଇଛୁ । ମୋ ମାମୁଁ ଟାବୁଲେଟର ହେତୁ ତୋତେ ଏ ଶୁଭଖବର ଆଗ ଜଣାଇ ଦେଲି, ଆସନ୍ତା ରବିବାର ଖବର କାଗଜ ଦେଖି ମନ ସନ୍ତୋଷ କରି ଖାଇବା ପିଇବାର ଯୋଗଡ଼ କରିବୁ । ଏତିକିରେ ରହିଲି ।

 

ଇତି

ତୋର ସାଥି ନିତ୍ୟାନନ୍ଦ

 

ଚନ୍ଦ୍ର ହସିଲା ମନଖୋଲା ହସ । ମୁଁ ପାସ୍‍ କରିଛି ଚାରୁ କିନ୍ତୁ କାହିଁକି ଦୁଃଖ ସମୟରେ ସୁଖର ଖବର !

 

ଦେହ ଭଲ ହେଲେ ଖାଇବାକୁ ଦେବ ତ ! ନିଶ୍ଚୟ, କିନ୍ତୁ ଏଥର ମୁଁ ମୋ ସୁଖରେ ଏକା ହସିବି, ଏକା ଖାଇବି, ଏକା କାନ୍ଦିବି, ଆଉ ଦୁନିଆରେ ମୋ ପାଇଁ କେହି ନଥିବେ !

 

ଶରତ ପଶି ଆସିଲା ବରଫ ନେଇ । ଆଣିଲୁ, ଯା ସୁନା ଭାଇଟା ପରା ଘରୁ ବ୍ୟାଗଟା ନେଇ ଆସିବୁ ।

 

ନିମିଷକ ମାତ୍ରକେ ରବି ନେଇ ଆସିଲା । ବ୍ୟାଗରେ ବରଫ ଦେଇ ଚାରୁ ଚାହିଁଲା, ଶୋଇପଡ଼ । ମୁଁ ବରଫ ମଥାରେ ଦେଉଛି ।

 

କ’ଣ ହେଲା ଦେଇ !

 

ନାଁ କିଛି ନୁହେଁ, ତୁ ଯା ଖେଳିବୁ । ହଉ କହି ଚାଲିଗଲା ରବି । କିଛି କ୍ଷଣ ପରେ ସେ ଫେରି ଆସିଲେ ହୋଷକୁ । ବରଫର ଥଣ୍ଡା ପରଶରେ ସଚେତ୍‌ ହୋଇ ଉଠିଲା ଚନ୍ଦ୍ର !

 

ଚନ୍ଦ୍ର ଚାହିଁଲା ଚାରୁ ସେତିକି ବେଳୁ କାନ୍ଦୁଛି—ତା ଦୁଃଖରେ ମନଟା ଭାଙ୍ଗି ପଡ଼ିଲା, ସତେତାର ଦୁଃଖରେ ସେ ବି ଦୁଃଖିନୀ—ମନ ହେଲା କହି ଦେବ, ଚାରୁ କାହିଁକି ଏ ମମତା ! ତୁମେ କ’ଣ ଆଉ ରହିବ ଚାରୁ, ଆଉ କିଛି ଦିନପରେ ଚାଲିଯିବ ପରଘରକୁ । ତୁମର କର୍ତ୍ତବ୍ୟ ଅଦୂରେ ହାତଠାରି ଡାକ ଦେଉଛି । ତୁମେ ଚାଲିଯିବ ତୁମର କର୍ମ ସ୍ଥଳକୁ । କିନ୍ତୁ ମୁଁ ପଡ଼ିରହିବି ଏକାକୀ ! ସେଇ ଅଭୁଲା ସ୍ମୃତିକୁ ନେଇ । ତୁମେ ତାର ପ୍ରତିରୋଧ କରି ପାରିବ ନାହିଁ ଚାରୁ—ନାରୀ ଚିରଦିନ ଦୁର୍ବଳା ! ଚାହିଁଲି ଶେଫାଳି ପରି ଭାଙ୍ଗିପଡ଼ିଛି ସେ, ମଥାଉପର ଅଲରା ବାଳ ଗୁଡ଼ାକ ସଜାଡ଼ି ଦେଇ କହିଲି ଚାରୁ—ସତେ ମୁଣ୍ଡଟା ମୋର ବିଗିଡ଼ି ଯାଇଥିଲା—ଏବେ ଠିକ୍‌ ଅଛି । ତୁମେ କାନ୍ଦନା ଚାରୁ, ତୁମେ କାନ୍ଦିଲେ ମୋ ମନରେ ଦୁଃଖ ହେବ !

 

ପଣତ କାନିରେ ଲୁହ ପୋଛିଲା ସେ । ଚନ୍ଦ୍ର ଭାଇ ! ମୋରାଣ, ମନେ କର ଚାରୁ ମରିଯାଇଛି ! କୁହ, କାହିଁକି ତୁମ ମନରେ ଦୁଃଖ ହେଲା ?

 

—ନାଇଁ କିଛି ନୁହେଁ ଚାରୁ, ସେ ମୋର ଗୋଟିଏ ଦୁର୍ବଳତା!

 

ନାଁ ମୋତେ ଭୁଲାଇ ଦେଉଛ ନାଁ, ମୁଁ ତ କେବେ ଦେଖିନି ତୁମକୁ ଏମିତି ହେବାର, ପରୀକ୍ଷାରେ ଫେଲ୍ ହେଲ, ହସି କଥା କହିଛ, କିନ୍ତୁ.... ଛାଡ଼ ଏବେ ତ ପାସ୍‍ କରିଛ, College ଖୋଲିଲେ Collegeରେ ନାମ ଲେଖାଇବ ! କେତେ ନୂଆ ନୂଆ ସାଥିପାଇ ପୁରୁଣାକୁ ଭୁଲି ଯିବ ! କିନ୍ତୁ ମୁଁ...

 

ତୁ ସବୁ ଦେଇ ଯାଇଛୁ ଚାରୁ, ତୋତେ ଦେବାକୁ, ମୋର ହିଁ କିଛି, ନାହିଁ, ବରଂ ଜୀବନ ସାରା ଭାବିବାକୁ ରହି ଯାଇଛି ଅନେକ କିଛି ! ଜୀବନ ସଂଗ୍ରାମରେ ଯୁଦ୍ଧ କରିବାକୁ—ସେ ଶକ୍ତି ଆଉ ନାହିଁ, କର୍ପୂର ଉଡ଼ିଯାଇ ପଡ଼ିରହିଛି କନା ଖଣ୍ଡିକ—

 

ସୁଖ ପରେ ଦୁଃଖ ଆସେ ! ଦରିଦ୍ରର ଜୀବନ ଉପର ଦେଇ ଧନୀକ କରେ ଉପହାସ ! ଅଭିଶପ୍ତର ଜୀବନ ନେଇଁ ଗରିବ ଆଗେଇ ଯାଏ ତା’ର କର୍ମଭୂଇଁ ଉପରକୁ, କିନ୍ତୁ ପାଏ କ’ଣ ଜାଣ ଚାରୁ—ପ୍ରତି ପଦେ ପଦେ ଲାଞ୍ଚନା—ସେ ସହିଯାଏ—ଛାତିକୁ ପଥର କରେ, କିନ୍ତୁ ତା ଦୁଃଖ କେହି ବୁଝନ୍ତିନି !

 

ଥାଉ ସେ କବିତା, କୁହ କ’ଣ କଥାଟା !

 

ତୁମେ ତାହାହେଲେ ଶୁଣିବ ଚାରୁ—ଶୁଣିଲା ପରେ ରହିବ ତ । ଇଚ୍ଛା ଯେତେ ବେଳେ ଶୁଣ—ମୁଁ ଯଦି କହେ ତୁମେ ଚାଲି ଯାଉଛ ବହୁତ ଦୂରକୁ, ଯେଉଁଠାକୁ ମୋର ଆଖି ପାଇବନି, ଡ଼ାକ ଶୁଗିବନି....

 

.....ଛତୁ ଗୁଡ଼ !

 

ମୁଁ ଜାଣେ ମୋ କଥାର ଗୁରୁତ୍ୱ ତୁମେ ନେବନି, ଖାଲି ହସି ଉଡ଼ାଇ ଦେବ ! ତେବେ ସିଧା ସଳଖେ କହୁଛି ବାପା ତୁମର ବିଭାଘର ଠିକ୍ କରିଛନ୍ତି !

 

କ’ଣ ସତ କହୁଛ; ମୋ ରାଣ ମୋ ଦେହ ଛୁଇଁଲ,—କାହିଁ ବାପାତ ଏକଥା ମୋଟେ ମୋତେ ଘରେ କହିନାହାନ୍ତି !

 

ଗଦାଧର ବାବୁ ଏତେ ଓଲା ନୁହଁନ୍ତି ଚାରୁ, ସେ ଚାହାଁନ୍ତିନି, ଝିଅର ମତା ମତ ! ନାରୀ ଚିର କାଳ ଅବହେଳିତ । ତା’ର ଆସନ ପୁରୁଷ ନିକଟରେ ବହୁ ତଳେ—

 

ଝଡ଼ପରି ଛୁଟିଲା ଚାରୁ । ଚକ୍ଷୁ ଯୁଗଳରୁ ନିର୍ଗତ ହେଉଥିଲା ବିପ୍ଳବର ବହ୍ନି । ସେ ଆଜି ଚାହେଁ ସମାଧାନ ! ବିବାହ ଜୀବନ ସହିତ ଜୀବନର ବନ୍ଧନ । ପିଲା ଦିନର ଧୂଳି ଖେଳଠାରୁ ସମ୍ପୂର୍ଣ୍ଣ ଭିନ୍ନ । ବାପାଙ୍କର ଗୋଟାଏ ଖିଆଲ ହଁ, ଚାରୁର ଜୀବନକୁ କରି ଦେଉଛି ଓଲଟ ପାଲଟ ।

 

ଦାଣ୍ଡଘରୁ ବାପା ଡାକିଲେ ଚାରୁ—ସବୁ ଆଶା ତାର କେଉଁ ଆଡ଼େ ମିଳାଇ ଗଲା ! ଦେହଟା ଅଜଣା ବିପଦ ଆଶଙ୍କାରେ ବରଡ଼ା ପତ୍ର ପରି ଥରିଉଠିଲା—ସେ ଜାଣେ ବାପାତାର କେତେ ରାଗି !

 

କଣ ବାପା—

 

ଶୁଣିଯା ମା—

 

ଚାରୁ ଚାହିଁଲା ବୋଉ, ବାପା କଚେରୀ ଘରେ ବସି ଗପରେ ବ୍ୟସ୍ତ ! ତାକୁ ଜଣା ପଡ଼ୁଥାଏ, ସତେ ଯେମିତି କେଉଁ ଅଜଣା ଯମ ଦୂତ ଆଜି ତାର ବିକଳରେ ଶେଷ ନିଷ୍ପତ୍ତି ପାଇଁ ଦଣ୍ଡାୟମାନ ।

 

ଧୀର ପଦରେ ସେ ଦମ୍ଭଧରି ଠିଆହେଲା । ବାପା କିଛି ନ କହୁଣୁ ବୋଉ ଆରମ୍ଭ କଲା–ଶୁଣୁଲୋ ଚାରୁ—ତୋର ବିଭାଘର ବାପା ଠିକ୍‌ କରିଛନ୍ତି । ଚାରୁ କଣ, ଉତ୍ତର ଦେବ । ପାଟିତାର ଖନିମାରି ଗଲା, ବାପାଙ୍କର ପ୍ରଶ୍ନର ଉତ୍ତର ଦେଇ ପାରିବ ତ ! ନା ଦୁର୍ବଳ ସେ । ଚନ୍ଦ୍ର ଭାଇ ଠିକ୍‌ କହୁଥିଲେ, ସ୍ନେହ ଓ ମମତା ନିକଟରେ, ତୁମେ ହାର ମାନିବ ଚାରୁ, ସୁନା ପିଲାଟି ପରି ହଁ କରିବା ଛଡ଼ା ନାହିଁ କରିବନି ।

 

କଣ, କହୁନୁଁ—

 

ବାପା ପରା ବସି ରହିଲେ, ଆମେ କଣ ତୋତେ ଜାଣି ଶୁଣି ନିଆଁକୁ ପେଲି ଦେଉଛୁ ।

 

ଲୋକନାଥ ବାବୁ ଭାରି ଭଲ ଲୋକ ! ବରଟି ତ ଗୋଟିଏ ଚାଉଳରେ ଗଢ଼ା, ମାଛିକୁ ମଁ କହେନି ! ତୁ ତ ସୁଖଃରେ ଘର ସଂସାର କରିବୁ ! ବେଶି ତ ଦୂର ନୁହେଁ, ଚଉଧୂରୀ ବଜାର । ଡାକି ଦେଲେ ଶୁଣାଯିବ । ଇଚ୍ଛା ହେଲେ ଆସୁଥିବୁ ଯାଉଥିବୁ !

 

ମନର କୋହ ମନରେ ଚାପିରଖି ଠିଆହେଲି । ପାଟିରୁ ପଦେ ହେଲେ କଥା ବାହାରିଲା ନାହିଁ ! ଖାଲି ଭାବୁଥାଏ, ତାଙ୍କର କଥା ! କଣ ନ ହେବେ ସେ—ସାହସ କଲି କହି ଦେବି, ବିଭାଘର ହେବନି ? କିନ୍ତୁ ବାପା — ଯଦି ରାଗନ୍ତି ସେ ! ସାହସ ବାନ୍ଧି କହିଲି, ମାଟ୍ରିକ୍‌ ଟା ପାସ କରି ଥିଲେ !

 

ବୋଉ ମୋ କଥାକୁ କାଟି ଦେଲେ, ଝିଅ ପିଲା ଯେତେ ପାଠ ପଢ଼ିଲେ ଚୁଲି ମୁଣ୍ଡକୁ । ବିଭାଘର ପରେ ପଢ଼ିବୁନି ?

 

ବାଧ୍ୟରେ ଚୁପ୍‌ ହେଲି— !

 

ବାପା ଉଠି ଚାଲି ଗଲେ କାମର ବାହାନା ନେଇ, ବୋଉ ବି ଉଠିଗଲା, ମୋର ମନା କରିବାକୁ ସାହସ ଖଟିଲାନି ! ମନଟା ମୋର ଅନାଗତ ବ୍ୟକ୍ତିଙ୍କ ପାଇଁ ଗୋଳେଇ ଘାଣ୍ଟି ହେଲା—ଯାହା ହେବାର ଥିଲା ହେଲା । ଆଉ ଭାବି ଲାଭ ବା କଣ ?

 

ସ୍ନିଗ୍‌ଧା ଧାଇଁ ଆସିଲା, କ’ଣ ଦେଈ, ବାହାଘରଟି !

 

ସ୍ନିଗ୍‌ଧାର କଥା ପଦକ ଛୁରି ମାରିଲା ପରି ଲାଗୁଥାଏ, କିନ୍ତୁ ତାକୁ ଗାଳି ଦେବାର ପରିସ୍ଥିତିରେ ମୁଁ ନଥାଏ । ମନଟା ଗୋଳେଇ ଘାଣ୍ଟି ହେଉ ଥାଏ ଚନ୍ଦ୍ରଭାଇଙ୍କ ପାଇଁ ! ତାଙ୍କର ଜୀବନଟା କ’ଣ ନହେବ ! ଏକ ବାଗିଆ ସେ ! ଯାହା ବୁଝିଥିବେ ସେଇଆ ! ଖାଲି ଶୁଣିତ ଏତକ–ପୁଣି ବିଭାଘରତ ଅଛି !

 

ପୁଝାରିଟା ଡ଼ାକ ଛାଡ଼ିଲା ଖାଇବ ଆସ ଦେଈ— !

 

—ଆଠ—

 

ପୁରୀ ବଡ଼ ଦାଣ୍ଡ ! ଜଗନ୍ନାଥଙ୍କର ଦର୍ଶନ ପାଇଁ ଧାଇଁଛନ୍ତି ଅସୁମାରି ଜନତା ! ଚନ୍ଦ୍ର ଚାହିଁଲା, କାହିଁ କେତେ କାଳର ଓଡ଼ିଆ ରାଜାଙ୍କର କୀର୍ତ୍ତି ବଡ଼ ଦେଉଳ ସଗର୍ବେ ଆକାଶ ଚୁମ୍ବନ କରୁଛି ! ଦଧିନଉତି ଉପରେ ପତିତପାବନ ବାନା ଫର୍‍ ଫର୍‍ ହୋଇ ଉଡ଼ୁଛି । ଲକ୍ଷ ଲକ୍ଷ ଯାତ୍ରି ଜଗନ୍ନାଥଙ୍କର ଉଦ୍ଦ୍ୟେଶ୍ୟରେ ମୁଣ୍ଡ ନୁଆଁଉଛନ୍ତି । ସତେ କ’ଣ ଭଗବାନ ଡାକ ଶୁଣୁଛନ୍ତି !

 

ରାତି ପାହିଲେ ଚାରୁର ବିଭାଘର ! କିନ୍ତୁ ସେ ଆଜି ଲକ୍ଷ୍ୟହୀନ ଭାବରେ ଘୂରି ବୁଲୁଛି ପୁରୀ ବଡ଼ଦାଣ୍ଡରେ । ରାତି ପାହିଲେ ଚାରୁ ଚାଲି ଯିବ ଘରସଂସାର କରି, କିନ୍ତୁ ସେ ଆଜି ବସି ଭାବୁଛି ଅତୀତ ଜୀବନର ଅମର କାହାଣୀ !

 

ବାବୁ ଦର୍ଶନକୁ ଯିବେ ଆଜ୍ଞା ! ଜଗନ୍ନାଥଙ୍କର ପୂଜା ପଣ୍ଡା, ଚାହିଁ ରହିଛି ତାରି ଉଦ୍ଦେଶ୍ୟରେ ! ଜଗନ୍ନାଥଙ୍କର ଦ୍ୱାହିଦେଇ କିଛି ରୋଜଗାର କରି ନେବ ସେ । ମନଟା ଚନ୍ଦ୍ରର ଚିଡ଼ି ଉଠିଲା, ଏଇ ମାନେ ପୁଣି ଜଗନ୍ନାଥଙ୍କର ସେବକ । ଠାକୁର, ଠାକୁର ହୋଇ ନାହାନ୍ତି । ନ ହେଲେ ଏମାନେ ମିଛ କହି ପଇସା ରୋଜଗାର କରନ୍ତେ !

 

କ’ଣ ଯିବେ ଆଜ୍ଞା, ଏଇ ଆଳତି ଆରମ୍ଭ ହେଲାଣି !

 

ନାଁ, ପଇସା ଦରକାର ତ ନିଅ, ମୋର ଯିବା ହେଲେ, ମୁଁ ଯାଇଁ ନିଜେ ଦେଖି ଆସିବି । ତୁମର କୌଣସି ଦରକାର ନାହିଁ । କହି ବଢ଼ାଇ ଦେଲି ଦୁଇ ଅଣା ।

 

ଭଗବାନ ମଙ୍ଗଳ କରନ୍ତୁ । କହି, ମିଶିଗଲା ଗହଳି ମଧ୍ୟରେ । ନୂଆ ଗରାଖ ଉଦ୍ଦେଶ୍ୟରେ ।

 

ଶ୍ରୀକୃଷ୍ଣ ସିନେମା ଆଡ଼େ ଆଗେଇଲି ! ପିଲାଦିନୁ ସିନେମା ଦେଖା ମୋର ବଡ଼ ସ୍ୱଭାବ-! ମନଟା ବ୍ୟସ୍ତ ଲାଗୁଥାଏ, ଭାବିଲି ଖେଳଟା ଦେଖିଲେ ମନରେ ପରିବର୍ତ୍ତନ ଅବା ଆସି ପାରେ ଛବିଟି ଥାଏ ‘‘ଏକ ଗାଁଓକି କାହିନୀ’’ । ଖେଳଟି ଆରମ୍ଭ ହେଲା, ସବୁଖେଳପରି ନାୟକ ନାୟୀକାଙ୍କର ମିଳନ ପରେ, ଆରମ୍ଭ ହେଲା ବିଚ୍ଛେଦ, ବିରହ ଛବି ଦେଖିବାର ଅବସ୍ଥାରେ ମୁଁ ନଥିଲି, ବାଧ୍ୟ ହୋଇ ଉଠି ଆସିଲି ଧର୍ମ୍ମଶାଳା ! କଷ୍ଟେ ମଷ୍ଟେ ଏ ଦିନ କଟିଗଲା ! ମନରେ ଆସୁଥାଏ ଗଲା ଦିନ ଆଉ ଫେରି ଆସିବନି ! ଟଙ୍କାବି ସରି ଆସି ଥାଏ ବାଧ୍ୟ ହୋଇ ଫେରିଲି ଘରକୁ ।

 

+ + + +

 

୪ଟା ବେଳ ! ଛାତଉପରେ ବୁଲୁଛି, ମାଉସୀ ଦେଖାହେଲେ ! ମୁଁ ଲୁଚି ଯିବାକୁ ଚେଷ୍ଟା କଲି ମାତ୍ର ପାରିଲିନି !

 

ମାଉସୀ ଆରମ୍ଭ କଲେ—

 

କିରେ, ତୁ ଚାରୁ ବିଭାଘର ବେଳକୁ କୁଆଡ଼େ ଚମ୍ପଟ୍‌, କେତେ ମନକଷ୍ଟ ନ କଲା ସେ—

 

ମନରେ ଭାବିଲି, ସେ ଯଦି ବୁଝି ଥାଆନ୍ତେ । ଏତେ ଘଟଣା ଘଟି ନଥାନ୍ତା, କଥା ବାଁରେଇ କହିଲି ମୋର ପରା ଖୁବ୍‌ ଦରକାର କାମ ଥିଲା ମାଉସୀ !

 

ତୁମ ଇଛା ପୁଅ, ଆଜିକାଲି ଯୁଗରେ ଆମକଥା ମାନୁଛି କିଏ—

 

ମାଉସୀ ଚାଲି ଗଲେ, ମୁଁ ଚାହିଁଲି ଚାରୁ ବିନା ଘରଟା ଯେମିତି ଖାଁ ଖାଁ ଗୋଡ଼ାଉଛି ।

 

ଚନ୍ଦ୍ର ଭାଇ !

 

ଶରତ,

 

ସେ କେତେ ବେଳୁ ଆସି ଠିଆ ହୋଇଛି, କିରେ କୁଆଡ଼େ ତୁ—ଚିଠିଟା ବଢ଼ାଇ ଦେଲାସେ—ମୋତେ ପଚାରିବାକୁ ପଡ଼ିଲାନି କିଏ ଦେଇଛି—

 

ହୃଦୟର ଦେବତା,

 

ପ୍ରଣତି ନେବ ! ମୁଁ ଭାବିନଥିଲି ଆମ ଜୀବନରେ ଏତେ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି-! ଅଜଣା ଝଡ଼ ଯେ, ଅଚାନକ ଭାବରେ ଆମ୍ଭ ଦୁଇଙ୍କୁ ଡେମ୍ଫ ଚୂତ କରିବ ମୁଁ କଳ୍ପନାରେ ସୁଦ୍ଧା ଆଣିନଥିଲି ! ଜୀବନ ସଂଗ୍ରାମରେ ତୁମେ ଜିତିଗଲ । ବିଜେତାର ପଟୁଆର ନେଇ ତୁମେ ଦୂରେଇ ଗଲ ! ଭାବିପାରୁନି ତୁମ ମନରେ କି ଦୁଃଖ ହୋଇଥିବ । ତୁମେ କହିଥିବା କଥା ଠିକ୍‌ ହେଲା !

 

ଚନ୍ଦ୍ର ଭାଇ, ଅଭିଶପ୍ତ ଜୀବନଟାକୁ ନେଇଁ ଯାଉଛି ବହୁଦୂର, ଯେଉଁଠାରେ ଅଜଣା ହାତର ଇଙ୍ଗିତ ରହିଛି ! ଦୁଇଟି ଆତ୍ମାକୁ ଏକ ସଙ୍ଗରେ ଭଗବାନ ଗଢ଼ିଥିଲେ ରକ୍ତମାଂସ ଦେଇ, ଏବେ ଗୋଟିଏ ଛାଡ଼ି ଚାଲି ଯାଉଛି ବହୁଦୂର !

 

ଚନ୍ଦ୍ର ଭାଇ, ରକ୍ତ ମାଂସ ଗଢ଼ା ଦେହଟାକୁ ସିନା ସେମାନେ ନେଇ ଯାଇଛନ୍ତି କିନ୍ତୁ ମନଟା, ତୁମକୁ ଛାଡ଼ି ରହି ପାରୁନାହିଁ ! ମୁଁ ଭାବିନି, ଅତୀତ ଜୀବନଟାକୁ ଖିନିଭିନ୍‌ କରି ମନେ ପକାଇବି, କିନ୍ତୁ—ହେ ଦେବତା—ଗଲା ଦିନ ଆଉ ଫେରି ଆସିବନି । ତୁମେ ପୋଡ଼ା କପାଳି ଚାରୁକୁ ଭୁଲି ଯିବ ! ତୁମେ ପାଠ ପଢ଼ି ବଡ଼ ହୁଅ ଏହାହିଁ ମୋର କାମନା !

 

ଚନ୍ଦ୍ର ଭାଇ, କେଉଁ ଅଶୁଭ ମୁହୂର୍ତ୍ତରେ ତୁମର ମୋର ଦେଖା, ମୁଁ ତୁମର ଜୀବନରେ ଗୋଟାଏ ଧୂମ କେତୁ ରୂପେ ଦେଖା ଦେଇ ଉଭେଇ ଯାଉଛି, ମୋତେ ତୁମେ ଅଭିଶାପ ଦିଅ, ମୁଁ ବି ଚାହୁଁଛି ଚନ୍ଦ୍ରଭାଇ, ମରଣର ବରଫିଆ ହାତ ମୋ ଉପର ଦେଇ ଚାଲି ଯାଆନ୍ତାକି ମୁଁ ନିଶ୍ଚିନ୍ତରେ ଶେଷନିଦ୍ରା ।

 

ଚନ୍ଦ୍ର ଭାଇ, ଦୁଃଖରେ ତୁମେ ଅଭିଶାପ ଦିଅ, ସେ ହେବ ମୋର ଚରମ ଆଶୀର୍ବାଦ ! ଏତେ କଷ୍ଟରେ ଲେଖୁଛି; ଜୀବନ ନେଇଁ ଆଗେଇ ଯାଅ, ତୁମର ସୁଖ ଦେଖିଲେ ମୋ ମନ ଆପେ ଖୁସି ହେବ ! କଲମ ମୋର ଶିଥିଳ ହୋଇ ଯାଉଛି, ଭାବୁଛି, ପାଦତଳୁ ମୋର ପୃଥିବୀ ଖସି ଯାଉଛି, ମୁଁ ରହିଲି, ଜୀବନ ସାରା ପାଇଁ କ୍ଷମା ଦେବ ।

 

ଇତି

ଚା—

 

ଆଖି ଆଗରେ ଚାରୁର ପଢ଼ା ଘର । ସାଜ ସଜା ପୂର୍ବପରି ମୁକ୍ତ ବାତାୟନର ପରଦା ଗୁଡ଼ାକ ଦେଇ ଦକ୍ଷିଣା ପବନ ଲୁଚୁକାଳି ଖେଳୁଛି ! କିନ୍ତୁ କାହିଁ ଚାରୁ—ସେ ଚାଲି ଯାଇଛି ସବୁ ଦିନପାଇଁ !

 

ଶରତ,

 

କ’ଣ !

 

ଆଉ କ’ଣ କହିଛି ଦେଈ !

 

ନାଁ—ଭାରି କାନ୍ଧି କାନ୍ଧି ଯାଇଛି ! କହିଛି ଏ ଚିଠିଟା ପଢ଼ି ଚିରି ଦେବ ! ଇଚ୍ଛା ହେଲେ ଉତ୍ତର ଦେବ ।

 

ଚାରୁ—

 

ସେ ତା ଅଧିକାର ତୁଟାଇ ଦେଇ ଯାଇଛି ! ସେ ତ ଆଜି ତା’ର ହୋଇ ନାହିଁ । ପୁଣି ଚିଠିଟା ଦେବ ବା କେମିତି ?

 

ଶରତ !

 

ଉଁ !

 

ଦେଈ ଘରକୁ ଯାଉନାଁ !

 

ଯାଇତନି, ଯିବି ବୋଧେ !

 

ତାକୁ ଏତିକି କହିବୁ—

 

ଯଦି ସେ ସୁଖୀ ହୋଇ ପାରିଲା ନିଶ୍ଚୟଁ ମୁଁ ସୁଖୀ ଅଛି ! —

 

ପିଞ୍ଜରା ଥରାଇ ଆସିଲା କୋହ, ଅଜଣାରେ ଝରି ପଡ଼ିଲା ଦୁଇ ଧାର ଲୁହ ।

 

ଆହା କରିବାକୁ କେହି ନାହିଁ ! ସନ୍ତର୍ପଣରେ ପୋଛି ଦେଲି !

 

ଶରତ !

 

ତୁ ଯା ଏଥର !

 

ହଉଁ ଚନ୍ଦ୍ର ଭାଇ, !

 

ଶରତ ଚାଲିଗଲା କେଉଁ ଆଡ଼େ, କିନ୍ତୁ ମୁଁ ନଥ୍‌କରି ବସି ପଡ଼ିଲି ତଳେ ! ମୁଣ୍ଡଟା ମୋର ଏରୋପ୍ଳେନ୍‌ର ଚକ୍ରପରି ଘୂରୁଥିଲା ମୁଁ ଭାବିପାରୁ ନ ଥିଲି ମୁଁ ଆଜି କେଉଁଠି ?

 

—ନଅ—

 

ସମୟ ୧୦ଟା ହେବ, ବିଜୁଳି ଆଲୁଅରେ ଝଲସି ଉଠୁଥାଏ ପ୍ରକୋଷ୍ଠଟି ! ପ୍ରଦୀପ ବସି ଭାବୁଛି ! ମୁଣ୍ଡରେ କେତେ ଅନାବନା କଥାଗୁଡ଼ାକ ଢୁକି ପୁଣି କେଉଁଆଡ଼େ ଉଭେଇ ଯାଉଛି । ଘରଟି ଆଧୁନିକତାରେ ଫୁଟିଉଠୁଛି । ସତେ ଭାଉଜ ତାର କେଡ଼େ ଚାଲଖ ମ ! ପ୍ରଦୀପର ଦେହ ଶୀତେଇ ଉଠିଲା । ନୂଆକରି ସେ ଆଜି କରିବ ଘର ସଂସାର ! ଗୋଟିଏ ଗୋଟିଏ ହୋଇ ତା ଜୀବନରେ ୩୫ଟି ବସନ୍ତ ବହି ଯାଇଛି । ସେ ବି ଅପେକ୍ଷା କରିଥିଲା ଏମିତି ଗୋଟିଏ ଦିନକୁ । ଘଡ଼ିରେ ୧୨ଟା ୧୫ର ବାଜିଛି । ଘରେ ସବୁ ଶୋଇ ଗଲେଣି । ଟେବୁଲ୍‌ ଉପରେ ଆଲାରାମ୍ ଘଡ଼ିଟା ଟିକ୍‌ ଟିକ୍‌ କରି ଚାଲିଛି । ପାଖକୁ ଥିବା ଟେବୁଲ୍ ଉପରେ Filmfare ପଡ଼ିଛି, ଚିତ୍ର ମାନଙ୍କର ଅପରୂପ ସମାବେଶ ନେଇ । କଭର ପେଜ ଉପରେ ବୀଣାରାୟ ହସୁଛି । ପ୍ରଦୀପ ଆତ୍ମାହରା ହୋଇ ପଡ଼ିଲା ! ସେ ଭାବୁଥିଲା ସତେ ଯେମିତି ନିର୍ଜୀବ Photoଟା କହୁଛି ମୁଁ ବି ଚିତ୍ରକରର ଗୋଟିଏ କଳ୍ପନା ପ୍ରଦୀପ ବାବୁ ! ମୋର ଏଇ ଋପ ଶତ ଶତ ଜନତାକୁ ପାଗଳ କରି ତୋଳିଛି ! ତୁମେ ବି ମୋତେ ସାଇତି ରଖିଛି ପ୍ରଦୀପ ବାବୁ । ମୋତେ ଦେଖୁଛ ଅନୁଭବ କରୁଛ, ପୁଣି ଫିଙ୍ଗି ଦେଉଛ !

 

ପ୍ରଦୀପ ଚାହିଁଲା—

 

ବୀଣାରାୟ ହସୁଛି—ମନଖୋଲା ହସ ।

 

ଖଡ଼୍‌ ଖଡ଼୍‌ ଖଡ଼୍‌ । କବାଟ ଖୋଲିଗଲା ଭାଉଜ ପସି ଆସିଲେ ଗୋଟିଏ ଅବଗୁଣ୍ଠନବତୀ ତଋଣୀକୁ ନେଇ ।

 

ମୁଁ ଚାହିଁଲି ।

 

ଭାଉଜ ହସୁଛନ୍ତି ।

ଚନ୍ଦ୍ରକଳା

 

ନିଅ ତୁମର ଚାରୁକୁ । ମୁଁ ଯାଉଛି ଏବାର ମୋର ଛୁଟି ।

 

ମୁଁ ପୁଣି ଚାହିଁଲି,

 

ଭାଉଜ କବାଟ ଆଉଜାଇ ଚାଲିଗଲେ । କବାଟଟା ଭଲ କରି ଲଗାଇ ଦେଇ ଆସିଲି । ଚାରୁ ସେମିତି ଠିଆ ହୋଇ ରହିଛି । ସତେ ଯେମିତି—ତାକୁ ଆଜି ଖୁବ୍‌ ଅଡ଼ୁଆ ଲାଗୁଛି ।

 

ବସୁନ—

 

ଲାଜ କରୁଛ ନାଁ !

 

ହାତଧରି ବସାଇ ଦେଲି । ନିଜ ହାତରେ ଓଢ଼ଣାଟି ଖୋଲିଲି । ସେ ଆଖି ବୁଜିଲା.....କେତେ ରାଣ ପକାଇଲି ।

 

ଆଖି ଖୋଲିଲା ଚାରୁ । କେତେ ବା ସେ ଚୁପ ହୋଇ ବସିବ । ସେ ତ ଆଜିଠାରୁ ସବୁଦିନ ପାଇଁ ଦିନ କାଟିବ ! ସେ ଠିଆ ହୋଇଛନ୍ତି—ତାର ସ୍ୱାମୀ—ଇହକାଳ ପର କାଳର ଦେବତା ସେ—ପଦେ କଥା ଶୁଣିବାପାଇଁ ସତେ ଯେମିତି ଚାହିଁ ରହିଛନ୍ତି ସେ—

 

ସେ ହସୁଛନ୍ତି—

 

ଆଖି ଆଗରେ ନାଚିଗଲା ଚନ୍ଦ୍ର ଭାଇ, ଏମିତି ହସୁଥାଆନ୍ତି । ଛପି ଛପି ପଛରୁ ଆସନ୍ତି ! ତାଙ୍କର ଆସିବା ସେ ଜାଣି ପାରନ୍ତିନି । ପଛରୁ ଆଖି ଦୁଇଟା ବନ୍ଦ କରି ଧରନ୍ତି । ମୁଁ ହାତ ଦେଇ ଦରାଣ୍ଡେ—

 

ଛାଡ଼ ମଁ—ଏତେ ସିଆଣା ହୁଅଁନା—ସେ ହସନ୍ତି ।

 

ତୁମେ ଭାରି ଦୁଷ୍ଟ ଚାରୁ ।

 

ମନ ମୋର ପୁଣି ଫେରି ଆସିଲା, ସେ ନାହାଁନ୍ତି ! ମନ ତାର ଫିକା ପଡ଼ିଗଲା, ଏଇ ତାର ସ୍ୱାମୀ !

 

ଦେହର ରଙ୍ଗ କୋଇଲାକୁ ବଳି, ଛାମୁଦାନ୍ତ ଦିଟା ବାହାରକୁ ବାହାରି ଆସିଛି । ମୁଣ୍ଡରେ କେଶ କେଉଁଆଡ଼େ ଉଭେଇ ଗଲାଣି—ଏଇ କଣ ତାର ହୃଦୟର ଦେବତା, ସେ ଯାହାକୁ ଧରି ଘରସଂସାର କରିବ ! ବାପାଙ୍କୁ କଣ ସେ ଏତେ ସୁନ୍ଦର ଦେଖା ଗଲେ । କାନ୍ଦମାଡ଼ିଲେ ବି କାନ୍ଦି ପାରୁ ନଥିଲି । ମନ ଦୁଃଖ କଲେ ସେ ଅବିଶ୍ୱାସ କରିବେ । ତାର ସୁନାର ସଂସାର କ୍ଷଣିକରେ ଭାଙ୍ଗି ଚୁରମାର ହୋଇଯିବ । ଅପରାଧ କରିଛି ସେ—ସେ, ସୁନ୍ଦର ହୁଅନ୍ତୁ ବା ଅସୁନ୍ଦର ହୁଅନ୍ତୁ । ସେ ତାର ମନର ଦେବତା, ସ୍ୱାମୀ । ଇହକାଳ ପରକାଳ ! ଦୂରେଇ ଯାଆନ୍ତୁ ପଛେ ଚନ୍ଦ୍ର ଭାଇ, ଯାହା ଯାଇଛି ସେ ଆଉ ଫେରିବନି । ମନ ଦୁଃଖ କଲେ କ’ଣ ଅତୀତ ଆଉଥରେ ଫେରି ଆସିବ—

 

ସେ କହିଲେ,

 

କ’ଣ ଭାବୁଛ ଏତେ !

 

ଅଜଣାରେ ପାଟିରୁ ବାହାରି ପଡ଼ିଲା ନାଁ କିଛି ନୁହେଁ । ତୁମେ ତ ଅଛ, ଆଉ କ’ଣ ଭାବନା ମୋର !

 

ଋଦ୍ଧ କକ୍ଷ, ! ଇଲେଟ୍ରିକ୍‌ ବତିଟା ଆଲୋକ ଗୁଡ଼ାକ ବିଛାଡ଼ି ଦେଉଛି । ଚାରୁ ଟିକେ ଘୁଞ୍ଚିଗଲା ଦୂରକୁ !

 

ଘଡ଼ିଏ ନୀରବ—ଦପ୍‌ କରି ଆଲୋକଟା ଲିଭି ଗଲା ! ପ୍ରଦୀପର ଛାତିରେ ଅଜଣା ସ୍ପନ୍ଦନ । ଧୈର୍ଯ୍ୟର ବାଲିବନ୍ଧ ଭାଙ୍ଗିଲା । ପାଗଳ ପରି ଟାଣି ଆଣିଲା ପ୍ରଦୀପ ଚାରୁକୁ କୋଳକୁ ! ସୁନା ପିଲାଟି ପରି ଢଳି ପଡ଼ିଲା ସେ—ପ୍ରତିବାଦ କଲାନି ! ଅନ୍ଧକାର ମଧ୍ୟରେ ଦୁଇଟା ଆତ୍ମା ହଜିଗଲା କାହିଁ କେତେ ଦୂରେ—କଳ୍ପନା ରାଇଜର ସରଗ ସେ ପଟରେ ।

 

ଜେଲ ଖାନା ଘଣ୍ଟାରେ ଠନ୍‌ ଠନ୍‌ କରି ୨ଟା ବାଜିଲା । ଚାଉଁକିନା ଚାରୁ ନିନ୍ଦଟା ଭାଙ୍ଗି ଗଲା । ଝରକା ଫାଙ୍କ ଦେଇଁ ଆସୁଥିଲା ଚନ୍ଦ୍ର କିରଣ ! ଚାରୁ ମୁକୁଳା କରି ଦେଲା ଝରକାଟି । ଅଷ୍ଟମିର ବଙ୍କାଚାନ୍ଦଟି ମଥା ନଇଁଲାଣି ଚାରୁ ଚାହିଁଲା ଦୂରରୁ ଦୂରକୁ କାହିଁ କେତେ ଦୂର, ଲମ୍ୱି ଯାଉଛି କେତେ କୋଠା ବାଡ଼ି ଛାତିଟା ଧଡ଼ ଧଡ଼ କରି ପଡ଼ୁଥାଏ ଉଠୁଥାଏ ! ସେ ଚାହିଁଲା ସ୍ୱାମୀ ତା’ର ଶୋଇଛନ୍ତି ନିଶ୍ଚିନ୍ତରେ । ମୁଖ ମଣ୍ଡଳରେ ତୃପ୍ତିର ଛାୟା । ଅସୁନ୍ଦର ହେଲେ ବି, ସ୍ୱାମୀ—ପୂଜ୍ୟ ସେ । ସୁନା ପିଲାଟି ପରି ଶୋଇଛନ୍ତି ସେ । କେତେ ସରଳ ସେ, ତିଳେ ହେଲେବି ଅବିଶ୍ୱାସ କରି ନାହାଁନ୍ତି । ମନଟା ତା’ର ଗୋଳେଇ ଘାଣ୍ଟି ହେଲା । ଯେତିକି ଭୁଲିବାକୁ ଚେଷ୍ଟା କଲେବି, ଚନ୍ଦ୍ର ଭାଇ, କାୟା ସହିତ ଛାୟାପରି ଆଖି ଆଗରେ ଲାଗିଛନ୍ତି । ଚନ୍ଦ୍ର ଭାଇ—ସତେ କ’ଣ ତାଙ୍କୁ ଭୁଲି ପାରିବିନି । ଗଣ୍ଡ ଦେଶରୁ ଗଡ଼ି ପଡ଼ିଲା ଦୁଇ ଧାର ଲୁହ । ମନକୁ ବୁଝାଇଲା ଆଜି ପରା ଦିନରେ କାନ୍ଦୁଛି ସେ !

 

ସେ ଶୋଇଛନ୍ତି—ସେ ମୋର ସ୍ୱାମୀ—ଦେବତା—ଆଉ ଅଭାବ କ’ଣ ତା’ର—

 

କର ଲେଉଟାଇଲେ ସେ—

 

କ’ଣ ଶୋଇନ ?

 

ଲୁଚାଇତ ହେବନି, କହିଲି ନାଁ ।

 

ଘର ଲୋକଙ୍କୁ ଛାଡ଼ି ମନଦୁଃଖ ହେଉଛି ନାଁ । ଦିନେ ଦି ଦିନ ପରେ ଯାଇଁ ପଛେ ଦେଖି ଆସିବ, ଶୋଇ ପଡ଼ ବହୁତ ରାତି ହେଲାଣି ।

 

କଅଁଳା ପିଲାଙ୍କୁ ଥାପୁଡ଼େଇ ଶୁଆଇଲା ପରି ପିଠିକୁ ଥାପୁଡ଼େଇ ଦଉଥାଆନ୍ତି ସେ । ଛୋଟ ଛୁଆଙ୍କପରି ତାଙ୍କ କୋଳରେ ମୁଣ୍ଡ ଗୁଞ୍ଜି ଶୋଇ ପଡ଼ିଲି ମୁଁ—କେତେ ବେଳେ ଯେ ନିଦଟା ଲାଗିଲା ମୋତେ ଜଣା ନାହିଁ ।

 

—ଦଶ—

 

କାଉ କା ନକରୁଣୁ ଶରତ ଆସି ହାଜର ।

 

ଚନ୍ଦ୍ର ଭାଇ—ହୋ, ଚନ୍ଦ୍ର ଭାଇ— ! ଧଡ଼୍‌ପଡ଼୍‍ ହୋଇ ଉଠିଲି !

 

ଏତେ ସକାଳୁ କଣ କିରେ ସର । କ’ଣ ଟିକେ ଶୁଆଇ ଦେବୁନି ନାଁ କ’ଣ—

 

ଦିନ ପରା ଆସି ୭ଟା ବାଜିଲାଣି ।

 

କଣ ହେଲା ସେଠୁ—

 

ପିଲାଟା ଡରରେ ଶଙ୍କି ଯାଇଥାଏ, ପାଖକୁ ଡାକିଲି;—ମୋ କଥାରେ ରାଗିଲୁ କିରେ ସର !

 

ମୁଣ୍ଡ ହଲାଇଲା—

 

ନାଁ—

 

ଦେଇ ପରା କାଳି ରାତିରେ ଆସିଛି, ଚନ୍ଦ୍ର ଭାଇ !

 

ତାର ସେଇ କଥାପଦକ ! ମୁଣ୍ଡ ମୋର ଘୂରି ଗଲା ! ଦେଇ ପୁଣି ଆସିଛି । କାହିଁକି ? ତାର ବା ଏଥିରେ ଖୁସି ହେବାର କଣ ଅଛି । କିନ୍ତୁ ଅବୁଝା ମନ ବୁଝିଲା ନାହିଁ । ସତେ ଯେମିତି ଗୋଟାଏ ନିଧିପାଇଲା ପରି ଲାଗିଲା ତାକୁ ! ପୁଣି ଥରେ କଣ ନିଜ ହାତରେ ନିଆଁ ଲଗାଇ ତାକୁ ଜାଳିବାକୁ ସେ ଆସିଛି,

 

ସତେ ! ଚାରୁ ଆସିଛି !

 

ହଁ, ସେ ବଳେ ଆସିବନି ଯେ, ସତକି ମିଛ ବଳେ ଜାଣିବ ।

 

ଶରତର କଥା ପଦକ ମନରୁ ଗଲାନି, ଚାରୁ ଆସିବ । କାହିଁକି କ’ଣ ଜଳନ୍ତା ନିଆଁରେ ଇନ୍ଧନ ଯୋଗାଇବା ପାଇଁ ନାଁ, ତା ହୋଇ ପାରେ ନା, ଆତ୍ମାପ୍ରତି ଯାର ବିଶ୍ୱାସ ନାହିଁ.......

 

ଚାରୁ ଆସିବ ! ମନ ଶୁଖାଇ କଥା କହିବ, ମୁଁ ସମାଜର ବନ୍ଧନ ଭାଙ୍ଗି ପାରିଲି ନାହିଁ, ଚନ୍ଦ୍ରଭାଇ । ମୁଁ ନାରୀ, ମୁ ଦୁର୍ବଳ !

 

ତାର ଉତ୍ତର—

 

ତାର ଉତ୍ତର ନାହିଁ !

 

—କ’ଣ ଏତେ ଅନ୍ୟମନସ୍କ ହେଉଛ ଚନ୍ଦ୍ର ଭାଇ, ମୁଁ ଯାଉଛି !

 

—ଆଚ୍ଛା ଯା ତୁ !

 

—ବୋଉ, ବୋଉମ—

 

ତଳ ଘରୁ ଡାକ ଛାଡ଼ିଲେ, ବୋଉ ।

 

—କଣ କିରେ ବୁଢ଼ା ?

 

ଶୁଣିଗଲୁ ଟିକେ !

 

ହଉ ଚାଲ କହି ପଶି ଆସିଲେ ବୋଉ ।

 

ବୋଉ !

 

—କଣ କହୁନୁ !

 

ମୁଁ ପୁରୀ ଯିବି ବୋଉ ।

 

—ଏବେ ପରା ଯାଇ ଥିଲୁ ?

 

ହଁ, ସେ ଭାରି ବଡ଼ କଥା ବୋଉ, ତୁ ବୁଝି ପାରିବୁନି, ହେଲେ କାମ କଣ ଛିଡ଼ିଲା ! କିଛି ଟଙ୍କା ଦେବୁ ବୋଉ—

 

—ଟଙ୍କା—କାହିଁ—ବାପାତ କହୁଥିଲେ, ବୁଢ଼ା ଏଥର ଚାକିରୀ କରୁ—ପଇସାତ ଅଣ୍ଟୁନି–ଘର ଚଳିବ କେମିତି !

 

ମୁଣ୍ଡ ମୋର ଘୂରି ଗଲା, ମୁଁ ଚାକିରୀ କରିବି ! ଦିନ ସାରା ଦଶ ଘଣ୍ଟା ଖଟି ଖଟି ହେବି କିରାନି ! ହଉ ଭାଗ୍ୟ ଯାହା ଥିଲା ! ସେ କଥା ପରେ—ଏଠୁ ଖସିଗଲେ ହେଲା—

 

—ବୋଉ,

 

ମୁଁ ପରା ସେଇଥି ପାଇଁ ଯାଉଛି—ତୁ ଆଉ କଣ ବୁଝିଲୁ କି ?

 

—ତୋ କଥାରେ କଣ ଠିକ୍‌ ଅଛି ବୁଢ଼ା, ତୁ ଏଇଠି ବୋଲି, କୁଆଡ଼େ ଯେ ଯିବୁ ତା ଭଗବାନଙ୍କୁ ଜଣା !

 

—ସେ ବାଜେ କଥା ଛାଡ଼, ଟଙ୍କା କଥା କଣ କହୁଛୁ !

 

ଦେଖେ କଣ ଅଛିକି ନାଁ !

 

ସାକୁଲେଇ କହିଲି ତୁ, ହଁ, କହନା ।

 

ହଁ !

 

ଏତିକି ମୋର ଦରକାର, ଏଣିକି ଦେଲା ନେଲା ବେଳ ଅଛି ଯେ—ବୋଉ ଚାଲି ଗଲେ, ମୁଁ ମୋର ବିଛଣା ପତ୍ର ସଜାଡ଼ିବାରେ ବ୍ୟସ୍ତ ରହିଲି ।

 

—କୁଆଡ଼େ ଯିବେ କି ଆଜ୍ଞା ?

 

ପଛକୁ ଫେରି ଚାହିଁଲି—ଚାରୁ ! ମୁଣ୍ଡ ଉପରେ ଓଢ଼ଣା, ମଥାରେ ସିନ୍ଦୂର ଟୋପାଟା ଦାଉ ହୋଇ ଦେଖା ଯାଉଛି । କେବଳ ଏତିକି ମାତ୍ର ପରିବର୍ତ୍ତନ—ବାକି ଆଉ ସବୁ ଠିକ୍‌ ଅଛି । ଛବିଟି ପରି ଠିଆ ହୋଇ ହସୁଛି ସେ ।

 

ମୋ ଉପରେ ରାଗିଛ ନାଁ—

 

ନାଇଁତ ?

 

ତା ହେଲେ ଏ ସରଞ୍ଜାମ ପତ୍ର କାହିଁକି ? ମୋ ମୁହଁ ଦେଖିବନି ନାଁ, ତୁମେ ନ ଦେଖିଲେ ମୁଁ ତ ଦେଖାଇବାକୁ ଆସିଛି, ଏଥିରେ ତୁମର ତ ବଡ଼ପଣ ହାନିହେବନି—

 

ନଥ୍‌କରି ବସି ପଡ଼ିଲା ସେ—

 

ହାତଟା ମୋର ସେଇଠି ଅଟକି ଗଲା !—କହିଲା ଆପଣ ବଡ଼ ଲୋକ, ବଡ଼ ବଡ଼ କଥା ଆମ ଗରିବକୁ ପଚାରେ କିଏ—

 

—ହାତ ମୋର ଧରି ପକାଇଲା ସେ ।

 

ଚନ୍ଦ୍ର ଭାଇ,

 

ଏଡ଼େ ନିଷ୍ଠୁର ତୁମେ—

 

ହଁ ଚାରୁ, କଥାରେ ଅଛି ‘‘ସ୍ୱର୍ଗକୁ ନିଶୁଣି ନାହିଁକି ବଡ଼ ଲୋକଙ୍କୁ ଉତ୍ତର ନାହିଁ’’ ସେ ଯାହା କରିବେ, ତା ସୁନ୍ଦର ।

ମୋତେ ତ ତୁମେ ଡାକିଯାଇନ ମୁଁ ବଳେ ବଳେ ଆସିଛି, ତଡ଼ି ଦେଉଛ ତ ଦିଅ—

 

ତଡ଼ି ଦେବାକୁ ଅଧିକାର ତ ନାହିଁ, ବରଂ ତୁମେ ଯାହା ଭାବୁ ଥିବ ।

 

ମନକୁ ପଚାରିଲେ ବୁଝି ପାରିବ । ଅଜଣାରେ ଝରି ପଡ଼ିଲା ଦିଠୋପା ଲୁହ ।

 

—ତୁମ ଆଖିରେ ଲୁହ ଚନ୍ଦ୍ର ଭାଇ । ମନ ତୁମର କଷ୍ଟ ହୋଇଛି । କେବଳ ଏଇ ହୀନି କପାଳୀ ଚାରୁ ପାଇଁ—ତୁମେ କଣ ଭୁଲ ପାଇଁ କ୍ଷମା ଦେବନି ଚନ୍ଦ୍ର ଭାଇ ।

 

ଚନ୍ଦ୍ର ଭାଇ, ମୁଁ ଜାଣେ ।

 

ତୁମେ, ସେ ପୋଡ଼ା ସ୍ମୃତିକୁ—ଏବେବି ସାଇତି ରଖିଛ । ମନକୁ ପଚାରିଲ ଦେଖି, ମୁଁ କ’ଣ ଭୁଲି ଯାଇଥିବି ତୁମକୁ । ତୁମେ କହିବ ଚାରୁ ତୁ ଚନ୍ଦ୍ର ଭାଇକୁ ଛାଡ଼ି ସବୁ ପାଇଛୁ । ହେଲେ ସେ—କିନ୍ତୁ କାହିଁ, ଯେତେ ଚେଷ୍ଟା କଲେତ ତମକୁ ଭୁଲି ପାରିଲିନି ତା ଏ ଜୀବନରେ ନୁହେଁ । ତୁମେ ମୋତେ ଭୁଲ ବୁଝନା ଚନ୍ଦ୍ରଭାଇ ।

 

ତାର ଦେହର ପରଶରେ ଖେଳିଗଲା ଅଙ୍ଗସାରା ବିଦ୍ୟୁତ୍‌ର ଶିହରଣ, ଦୂରକୁ ଘୁଞ୍ଚିଗଲି, ଚିତ୍କାର କରି ଉଠିଲି ।

 

ଚାରୁ—ତୁମେ ପରା ବିବାହିତା ।

 

ହଁ ଚନ୍ଦ୍ର ଭାଇ ଗାଳିଦିଅ, ପାଦତଳେ ଦଳିଦିଅ, କିନ୍ତୁ ଚାରୁକୁ ତୁମେ ବଞ୍ଚିତ କଲେ ସେ ବଞ୍ଚି ପାରିବନି, ତୁମେ ପରା କହିଥିଲ, ଚାରୁ, କାହାର ମନରେ ଦୁଃଖ ଦେଇ କେହି କେବେ ସୁଖ ପାଇ ପାରେ ନାଁ—

 

ତାର କଥା ପଦକରେ ଭୁଲିଗଲି ଦୁନିଆଁ, ଭୁଲିଗଲି କର୍ତ୍ତବ୍ୟ ଭୁଲିଗଲି ନିଜକୁ, ପାଖକୁ ଟାଣି ଆଣିଲି । ଚାରୁ ଏବେ ବି ମୁଁ ଭୁଲି ପାରିବି ତୁମକୁ—ହୃଦୟ ସହିତ ହୃଦୟର ବନ୍ଧନ କଣ କେବେ ଭୁଲିଯାଇ ହୁଏ ଚାରୁ—ତୁମେ କାହିଁ କେତେ ଦୂରେ—ନୟନର ଆର ପାସେ କର କୁତ୍ସାରଟନା । ଆଉ ମୁଁ ସେଇ ଅତୀତର ଛାପି ଛାପିକା ଅନ୍ଧକାର ତଳେ ଉଙ୍କି ମାରେ । ସେଇ ଦରଫୁଟା ଛବି ମନଟା ହଜିଯାଏ କାହିଁ କେତେଦୂରେ, କିନ୍ତୁ କିଏ ମୋତେ ସାନ୍ତ୍ୱନା ଦେବେ–ନାଁ–ହନ୍ତସନ୍ତରେ ଜୀବନଟାହିଁ ଅତିବାହିତ ହେବ । ଚନ୍ଦ୍ର ଭାବିଲା, ସେ କଣ ଭାବୁଛି—

 

ଚାରୁ ଭାବିଲା ଚନ୍ଦ୍ର, ଦୁଃଖ କରିଛି । ସେ ଶତ ଚେଷ୍ଟାକଲେ ବି ସେ ଦୂଃଖ ଦୂର କରି ପାରିବନି । ହୃଦୟ ମଧ୍ୟରେ ତାର ଆଙ୍କି ହୋଇଥିବା ଦାଗ ଚିରକାଳ ପାଇଁ ଅଲିଭା ।

 

ଚନ୍ଦ୍ରଭାଇ ! କି ଆବେଗଭରା ଡାକ ! ଚନ୍ଦ୍ର ହୃଦୟ ତନ୍ତ୍ରୀ ଦୋହଲାଇ ଦେଲା । ସେ ଯୁବକ ତାର ଧୈର୍ଯ୍ୟ ବନ୍ଧ ହିରାକୁଦ ପରି ଅଟଳ ରହି ପାରିଲା ନାହିଁ । ସେ ଢଳି ପଡ଼ିଲା ଚାରୁର ଅଙ୍ଗ ଲତାଟି ଉପରେ, ସତେ ଯେପରି ସେ ଅନୁଭବ କରୁଥିଲା—ଏଇ ତାର ସ୍ୱପ୍ନ ପୁରୀ—ତଳୁ ବୋଉ ଡାକିଲେ ପୁରୀ ଯିବୁନି କିରେ ବୁଢ଼ା, ଚନ୍ଦ୍ର ଚାହିଁଲା ମଥାଉପରେ ସୁନ୍ଦର ଠୋପାଟା ଚକ୍‌ ଚକ୍‌ ମାରୁଛି ହିଂସା ହେଲା ! ଲିଭାଇପକାନ୍ତା, କିନ୍ତୁ ପାରିଲାନି ସେ, ସାରା ଶରୀରରେ ଖେଳିବୁଲୁଥିଲା ବିଦ୍ୟୁତ ପ୍ରବାହ ! ସେ ଚାରୁକୁ ଖୁବ୍‌ ଜୋରରେ ଭିଡ଼ିଧରି ଗଣ୍ଡଦେଶରେ ଚୁମ୍ବନଟିଏ ଆଙ୍କିଦେଲା ! ପ୍ରତିବାଦ କଲାନି ସେ ! ମନେ ମନେ ହେଉଥିଲା ସତେ ଯେମିତି ସପନ ଦୋଳାରେ ଦୁହେଁ ଖେଳି ବୁଲୁଛନ୍ତି । ଅନ୍ଧକାର ବୁକୁଚୀରି ଉଇଁ ଆସୁଥିଲେ ସୂର୍ଯ୍ୟ, ପୃଥିବୀ ଉପରକୁ ! ଭୁଲି ଗଲେ ଦୁହେଁ କର୍ତ୍ତବ୍ୟ ସମୟ—ଆଉସବୁ !

 

ଚାରୁ ନିଜକୁ ହଜାଇ ଦେଲା ଚନ୍ଦ୍ରର ବାହୁ ବେଷ୍ଟନି ମଧ୍ୟରେ । ପ୍ରଦୀପବାବୁ ପଡ଼ିରହିଲେ କାହିଁ କେତେ ଦୂରେ—

 

X X X

 

ନିତି ଦିନ ପରି ନରାଜ ପାହାଡ଼ ଆର ପଟେ ସୂର୍ଯ୍ୟ ଦେବତା ଲୁଚିଗଲେ, ପୃଥିବୀ ସାରା ଘୋଟିଗଲା ଅନ୍ଧକାର । ନୀଳ ଆକାଶରେ ତାରା ଗୁଡ଼ାକ ଜିକ୍‌ ଜିକ୍‌ ହୋଇ ଜଳିଉଠିଲେ ।

 

ଚାରୁର ଚାପର ମହକ ତଳେ ଚନ୍ଦ୍ରର ଅନ୍ତର ଡବିଗଲା । ଚାରୁ ଆଜି ତାର ଶାନ୍ତିର ଉତ୍ସ-ଭୋଗର ସାମଗ୍ରୀ–ସେ ଆଜି ଚାରୁପାଇଁ ପାଗଳ । ଚନ୍ଦ୍ର ସବୁଛାଡ଼ି ପାରେ ମାତ୍ର ଚାରୁକୁ ନୁହେଁ ! ଅବୁଝା ମନ ତାର ଦୌଡ଼ିଲା ମାୟା ମରିଚିକା ପଛରେ କାହିଁ କେତେ ଦୂର—

 

ସଞ୍ଜ ହେଲା । ରାତି ବଢ଼ି ଚାଲିଲା । ଘଡ଼ିକୁ ଚାହିଁଲା ଚନ୍ଦ୍ର । ୧୦ଟା ବାଜିଲାଣି । ବୋଉ ଡାକିଲେ ଖାଇବାକୁ—ମନ ହେଲାନି ଖାଇବାକୁ—ବାଧ୍ୟ ହୋଇ ମନାକରି ଦେଲି ।

 

ବୋଉ ମୁଁ ଖାଇବିନି, ଦେହଭଲ ନାହିଁ । ନୀଳ ଆକଶକୁ ଚାହିଁଲି, ଆକାଶର ତାରା ଗୁଡ଼ାକ ହସୁଛନ୍ତି—ତାକୁ ଡାକୁଛନ୍ତି, ତୁ ଫେରିଯା ଚନ୍ଦ୍ର—ନିଆଁ ଧରି ଖେଳ ଖେଳିଲେ ପୋଡ଼ି ମରିବା ହିଁ ସାର—

 

ଆକାଶର ତାରା ଗୁଡ଼ାକଙ୍କ ଉପରେ ରାଗ ଆସିଲା, ଫୁଙ୍ଗୁଳା ଆକାଶ ତଳୁ ଫେରି ଆସିଲି ମୋର ପ୍ରକୋଷ୍ଟ ମଧ୍ୟକୁ !

 

ରାତି ୧୧ଟା ହେବ । କିଟିମିଟିଆ ଜମାଟବନ୍ଧା ଅନ୍ଧକାର ମଧ୍ୟରୁ ବାହାରି ଆସିଲା ଚାରୁ–ଦେହର କଳା ଜର୍ଜେଟ୍‌ ଶାଢ଼ିଟା ଅନ୍ଧକାର ମଧ୍ୟରେ ମିଶିଯାଇ ଥାଏ । ଝପ୍‌ସା ଅନ୍ଧକାର ମଧ୍ୟରେ ଭାରି ସୁନ୍ଦର ଦେଖା ଯାଉଥାଏ ସେ—ଚନ୍ଦ୍ର ନରମ ଓଠରେ ଉଠିଲା ହସର ଜୁଆର—ଚାରୁ—ପର ନୁହେଁ—ଅତି ଆପଣାର ।

 

ଆଖି ମଳି ଚାହିଁଲା ଚନ୍ଦ୍ର—କାହିଁ କେହିତ ନାହିଁ—ଏ କଣ ତାର ଭ୍ରମ । ଲଣ୍ଠନଟି ତେଜିଲା । ବତିର କ୍ଷୀଣ ଆଲୋକରେ ଅନ୍ଧକାର ଅପସରି ଗଲା । –ସତରେ ସେ ଭ୍ରମରେ ପଡ଼ିଛି-

 

ବାହାରକୁ ଆସିଲା । ଫୁଙ୍ଗୁଲା ଆକାଶ ତଳେ, ତାରା ଗୁଡ଼ାକଙ୍କୁ ଦେଖିବାକୁ ତାକୁ ଡର ମାଡ଼ିଲା । ପଥର ଛାତି ତାର ଦବିଗଲା । ଦୀର୍ଘ ନିଶ୍ୱାସ ପକାଇ ଫେରି ଆସିଲା ବିଛଣାକୁ—

 

ଚାରୁ—ବିବାହ କରିଛି । ସେ ଯାହା ଚାହୁଁଥାଆନ୍ତା ସେ ଅଭାବ ପୂରଣ କରିଛି—ପ୍ରଦୀପ—ସେ ଆଉ ଘନ ଅନ୍ଧକାର ମଧ୍ୟରେ ସମାଜରୁ ଡରରେ ଲୁଚି ଛପି ଆଉ ଆସିବନି । ଲଣ୍ଠନଟି ଦବାଇ ଶୋଇ ରହିଲି ! ଆଖିକୁ ନିଦ ଆସୁ ନଥାଏ । ପଛ କଥା ଗୁଡ଼ାକ ଆଖି ଆଗରେ ନାଚି ଯାଉଥାଏ । ରାଗରେ ଛାତିଟା କୁରୁଳି ଉଠୁଥାଏ । କିନ୍ତୁ ତାରି ପ୍ରତିକ୍ରିୟା ଦେଖାଇବା ପାଇଁ ଆଉ ସମୟ ନଥିଲା—ତାର ଚାରୁକୁ ନେଇ—ସ୍ୱପ୍ନ ବିଭୋର ଦିନ ଗୁଡ଼ାକ ପଡ଼ିରହିଲା କେଉଁ ଶତାବ୍ଦିର ତଳେ—

 

—ଏଗାର—

 

ଆଜିକୁ ମାସେ ହେବ କଲେକ୍‌ଟରିଏଟ୍‌ରେ ଚାକିରୀ କଲିଣି । ଦିନ ସାରା ଫାଇଲ ରାମ୍ପି ରାମ୍ପି ମାସକୁ ପାଏ ଅଶିଟଙ୍କା । ଅଫିସ୍‌ କାମ ସାରି ଫେରିଥାଏ ଘରକୁ । ଜଳଖିଆ ଦିଟା ଖାଇ ଛାତ ଉପରେ ବୁଲୁଛି—

—ପୂଝାରୀ, ପୂଝାରୀ—

ତଳକୁ ଚାହିଁଲି, ଅଫିସିର Head Clerck । ବୟସ ଷାଠିଏ ପାଖା ପାଖି ହେବ । ମୁଣ୍ଡ ବାଳ ସ୍ଥାନେ ସ୍ଥାନେ ପାଚି ଗଲାଣି, ପରିଚ୍ଛେଦ ସାଧାସିଧା । ବାପାଙ୍କର ବାଲ୍ୟବନ୍ଧୁ । ସେମିତି କିଛି କାମ ନଥିଲେ ସେ ଆସନ୍ତିନି । ତଳକୁ ଆସି ଫିଟାଇଲି କବାଟ ।

ଆପଣ !

—ହଁ ! ବାପା ଅଛନ୍ତି ?

—ଏଇନେତ ଅଫିସରୁ ଆସିଲେ ।

ଆସନ୍ତୁ ନାଁ, ବାହାରେ ଛିଡ଼ା ହୋଇ ରହିଲେ ଯେ । ସେ ପ୍ରତିବାଦ ନକରି ମୋ ପଛେ ପଛେ ଆଗେଇଲେ । ତାଙ୍କୁ ମୋ ଘରେ ବସାଇ ଦେଲି ।

—ବାପାଙ୍କୁ ଡାକି ଦେଉଛି ।

—ହଁ ଶୀଘ୍ର ଟିକେ !

ବାପାଙ୍କୁ ତାଙ୍କର ଆସିବା ଜଣାଇ ଦେଇଫେରି ଆସିଲି ।

ବାପାଙ୍କୁ କହିଲ ଚନ୍ଦ୍ର !

ହଁ ଆଜ୍ଞା !

ବସୁନ ଠିଆ ହୋଇ ରହିଲ ଯେ । ତୁମ ବାପା ମୋର ବାଲ୍ୟବନ୍ଧୁ ବୁଝିଲନାଁ—

—ହଁ ଆଜ୍ଞା, ଏହିତ ବାପା ଆସିଲେଣି ।

ନମସ୍କାର ଭାଇ ! ସଞ୍ଜବେଳଟାରେ ।

ଟିକେ କାମ ଅଛି ତୁମ ନିକଟରେ ।

କ’ଣ କିଛି ଅସୁବିଧା ଅଛି ।

ନାଁତ, ଆସିଲ ଭଲ କଲ ।

ଏ କ’ଣ ତୁମର ଘର ନୁହେଁ !

—ସେମାନଙ୍କର କଥାବାର୍ତ୍ତାରେ ବାଧାହେବ କାଳେ ସେଥି ପାଇଁ ମୁଁ ଚାଲି ଗଲି ସେଠାରୁ । କିନ୍ତୁ ବାଆଁରେଇ ହୋଇ କୋଠାଉପରେ ବୁଲିଲି ।

ସଦାନନ୍ଦ ବାବୁ ଆରମ୍ଭ କଲେ ।

—ଆମ ଝିଅଟିକୁ ଦେଖିଛ ନାଁ ।

—କ’ଣ କଳା, ଭଲ ପିଲାଟି ।

—ତୁମ ଚନ୍ଦ୍ର ସାଥିରେ କଲେ କ’ଣ ହଅନ୍ତା କହିଲେ ।

କ’ଣ ବିଭା ଘର କଥା ! ମୋତେ ପଚାରି ଲାଭ କ’ଣ ! ଚନ୍ଦ୍ର ବି ତୁମର ପୁଅ । ତୁମର ଯଦି ଖୁସି, ମୋର କୌଣସି ଆପତ୍ତି ନାହିଁ ।

ଦବା ନବାରେ ତ ହେଳା କରିବିନି, କିନ୍ତୁ ମୋର ଇଚ୍ଛା ତୁମର ଆମର ବନ୍ଧୁତା ଚିରକାଳ ବଜାୟେ ରହିବ ।

ତା ତ ଠିକ୍‌ । ତେବେ ଶାସ୍ତ୍ର ମତରେ ‘‘ଶୁଭସ୍ୟ ଶୀଘ୍ର’’ । ତେଣୁ ଆସନ୍ତା ମାସ ୫ମୀ ତିଥିରେ କରି ଦେଲେ ଯାଆନ୍ତା ।

ସଦାନନ୍ଦ ବାବୁ ଆରମ୍ଭ କଲେ—ମୋର କିଛି ଆପତ୍ତି ନାହିଁ, ତେବେ ତୁମର ଯୋଗାଡ଼ ଯାହା—

ବାପା କହିଲେ, ବିଭାଘର ପୂର୍ବରୁ ଚନ୍ଦ୍ରକୁ ତୁମ ଘରକୁ ନେଇ ବୁଲାଇ ଆଣ, ଆଜି କାଲିର ପିଲାନାଁ—

ବୁଝିଲି, ମୋତେ ଆଉ କହି ଅପମାନ ଦିଅନା ମୁଁ କାଲି ତାର ବ୍ୟବସ୍ଥା କରିବି । ହେଲେ ଚନ୍ଦ୍ର ଯେପରି ପିଲା, ସେ ମୋ କଥାରୁ ବାଦ ଯିବନି । ଆଚ୍ଛା ମୁଁ ଯାଉଛି ଭାଇ, ସମୟ ନଷ୍ଟକରି ଦୁଃଖ ଦେଲି—

ସଦାନନ୍ଦ ବାବୁ ଚାଲି ଗଲେ । ମୁଁ ସେମାନଙ୍କର ଅଲକ୍ଷ୍ୟରେ ସବୁ ଶୁଣିଥିଲି । ଚାରୁ ଚାଲିଗଲା, ତାର ଘର ସଂସାର କରି—କଳା—ନିତାନ୍ତ ଅଜଣା—ଅଦେଖା ସେ—ତାକୁ ପୁଣି ନେଇ ସେ ଗଢ଼ିବ ସଂସାର ! ଅତୃପ୍ତ ଆତ୍ମାର ହେବ ଶାନ୍ତି—ସେ ଚାରୁକୁ ଭୁଲି ଯିବ ଚିର ଦିନ ପାଇଁ—

ଭାଇ !

କଣ କିଲୋ କୁନି !

ଚାରୁ ଅପା କହିଛି, ତୁମେ ସ୍ନିଗ୍‌ଧା ତା ଘରକୁ ଯିବାକୁ ।

କାହିଁକି ?

କଣ ତାଙ୍କର ନିମନ୍ତ୍ରଣ ଅଛି ।

—ଚାରୁ ନିମନ୍ତ୍ରଣ କରିଛି ତା ଘରକୁ ! କିନ୍ତୁ ସେ ସତ୍‌ସାହାସ ଆଜି—ମୋର ନାହିଁ !

ଛାତି ଥରି ଉଠୁଛି, ପାଦତଳୁ ପୃଥିବୀଟା ଯେମିତି ଖସି ଯାଉଛି !

କୁନି !

କଣ ଭାଇ !

ତୁ ଯା, ମୋ ଦେହ ଖରାପ ଅଛି, ମୁଁ ଯାଇ ପାରିବି ନାହିଁ !

ତା ବର ପରା ଆସିଥିଲା ? ସେମାନେ ଆମ ଘରକୁ ବୁଲି ଆସିଥିଲେ, ତୁମକୁ ଖୋଜିଲେ । ବୋଉ କହିଲା ଅଫିସ ଯାଇଛନ୍ତି । ବୋଉକୁ କହିଲେ ସେ ଆସିଲେ, ତୁମକୁ ତାଙ୍କ ଘରକୁ ପଠାଇବାକୁ । ପୁଣି କହିଛନ୍ତି ସେ ଯଦି ନଯାଆନ୍ତି; ସେ ନିଜେ ଆସି ନେଇ ଯିବେ ।

ଏଁ, ତା ବର ନିଜେ ଆସିବ ! ତାକୁତ ଫାଙ୍କି ଦେଇ ହେବନି ।

ଚାରୁ ଡାକିଛି—ପୁଣି ତାର ବର ଆସିବ ! ଯଦି ମୁଁ ନଯାଏ, ସନ୍ଦେହ କରିବନିତ ! ଯଦିଚ ମୋର କିଛି ହେବନି—ତେବେ ଚାରୁ, ଯିବକୁ ହିଁ ହେବ ! ଚାରୁର ଆଗ୍ରହ, ବରର ନିମନ୍ତ୍ରଣ, ଭାଙ୍ଗିବା ଅସମ୍ଭବ !

ମୁଁ ଯିବି କୁନି !

ହଉ ମୁଁ ସ୍ନିଗ୍‌ଧାକୁ ନେଇ ଆସୁଛି—

 

—ବାର—

 

ବାଟଟା ଯେ କେତେ ଶୀଘ୍ର କଟିଗଲା ମୁଁ ଜାଣି ପାରିଲି ନାହିଁ । ହଠାତ୍‌ ଚାରୁର ପାଟିରେ ମୋର ଧ୍ୟାନ ଭାଙ୍ଗି ଗଲା ! ଚାହିଁଲି, ଚାରୁ ଚାହିଁଛି, ଛାତଉପରୁ—ଏ ବୋଧେ ତାର ବର ନିଶ୍ଚୟଁ—

 

ଚାଲ ଚନ୍ଦ୍ର ଭାଇ, ଏଇ ପରା ଦେଈ ଡାକୁଛି !

 

ପଛରେ ସ୍ନିଗ୍‌ଧା କୁନି, ଆଖି ଆଗରେ ଚାରୁ ତା ବର ! ସରମରେ ମୁଣ୍ଡ ନଇଁ ଯାଉ ଥାଏ । ଜେଲଖାନାର କଇଦି ପରି ମୁଣ୍ଡ ପୋତି ଆଗେଇଲି । ଉପରୁ ସେମାନେ ଦୌଡ଼ି ଆସିଲେ ।

 

ନମସ୍ତେ !

 

ହସୁଛନ୍ତି, ଚାରୁ ତା ବର ! ମନଟା ଦବିଗଲା ବିବେକ କହୁଥିଲା ଏମାନେ ଥଟ୍ଟା କରୁ ନାହାଁନ୍ତି ତ—

 

ଚାରୁ କହିଲା ସେ ଭାରି ଲାଜକୁଳା ।

 

ସରମରେ କହିଲି, ନମସ୍ତେ—ସେ ମୋ ହାତଟାକୁ ଭିଡ଼ି ନେଇଗଲେ । ଲାଜକଣ କରୁଛନ୍ତି, ଏ ବି ତ ତୁମର ଘର, ଆମେସିନା ଅଚିହ୍ନା ତୁମ ଭଉଣୀତ ଅଚିହ୍ନା ନୁହେଁ—

 

ତାଙ୍କର ସେଇ ପଦକ କଥା । ଛାତି ଉପରେ ତୀର ଚାଲି ଗଲା ପରି ଲାଗୁଥାଏ, କିନ୍ତୁ ସେତ ଚାରୁ କୁ.... ! ମନର କୋହକୁ ମନରେ ଚାପିରଖି କହିଲି, ମୋର ବଡ଼ ସୌଭାଗ୍ୟ ଆପଣଙ୍କ ସହିତ ଦେଖାହେଲା ।

 

ଦୁହେଁ ହସି ଉଠିଲେ । ସେ କହିଲେ ଚାରୁ ତୁମ ଭାଇ ଭାରି ଚାଲାଖ ।

 

ମୋ ଆସିବାକୁ ବୋଧେ ସେମାନେ ବଡ଼ ମନ କରୁଥିଲେ । ମୁଁ କିନ୍ତୁ ସେମାନଙ୍କର ଉଦରତା ନିକଟରେ ନିଜକୁ ଛୋଟ ମନ କରୁଥିଲି ।

 

ଠିଆ ହେଲ ଯେ ! ହାତ ଧୁଅନ୍ତୁ ।

 

ଚାରୁ ଠିଆ ହୋଇଛି ପାଣି ଧରି । ସୁନାପିଲାଟି ପରି ହାତ ଧୋଇଲି । ଆଗରୁ ସେମାନେ ଖାଇବା ପିଇବାର ଯୋଗାଡ଼ କରି ରଖିଥିଲେ । ଆମେ ଖାଇ ବସିଲୁ, ଚାରୁ ଓ ତା ବର ଠିଆ ହୋଇ ରହିଲେ ।

 

ମୁଁ ଭଦ୍ରତା ଖାତିରିରେ କହିଲି ଆପଣ—

 

ନାଁ—ମୋର !

 

ଚାରୁ ବାଧା ଦେଲା, ବସୁନ । ପ୍ରତିବାଦ ନକରି ବସିଲେ । ଚାରୁ ଦେବା ନେବାରେ ବ୍ୟସ୍ତ ରହିଲା ।

 

ଆପଣଙ୍କ ନାଁ ଟା—

 

ଓଃ—ଧନ୍ୟବାଦ—ମୋ ନାଁ—ପ୍ରଦୀପ—ଆପଣଙ୍କର ମମତା ଜୀବନରେ ଭୁଲି ହେବନି ।

 

ସେ ମୋ କଥାରେ ପ୍ରତିବାଦ କଲେ—

 

—କାହିଁ ଆମେତ ସେମିତି କିଛି କରିନୁ—ବରଂ ଏତେ କଷ୍ଟ ସ୍ୱୀକାର କରି ଆପଣ ଆସିଛନ୍ତି, ଏହାହିଁ ଆମ ଜୀବନରେ ବଡ଼ କଥା ।

 

ମୁଁ ନୀରବ ରହିଲି । ଖିଆପିଆ ସରିଲା ।

 

ସିଗାରେଟ୍‌ ଖାଆନ୍ତି ଆପଣ ।

 

ନାଁ !

 

ମୁଁ ତାହା ହେଲେ ଟିକେ ଆସୁଛି । ଆପଣ ଏଠି ବସି ଗପ କରନ୍ତୁ, ମୁଁ ଟିକେ ଏଠୁ ଆସୁଛି, କିଛି ମନରେ ଭାବିବେନି ।

 

କାହିଁକି ବସୁନାହାଁନ୍ତି ।

 

ତେଣେ ବାପାଙ୍କୁ ଆଣିବାକୁ ହେବ । ସେ ଚାଉଳିଆଗଞ୍ଜ ଯାଇ ଥିଲେ, ଆସିନାହାନ୍ତି ଜିପ୍‌ ନେଇ ଆଣିବି ।

 

ମୁଁ ମନା କରି ପାରିଲିନି, ସେ ଚାଲିଗଲେ । କିଛି କ୍ଷଣ ପରେ ଚାରୁ ଆସି ପହଁଞ୍ଚିଲା କିଛି ପାନ ନେଇ ।

 

ପାନ ଖାଅ !

 

ଚାରୁ !

 

କ’ଣ !

 

ତୋର ସ୍ୱାମୀତ ଖୁବ୍‌ ଭଲ ଲୋକ । କ୍ଷଣିକରେ ସେତ ପରକୁ ଆପଣାର କରି ପାରନ୍ତି । ତୋର ଏତେ ଦୁଃଖ କାହିଁକି ?

 

ବାହାରୁ ଦେଖିଲେ କଣ ହୃଦୟ ବୁଝିହୁଏ ଚନ୍ଦ୍ର ଭାଇ ।

 

ମୁଁ ନୀରବ ରହିଲି ।

 

—ଚୁପ୍‌ ରହିଲ ଯେ ।

 

କ’ଣ ଭାବୁଛ !

 

ମୁଁ ଚାହିଁଲି ଡ୍ରଇଁ ରୁମ୍‌ର କାନ୍ଥରେ ଝୁଲୁଛି, ଚାରୁ ଓ ତାର ସ୍ୱାମୀର ବଡ଼କରା ଫଟୋ ଟାଏ । କି ସୁନ୍ଦର ଦେଖାଯାଉଛି । ବାହାରକୁ ଚାହିଁଲି, ପଦାକରରେ କିଏ ଠିଆ ହୋଇ ଲକ୍ଷ୍ୟକରୁଛି-

 

ଚାରୁ ।

 

ଉଁ !

 

ତୋତେ କିଏ ବୋଧେ ଡାକୁଛି ।

 

—ଛନ୍ଦା, ମୋର ନଣନ୍ଦ ।

 

—ଆସୁନୁଲୋ ଛନ୍ଦା !

 

ଚଞ୍ଚଳ ପଦକ୍ଷେପରେ ପଶି ଆସିଲା ସେ । ସତେ ଯେମିତି ଏଇ ପଦଟିଏ ପାଇଁ ଅପେକ୍ଷା କରିଥିଲା ସେ ।

 

ଚନ୍ଦ୍ର ଆଖି ଝଲସି ଉଠିଲା !

 

ସେତେ ସୁନ୍ଦରୀ ନ ହେଲେବି, ଆଧୁନିକା ନିଶ୍ଚିୟ—

 

ଚନ୍ଦ୍ର ଭାଇ ଛନ୍ଦାକୁ ଚିହ୍ନିଲ—କିଲୋ ନମସ୍କାର ହେଉନୁ ଭାଇକୁ—

 

ମନା କଲି—ଥାଉ ଛୁଆ ଲୋକ, ସେ ଚିହ୍ନିଗଲେ ବଳେ ହେବନି ଯେ—ଛନ୍ଦା କିନ୍ତୁ ମାନିଲାନି—

 

ନମସ୍କାର—

 

ପ୍ରତିନମସ୍କାର ଜଣାଇଲି ! ନାଁ ସାଥିକୁ ରୂପଟି ମଧ୍ୟ ଖୁବ୍‌ ସୁନ୍ଦର । ଚାହିଁଲି ଛନ୍ଦା ହସୁଛି, ସତେ ଯେମିତି କଥାଟା ତାର ମନକୁ ଖୁବ୍‌ ପାଇଛି । ଆପେ ଆପେ ପାଟିରୁ ବାହାରି ଆସିଲା—

 

କଣ ପଢ଼ୁଛ !

 

ମୁଣ୍ଡ ହଲାଇ ହଁ ଜଣାଇଲା ।

 

ବସୁନଁ !

 

ମୋ କଥାରେ ମୁହଁଟା ତାର ନାଲି ପଡ଼ିଗଲା, ସେ ଖାଲି ଠିଆ ହୋଇ ରହିଲା !

 

—ଚାରୁ କହିଲା, ସେ ବି ତୁମପରି ଲାଜକୁଳି—ହଉ ଥାଳିଆଟି ରଖି ଦେଇ ଆସ !

 

ଧୀର ପଦ କ୍ଷେପରେ ଚାଲିଗଲା ସେ ! ସତେ ଯେମିତି ତାର ଯିବାର ଇଚ୍ଛା ନାହିଁ ।

 

ଭଲ ସୁନ୍ଦର ନଣଦ ଟିଏତ ଚାରୁ ।

 

ଏ କଣ ଗୋଟାଏ । ଆହୁରି ୪ ଟାନା ! ସବୁତ ଗାଁରେ, ଏକା ଛନ୍ଦାକୁ ଛାଡ଼ି । ମୋର ଗୋଟାଏ କଥା ରଖିବ ଚନ୍ଦ୍ର ଭାଇ—

 

କଣ କହୁନୁ, ଯଦି ମୋ ପକ୍ଷରେ ସମ୍ଭବ ହୁଏ—ଛନ୍ଦାକୁ ମୁଁ ଛନ୍ଦି ଦେବାକୁ ଚାହେଁ ତୁମ ସହିତ । କଣ ଚାରୁର ଉପହାର ଗ୍ରହଣ କରିବତ—

 

ଚାରୁର ଅନୁରୋଧ, ମୋର କ୍ଷଣିକ ଦୁର୍ବଳତା, ମୋତେ କକ୍ଷ ଚୂତ କରି ପକାଇଲା । ବାପା ଠିକ୍‌ କରିଛନ୍ତି ବିଭାଘର—ସଦାନନ୍ଦ ବାବୁ ଚାହିଁଛନ୍ତି କଳାକୁ ଛନ୍ଦି ଦେବାକୁ—କ’ଣ କରିବ ସେ—ଆଖି ଆଗରେ ଠିଆ ହେଲେ ଦୁଇଟି ମୂର୍ତ୍ତି—କଳା ଓ ଛନ୍ଦା ! ଗୋଟିଏ ଅଜଣା ଅଦେଖା—ଆଉ ଛନ୍ଦା ଢଳ ଢଳ ନିଷ୍କଳଙ୍କ ତଟିନୀ ! କ୍ଷଣିକର ଦେଖାରେ ହୃଦୟଟାକୁ ଏକାବେଳକେ ମାଡ଼ିବସିଛି । ମୁଣ୍ଡରେ କିଛି ଢୁକିଲାନି—କହିଲି ଟିକିଏ ସମୟ ଦରକାର ଚାରୁ—

 

ଭାଇ ଯିବା ପରା—

 

ହଉ ଚାଲ ଯିବା । ବହୁତ ଡେରି ହେଲାଣି ! ସ୍ନିଗ୍‌ଧା କୁଆଡ଼େ ଗଲା !

 

ସେ ଆଜି ଏଠି ରହିବ ଚନ୍ଦ୍ର ଭାଇ ।

 

ଆମେ ଯାଉଛୁ ଚାରୁ । ସାଇକେଲଟା ରହିଲା । ପ୍ରଦୀପ ବାବୁଙ୍କୁ କହିବ କାଲି ନେଇ ଦେଇ ଆସିବେ ।

 

ଆମେ ଆଗେଇଲୁ ! ଆଖି ଆଗରେ କଟକ ସହରର ନାଲି ରାସ୍ତା ଲମ୍ବି ଯାଇଛି କାହିଁ କେତେ ଦୂର ! ଚାରୁ ଚାହିଁଛି ମୋ ଯିବା ବାଟକୁ । ଛାତ ଉପରକୁ ଚାହିଁଲି ଛନ୍ଦା—ତାର ଯିବା ବାଟକୁ ସତେ ଯେମିତି ସେ ଚାହିଁ ରହିଛି ! ଚାରି ଚକ୍ଷୁର ମିଳନ ହେଲା, କ୍ଷଣିକ ପାଇଁ ମୁଁ ଭୁଲି ଗଲି ଦୁନିଆଁ ! ପୁଣି ଆଗେଇ ଚାଲିଲି, ଚାଲ କୁନି, ଆଗରୁ ରିକ୍‌ସା ନେବା ।

 

ରିକ୍‌ସା ଛୁଟିଛି ଆମଘର ଅଭିମୁଖେ ।

 

ଭାଇ !

 

କ’ଣ ?

 

ଛନ୍ଦା ଅପା କଣ ଦେଇଛି ।

 

କଣ ଦେଇଛି ! ନାଲିଲଫାପା ଖଣ୍ଡେ ବଢ଼ାଇ ଦେଲା ସେ । ଭାବିଲି ଖରାପ ଭାବିବାର, ବୟସ କୁନିର ହୋଇନି । ବାଟରେ ନପଢ଼ି ରଖି ଦେଲି ।

 

ମନଟା ସେମାନଙ୍କୁ ଛାଡ଼ି ଭଲ ଲାଗୁନଥାଏ । ଚିଠିଟା କଥା ମନେ ପଡ଼ିଲା । ଖୋଲି ପଢ଼ିଲି !

 

ଚନ୍ଦ୍ରବାବୁ—

 

ନମସ୍କାର ! ମୋର ଚିଠିଟି ପଢ଼ି ବୋଧେ ଆଶ୍ଚର୍ଯ୍ୟ ହେବେ ! ଗାଳି ମଧ୍ୟ ଦେବେ । ଭାବିବେ ଛନ୍ଦାଟା କି ନିର୍ଲ୍ଲଜିଟା । କିନ୍ତୁ ସରଳ ହୃଦୟରେ ମୋର ଏ ଧୃଷ୍ଟତା ମାର୍ଜ୍ଜନା କରିବେ । ଭାଉଜଙ୍କ ଠାରୁ ତୁମ କଥା ଶୁଣିଛି । ତାଙ୍କ ଠାରୁ ତୁମ ଫଟୋଟା ପାଇଛି । ତମ କୁନିକୁ ସ୍ନିଗ୍‌ଧା ଆମ ସ୍କୁଲରେ ଚିହ୍ନାଇ ଦେଇଛି । ମୋର ଭାଗ୍ୟ, ତମ ପରି ମନୁଷ୍ୟର ଦର୍ଶନ ଆଜି ମିଳିଲା । ସବୁ ଦିନେ ମନ ମୋର ତୁମର ଦେଖା ପାଇଁ ବ୍ୟାକୁଳ ହୋଇ ଉଠେ, ମନ ଧାଇଁ ଯାଏ ଅମଡ଼ା ମାଡ଼ି ତୁମ ନିକଟକୁ । ମୁଁ ଭଗବାନଙ୍କୁ ଡାକେ । ସେ ଆଜି ମୋ ଡାକ ଶୁଣିଛନ୍ତି । ତୁମର ଦେଖା ନ ପାଇ ମନଟା ତୁମଠାରେ ବିକିଦେଇଛି । ଜାଣେନା ତୁମେ ଗ୍ରହଣ କରିବ କି ନାଁ, ଯଦି ତୁମେ ଖରାପ ଭାବ ଚିଠିଟି ପଢ଼ି ଚିରି ଦେବ । ମୋ ରାଣ ଚିଠିଟି ପଢ଼ି ତାର ଉତ୍ତର କୁନି ହାତରେ ପଠାଇବ । ଉତ୍ତର ପାଇଁ ଚାତକ ପରି ଚାହିଁ ରହିଲି ।

 

ଇତି

ଆପଣଙ୍କର ଅବହେଳିତା

ଛନ୍ଦା—

 

ଚିଠିଟା ପଢ଼ିସାରିଲି । ଛନ୍ଦା ଦେଇଛି—ଏ କଣ କଲା ସେ—ଗୋଟାଏ ଅପରାଧରତ ମାର୍ଜ୍ଜନା ଏ ପର୍ଯ୍ୟନ୍ତ ସରିନି—ପୁଣି ଜୀବନର ଦ୍ୱିତୀୟ ପ୍ରହରରେ ଛନ୍ଦା—ଆଖି ଆଗରେ ନାଚିଗଲା କେତେ ଘଣ୍ଟାର ଦେଖା । ମନଟା, କି ବିଚଳିତ କରି ପକାଇଲା—ମୁଁ ଅଜଣାରେ ପୁଣି ତାର ହୋଇ ଗଲି—କଲମ ଦୁଆତ କାଢ଼ି ଲେଖିବାକୁ ଆରମ୍ଭ କଲି ।

 

ଖଣ୍ଡକ ପରେ ଖଣ୍ଡେ କାଗଜ ନଷ୍ଟହେବାକୁ ଲାଗିଲା, କିନ୍ତୁ ମୁଁ ଦୁଇଧାଡ଼ି ବି ଲେଖି ପାରିଲି ନାହିଁ—ଶେଷରେ ।

 

ହୃଦୟ ଛନ୍ଦା !

 

ସମ୍ବୋଧନଟା ଭଲ ଲାଗିବକି ନାଁ, କିନ୍ତୁ ମୋର ଛୋଟ ମୁଣ୍ଡରେ ଯାହା ଢୁକିଲା ତାହାହିଁ ଲେଖି ଦେଲି । ତୁମର ଚିଠିଟା ପାଇଁ ଯେ କେତେ ଆନନ୍ଦିତ ହେଲି ତା ଚିଠିରେ ପ୍ରକାଶ କରିବାକୁ ଅକ୍ଷମ । ତୁମେ ତ ମୋତେ ନ ଦେଖି ମୋର ହୋଇ ଯାଇଥିଲ । ତୁମପରି ସରଳ ହୃଦୟ ବାଳିକା ଗ୍ରହଣ ବା ନକରିବ କିଏ ? ମୁଁ ତୁମର ସେଇ ଦେଖାରେ ଏକବାର ଆତ୍ମହରା ହୋଇ ପଡ଼ିଥିଲି । ସେ ସମୟର ଦେଖା ଓ ତୁମର ଅନୁପମ ଋପ ବାର ବାର ମନ ଚାହିଁଲେ ବି ଭୁଲି ହେଉନି, ମନ ଭଲ ଲାଗୁନାହିଁ । ପରେ ଚିଠି ଦେବି । ଏତିକିରେ ରହିଲି । ରାଗିବ ନାହିଁ ।

 

ଇତି

ଚନ୍ଦ୍ର—

 

ଚିଠିଟି ବନ୍ଦକଲି । ଆଖି ଆଗରେ ଠିଆ ହେଲେ କେତେ ଗୁଡ଼ାଏ ଅସ୍ପଷ୍ଟ ଛାୟା ମୂର୍ତ୍ତି !—ଚାରୁ—ଝପସା ଅନ୍ଧକାର ମଧ୍ୟରେ ଲୁଚି ଯାଉଛି ସେ—ଦରଦୀ ଭରା କ୍ଷୀଣ ସ୍ୱର ସୁଖିଯାଇଛି । ମୋତେ ଭୁଲି ଯାଅ ଚନ୍ଦ୍ର ଭାଇ—ମୁଁ ବର୍ତ୍ତମାନ ସଂସାରୀ ତୁମେ ଛନ୍ଦାକୁ ଗ୍ରହଣ କର । ସେ ମୋର ଶ୍ରେଷ୍ଠ ଦାନ ।

 

—ଅନ୍ଧକାର ଭେଦ କରି ଆଗେଇ ଆସିଲା ଏକ ଆଲୋକର ଉତ୍ସ । ସ୍ପଷ୍ଟ ଭାବରେ ଦେଖା ଗଲା—ଛନ୍ଦା—ମୋତେ ନିରାଶା ଅନ୍ଧକାରକୁ ଠେଲି ଦିଅନାଁ ଚନ୍ଦ୍ରବାବୁ—ମୁଁ ତୁମର ମନର ମାନସୀ—ମୋର ହୃଦୟ ତନ୍ତ୍ରୀ ଝଙ୍କାରିତ ହୋଇ ଉଠୁଛି ତୁମରି ପାଇଁ—କ’ଣ ଗ୍ରହଣ କରିବ ତ ?

 

ଆଲୋକ ଅପସରି ଗଲା—ଝାପ୍‌ସା ଅନ୍ଧକାର ମଧ୍ୟରେ ଠିଆ ହୋଇଛି ଏକ ନାରୀ—ଆଲୁଳାୟୀତ କେଶ—ରୂପତାର କେବେ ଦେଖିନି ବୋଧେ—ଚିହ୍ନି ବି ହେଉନି—

 

କଳା—

 

ଡରିଗଲ କି ଚନ୍ଦ୍ରବାବୁ ! ତୁମର ବାପାଙ୍କର ମନୋନିତରେ ମୁଁ ପୁଣି ତୁମର ହୋଇ ଆସିବି । ସେତେବେଳେ ତୁମେ କଣ ଖୁସି ହେବନି—

 

—ମୁଣ୍ଡ ଗୋଳ ମାଳ ହୋଇ ଗଲା—

 

ଡାକ ପକାଇଲି—

 

ଚାରୁ, ଚାରୁ—

 

—ଦୌଡ଼ି ଆସିଲା କୁନି !

 

—କ’ଣ ଭାଇ ।

 

ମୁଣ୍ଡରେ ମୋର ଚେତା ପଶିଲା । ମୁଁ ତୋତେ ଡାକୁ ଥିଲି କୁନି !

 

କିନ୍ତୁ ତୁମେତ ଚାରୁ ଅପାକୁ—

 

—ମୋର ଭୁଲ ହୋଇଗଲା କୁନି, ତୋ ଚାରୁ ଅପାସିନା ଚାଲି ଯାଇଛି ହେଲେ ଅଭ୍ୟାସଟା ମୁଁ ଛାଡ଼ି ପାରି ନାହିଁ । ସ୍କୁଲକୁ ଯିବୁନାଁ ।

 

ହଁ !

 

—ନେ ଏ ଚିଠିଟା, ଛନ୍ଦାକୁ ଦେଇଦେବୁ ।

 

—ହଉ !

 

ଚାଲି ଗଲା ସେ, ମୁଁ ଭାବୁଥିଲି, ଏ ଅଭିଯାନ, କ’ଣ ଆଲୋକକୁ ନାଁ ଅନ୍ଧାରକୁ—

 

—ତେର—

 

କାଠ ଯୋଡ଼ୀର ପଥର ବନ୍ଧଉପରେ ଠିଆ ହୋଇଛି କଲେକ୍‌ଟରୀଏଟ୍‌ର ବଡ଼ କୋଠାଟି । ମୋ ସହିତ ବହୁତ ଲୋକ ସେଠାରେ କାମ କରନ୍ତି । ଲୋକ ଗହଳିରେ ସ୍ଥାନଟା ପୂରିଯାଏ । ମୋ ଟେବୁଲ ଉପରେ ଫାଇଲ ପରେ ଫାଇଲ ଗଦା ହୋଇଯାଏ । ୧୦ଟାରୁ ଆସି ୩ଟା ବାଜିଲା । କାମ କରି କରି ହାତ ରହିଗଲାଣି, ତେବେ ବି କର୍ତ୍ତବ୍ୟର ବିରାମ ନାହିଁ—

 

—ବାବୁ !

 

ଫାଇଲ ଉପରୁ ଆଖି ଫେରାଇଲି । ବଡ଼ ବାବୁଙ୍କର ଚପରାଶି !

 

—କଣ କିରେ !

 

—ବାବୁ ଡାକୁଛନ୍ତି ଆଜ୍ଞା ?

 

—କାମ ଦାମ ଛାଡ଼ି ବାହାରିଲି । ତାଙ୍କର ଡାକିବାର ସ୍ପଷ୍ଟ ଉଦ୍ଦେଶ୍ୟ ମୁଁ ବୁଝି ପାରୁଥାଏ-। ଇଚ୍ଛା ହେଉ ଥାଏ, କହିଦେବାକୁ ଯାଇଁ ତାଙ୍କର ଅଭିନୟ ବନ୍ଦ୍‌ ରଖିବାକୁ ! ଚାକିରୀକୁ ଡରମାଡ଼ୁ ଥାଏ ଯେତେ ହେଲେ । ତାଙ୍କର ତଳେ । ନଯାଇ ବା ଚାରା ନାହିଁ । ସିଧା ଗଲି ।

 

ଏକୁଟିଆ ଘରଟିରେ ସେ କାମରେ ବ୍ୟସ୍ତ ଥାଆନ୍ତି । ସତେ ଯେମିତି ଦୁନିଆ ଯାକର କାମ ତାଙ୍କର ।

 

—ମତେ ଡାକୁଥିଲେ ଆଜ୍ଞା ।

 

—ଫାଇଲ ଉପରୁ ଆଖି ଫେରିଲା, ସଦାନନ୍ଦ ବାବୁ କଳା ଫ୍ରେମ୍‌ ଲଗା ଚଷମା ତଳୁ ଚାହିଁଲେ ମୋତେ ।

 

ଚନ୍ଦ୍ର !

 

ଆଜ୍ଞା !

 

ତୁମେ ଆଜି ଅଫିସ ପରେ ମୋ ସାଥିରେ ଆମ ଘରକୁ ଯିବ !

 

—ପାଟି ମୋର ଖଜବଜ ହେଉଥିଲା, କହି ଦେଇ ଥାଆନ୍ତି କଣ ଝିଅକୁ ଦେଖିବାକୁ—କିନ୍ତୁ ଜିଭ ମୋର ଲେଉଟିଲା ନାହିଁ—ମୁଁ ଅଶିଟଙ୍କିଆ କିରାନି ! ବାଧ୍ୟ ଶିଶୁଟି ପରି କହିଲି ।

 

—କଣ କାମଥିଲା ।

 

—ହଁ,

 

ତେବେ ଯିବି ଆଜ୍ଞା ।

 

—ତେବେ ଯାଅ । ଏଇଥିପାଇଁ ଡାକୁଥିଲି ।

 

ମୁଁ ଫେରି ଆସିଲି । ପୁଣି ଲାଗି ପଡ଼ିଲି କାମରେ । କିନ୍ତୁ ମନେ ପଡ଼ିଲା—ଛନ୍ଦା—ଦେଇଥିବା ଚିଠି—କାନ୍ଥ ଘଣ୍ଟାରେ ଠନ୍‌ ଠନ୍‌ ହୋଇ ବାଜିଲା ଚାରିଟା !

 

କଟକର ନାଲି ରାସ୍ତା ଉପରେ ଛୁଟି ଥାଏ ଦୁଇଟି ସାଇକେଲ । ସଦାନନ୍ଦ ବାବୁ ଓ ମୁଁ—

 

—ଏଇଠି ରୁହ !

 

—ମୁଁ ଓହ୍ଲାଇଲି, ଓ ସେ ମୋ ପଛରେ ! ସେ ମୋତେ ନିର୍ଦ୍ଦେଶ ଦେଲେ ଘରକୁ ଯିବାକୁ-!

 

—ବସ ।

 

—ଆଜ୍ଞା ।

 

ସଦାନନ୍ଦ ବାବୁ ଚାଲି ଗଲେ ! ଏକୁଟିଆ ବସି ରହିଲି ମୁଁ । କିନ୍ତୁ ଧଇଲା ଚଢ଼େଇଟି ପରି ଛଟ ପଟ ହେଉଥାଏ !

 

ପରଦା ଆଡ଼େଇ ଠିଆ ହେଲା ଛୋଟ ପିଲାଟିଏ !

 

—ବାପା ଡାକୁଛନ୍ତି !

 

ସଦାନନ୍ଦ ବାବୁଙ୍କର ପୁଅ ବୋଧେ । ମୁଁ ମଧ୍ୟ ତାର ଅନୁଗମନ କଲି । ସେ ମୋତେ ନେଇ ବସାଇ ଦେଲା ଗୋଟିଏ ସୁସଜ୍ଜିତ ପ୍ରକୋଷ୍ଠରେ ! ଚାରି ଆଡ଼କୁ ଆଖି ଫେରାଇଲି ! କାନ୍ଥ କରକୁ କେତେଗୁଡ଼ିଏ ବହିଥିବା ଆଲମାରିଟିଏ । ତା ପାଖକୁ ଆଲଣା, ନାନାପ୍ରକାର ଶାଢ଼ୀରେ ଭରପୂର ସେ । କାନ୍ଥ ଦେହରେ ଝୁଲୁଛି ଏମ୍ରୋଡୋରି ସୁତାର ଫଟୋ କେତେ ଖଣ୍ଡି ! ଝରକା ଉପରେ କଳାର ବଡ଼କରା ଫଟୋଟାଏ ! ଆଧୁନିକତାର ଲେଶମାତ୍ର ଚିହ୍ନ ନାହିଁ ! କିନ୍ତୁ ଖୁବ୍‌ ସୁନ୍ଦର ଦେଖା ଯାଉଛି ସେ !

 

ଭିତରକୁ ପଶିଆସିଲା ତରୁଣୀଟିଏ ହାତରେ କିଛି ଜଳଖିଆ ନେଇ !

 

—କଳା !

 

ଢଳ ଢଳ ରୂପ ଯୌବନ । ସରମରେ ଭାଙ୍ଗି ପଡ଼ୁଥାଏ ସେ । ସେ ପୁଣି ହେବ ତାର ଜୀବନ ସଙ୍ଗୀନି । କଳା—ଚାହିଁଛି ମୋତେ । ଚକ୍ଷୁ ପଲକହୀନ । ବୋଧେ ସେ ଜାଣିନି, ଏଇ ହତଭାଗା ହେବ ତାର ଜୀବନର ସାଥି ।

 

—ରଖନ୍ତୁ ।

 

ସେ ରଖି ଦେଇ ଠିଆ ହେଲା, ମୁଁ ବସି ତୁଳନା କରୁଥିଲି, କଳା ସହିତ, ଛନ୍ଦା ଓ ଚାରୁକୁ-। କ୍ଷଣିକର ଦୁର୍ବଳତା, ରୂପର ମୋହ, ନିମିଷକ ମଧ୍ୟରେ କରିନେଲା ତାର, ସେ ବାଧା ଦେଇ ପାରିଲାନି । କିନ୍ତୁ ନିୟତି ଉଦ୍ଦେଶ୍ୟ ଭିନ୍ନ । ସେ ସେମାନଙ୍କୁ ମୋର କରି ପାରିଲାନି ! ବାପା ବୋଉ ତାର ପଥରେ କଣ୍ଟା ହେଲେ ! ଦୁନିଆରେ ସମସ୍ତେ ସ୍ୱାର୍ଥପାଇଁ—ସଦାନନ୍ଦ ବାବୁ—ଚାହାଁନ୍ତି ଛନ୍ଦି ଦେବାକୁ, କଳାକୁ ତା ସହିତ । ବଣୁଆ ପଶୁକୁ ପୋଷା ମାନିବା ପାଇଁ ସେ ଏ ସୁବିଧା ଦେଉଛନ୍ତି । କିନ୍ତୁ କେହି ତ ତା ମନ କଥା ବୁଝୁ ନାହାନ୍ତି ।

 

—ଖାଉ ନାହାଁନ୍ତି ।

 

ଓଃ ଆଚ୍ଛା ଧନ୍ୟବାଦ, ବାପାଙ୍କୁ ଟିକେ ଡାକି ଦେବେ ।

 

ପାଟିରୁ କଥା ନ ସରୁଣୁ ସଦାନନ୍ଦ ବାବୁ ପଶି ଆସିଲେ, ତାଙ୍କ ସାଥିରେ ତାଙ୍କର ସ୍ତ୍ରୀ !

 

—କଣ ଖାଉନ !

 

ଲାଜରେ ମୁଣ୍ଡ ନଇଁ ଗଲା । ମୁଁ କିଛି କହିଲିନି—ଖାଲି ଭାବୁଥିଲି—ଏ ଅଭିନୟ ପୁଣି କାହିଁକି ?

 

କଳା—ବୋଉ ପାଟିକରି ଉଠିଲେ—

 

—ଖାଉନ ପୁଅ, ଲାଜକଣ କରୁଛ ! ଆମ ପାଖରେ ତୁମର ଭାବିବାର କଣଅଛି !

 

—ପୁଅକୁ ଟିକେ ଡାକନ୍ତୁ ।

 

ସଦାନନ୍ଦ ବାବୁ ଡାକିଲେ ମନୁକୁ ମନୁ ଦୌଡ଼ି ଆସିଲା, ୭।୮ ବର୍ଷର ପିଲାଟିଏ ।

 

—କଣ ବାପା !

 

ମୁଁ ଡାକିଲି !

 

—ଖାଇବ ଆସ

 

ନାଁ, ମୁଁ....

 

ସଦାନନ୍ଦ ବାବୁ ଆଖି ଦେଖାଇଲେ । ଛି ମନୁ, ଏମିତି ହୁଅନ୍ତି । ସେ ପରା ତୋର ଭାଇ-

 

—ପିଲାଟା ଡରିଗଲା । ବାଧ୍ୟହୋଇ ବସିପଡ଼ିଲା ମୋ ନିକଟରେ । ଦୁହେଁ ଖାଇଲୁ । ମୁଁ ଚାହିଁଲି କଳା ଲୁଚିଗଲା ସେଇ କାନ୍ଥ ଉହାଡ଼ରେ ।

 

ମୁଁ ଯାଉଛି ଆଜ୍ଞା !

 

—କଣ ଭଲ ଲାଗିଲା ତ !

 

ମୁଣ୍ଡ ଟୁଙ୍ଗାରିଲି ।

 

ହଁ, ନମସ୍କାର କରି ବିଦାୟ ନେଲି । ସାଇକେଲଟି ଧରି ଆଗେଇଲି ସେଇ ନାଲି ଧୂସର ରାସ୍ତା ଉପରେ । ପଛକୁ ଫେରି ଚାହିଁବାକୁ ମନ ହେଲାନି ।

 

ଘରେ ଗୋଡ଼ ନ ଦେଉଣୁ କୁନି କହିଲା ଭାଇ ତୁମର ଗୋଟାଏ କଥା ଅଛି ।

 

—ଦେ !

 

—ତମ ଟେବୁଲ୍‌ ଉପରେ ରଖି ଦେଇ ଆସିଛି ।

 

ଏକା ନିଶ୍ୱାସରେ ଧାଇଁଲି ଉପରକୁ । —ଛନ୍ଦା—ଲେଖିଛି ଚିଠି !

 

ହୃଦୟର ଦେବତା,

 

ଆଦରର ନମସ୍କାରଟି ସାଦରରେ ଗ୍ରହଣ କରିବ । ତୁମର ହାତ ଲେଖା ଚିଠିଟି ପାଇଁ ଯେ କେତେ ଖୁସି ହେଲି ତା ତୁମେ ଅନୁମାନ କରି ପାରୁଥିବ । ସବୁସମୟରେ ତୁମର ମନଭୁଲା ଛବିଟି ଆଖି ଆଗରେ ନାଚିଯାଏ । କ୍ଳାସର ପଢ଼ା ମନେ ରହେନାଁ । ମୋର ଅନୁରୋଧରେ ତ ଚିଠିଟି ଲେଖିଛ, ଆଉ ଗୋଟାଏ ଅନୁରୋଧ ରଖି ପାରିବ, ଡର ମାଡ଼ୁଛି—ନ କହିଲେ ବି ତୁମେ ଜାଣି ପାରିବନି, ଦୁଷ୍ଟ ଚନ୍ଦ୍ର—ମୋ ରାଣ କିଛି ଭାବିବେନି ।

 

ସେ ଦିନର ଦେଖା କେବଳ ୧ ଘଣ୍ଟା ପାଇଁ, ମନଟା ଲଗାମ ଛଡ଼ା ହୋଇ କେତେ ଦୂର ଆଗେଇ ଯାଇଛି ତା ତୁମେ ଜାଣି ପାରୁନ । ମୋ ପାଇଁ କଷ୍ଟ ସ୍ୱୀକାର କରି ଆମ ସ୍କୁଲ ଯାଏ ଆସିବ—ଅନେକ ଦିନର କଥା ଗୁଡ଼ାକ ଯେ ତୁମ ପାଇଁ ସାଇତି ରଖିଛି, ତା ଚିଠିରେ ଲେଖିବା ଅସମ୍ଭବ । ତେଣୁ ତୁମେ ଆସିବ ମୁଁ ଏକାନ୍ତରେ କହିବି ।

 

ଚନ୍ଦ୍ର ଭାଇ, କାଲି ତିନିଟା ପରେ ଆସିବ ମୋର କ୍ଳାସ ନାହିଁ । ସାଙ୍ଗ ହୋଇ ଯିବା । ଅନେକ କଥା ଅଛି । କ୍ଲାସରେ ସାଙ୍ଗ ପିଲାମାନେ ଗୋଳ ମାଳ କରୁଛନ୍ତି । କିଛି ଲେଖି ହେଉନି । ଅନ୍ୟ ସବୁ ସାକ୍ଷାତରେ । ଭୁଲଥିଲେ କ୍ଷମା ଦେବେ । ଇତି ।

 

ଛନ୍ଦା !

 

ଚିଠିଟା ବନ୍ଦ କରି ରଖିବାକୁ ମନ ହେଲାନି, ପୁଣି ପଢ଼ିଲି । ଲୋମ ଗୁଡ଼ାକ ଟାଙ୍କୁରି ଉଠିଲା । ଛନ୍ଦା ସହିତ ଦେଖା ହେବ । ସେ ନିମନ୍ତ୍ରଣ କରିଛି । ଆଖି ପଡ଼ିଲା ଖଣ୍ଡେ ରୁମାଲ । ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି ଛନ୍ଦା—

 

ଚନ୍ଦ୍ର !

 

ବୋଉ !

 

—ଏତେ ଡେରି କଣ ତୋର ।

 

—ମୁଁ ପରା ସଦାନନ୍ଦ ବାବୁଙ୍କ ଘରକୁ ଯାଇଥିଲି ।

 

—ତାଙ୍କ ଝିଅକୁ ଦେଖିଲୁ ?

 

ଆଶ୍ଚର୍ଯ୍ୟ ହେଲା ପରି ପଚାରିଲି ଏକଣ କହୁଛୁ ତୁ–ତାଙ୍କର ଝିଅ–ହଁ—କଣ ହେଲା–ଦେଖିଲିତ !

 

—କଣ ମନ ଚାଲୁଛି ତ ।

 

ବାପା ପରା ତା ସହିତ ତୋ ବିଭାଘର ଠିକ୍‌ କରିଛନ୍ତି, ହଉ ତୋ ଇଚ୍ଛା ।

 

କଥାରେ ବାଧା ଦେଇ କହିଲି ବୋଉ ବିଭା ଘର ନ ହେଲେ କଣ ଚଳିବନି ।

 

ବାପା ଡାକ ଛାଡ଼ିଲେ,—ଏଣେ ଆସ ବୁଢ଼ା ବୋଉ, ସେ ପିଲା ଲୋକ ତାକୁ କଣ ପଚାରୁଛ—ଏଣେ ଆସ କାମ ଅଛି—

 

ବୋଉ ଚାଲିଗଲା, ଯେମିତି ମୋ କଥା ତା କାନରେ ପଡ଼ୁ ନାହିଁ । ଦୁନିଆ ସ୍ୱାର୍ଥପର, ସେ କାହିଁକି ତାଠାରୁ ବାଦ ଯିବ । ମୁଁ ବସି ଭାବୁ ଥିଲି କାଲି ୩ଟା ବେଳ କଥା—ଆର ଘରୁ ବାପା କହୁ ଥିଲେ—ଆଉ ପରା ପନ୍ଦରଟା ଦିନ ରହିଲା ବୁଢ଼ା ବୋଉ । ମୋ ମୁଣ୍ଡ ଘୂରୁଥିଲା ଠିକ୍‌ ଏରୋପ୍ଳେନରେ ଚକ ପରି ଅତି ଦ୍ରୁତ ଗତିରେ ।

 

—ଚଉଦ—

 

ଦିନ ଗୋଟାଏ ହେବ । ଅଫିସରେ କାମ କରିବାକୁ ମନ ଲାଗୁନଥାଏ ! ମିନିଟିଏ ସମୟ ଗୋଟାଏ ଯୁଗପରି ଲାଗୁଥାଏ । ମନେ ଭାବୁଥାଏ କେତେବେଳେ ଘଣ୍ଟା କଣ୍ଟାଟା ୨ଉପରକୁ ଘୂରିଯିବ । ମୁଣ୍ଡ ବିନ୍ଧାର ବାହାନା ନେଇ ଅଫିସରୁ ଛୁଟି ନେଲି । ପିଚୁ ରାସ୍ତାଉପରେ ସାଇକେଲଟା ଛୁଟାଇ ଦେଲି । ଗାର୍ଲସ୍କୁଲ ଅଭିମୁଖେ । ସାଇକେଲର ଦୌଡ଼ ପବନ ଦୌଡ଼ ନିକଟରେ ହାର ମାନୁ ଥାଏ । ଘଡ଼ିକୁ ଚାହିଁଲି ଆହୁରି ୧୫ ମିନିଟ୍‌ବାକି । ସିଧା ସଳଖ ଚାଲିଲି Motor stand ପାଖ ଚା ଦୋକାନି ନିକଟକୁ ।

 

—କ’ଣ ଚା ବାବୁ !

 

ନାଇଁ କିଛି ଜଳଖିଆ ଆଣ । ଦୋକାନି ତତ୍ପରତାର ସହିତ ମୋ ସେବାରେ ଲାଗି ପଡ଼ିଲା ! ମୁଁ ବି ଚାହୁଁଥିଲି କେମିତି ସମୟ କଟିଯାଉ ! ଚିହ୍ନା ଦୋକାନି । ସାଇକେଲଟା ରଖି ଦେଇ ଚାଲିଗଲି ସ୍କୁଲ ଯାଏ !

 

ଭଗବାନଙ୍କର, ଦୟାରୁ ସେ ବି ଆସି ହାଜର । ମନ ମୋର ଆନନ୍ଦରେ କୁଣ୍ଢେ ମୋଟ ହୋଇଗଲା !

 

—ବହୁତ କଷ୍ଟ ଦେଲି ନାଁ,

 

—ନାଇଁ କଷ୍ଟ କଣ, ଏତ ଗୋଟାଏ ଅନୁଭୂତି ମାତ୍ର ।

 

ହଉ ଚାଲନ୍ତୁ !

 

ଦୁହେଁ ଗୋଟାଏ ତେଲଙ୍ଗା ରିକ୍‌ସାରେ, ଏବେ ଯିବା କୁଆଡ଼େ । ମନେ ପଡ଼ିଲା ଗୋରାକବର । ରିକ୍‌ସା ଆମର ନିର୍ଦ୍ଦେଶରେ ଚାଲିଲା ଗୋରାକବର !

 

ରିକ୍‌ସା ଅଟକିଲା । ଆଗରେ ଗୋରାକବର । ଇଂରେଜ ମାନଙ୍କର ସମାଧିରେ ପରିପୂର୍ଣ୍ଣ । ମାଳିକୁ ଟ୧୧ ଦେଇ ଗଲୁ ଭିତରକୁ । ଚାରିଆଡ଼େ ଉଚ୍ଚ ପାଚେରୀ, ଦେଖିବାକୁ କାହାର ରାହା ନାହିଁ । ଆମେ ଡେଇଁ ଚାଲିଥାଉ ଗୋଟିଏ ପରେ ଗୋଟିଏ ସମାଧି ସ୍ତୂପ ! ଆଖି ଆଗରେ ବିରାଟ ମହାନଦୀ !

 

—ଏଇଠି ବସ ଛନ୍ଦା !

 

—ଖରାଟା ପଡ଼ୁଛି ଚାଲ ଛାଇରେ ବସିବା !

 

ମୁଁ ପ୍ରତିବାଦ ନକରି କହିଲି ଚାଲ । ଦୁହେଁ ସେଇ ଗଛଛାଇ ତଳେ ବସିଲୁ । ସେ ଆରମ୍ଭ କଲା—

 

—ମୁଁ ଆପଣଙ୍କୁ କଣ ଡାକିବି !

 

—ତୁମେ କହୁନ !

 

—ନାଁ ତୁମେ କୁହ !

 

—ଯାହା କହିଲ ସେଇଆ !

 

—ବାଃ ବଡ଼ ଚାଲାଖି ତ—ତାହାହେଲେ ତୁମେ, ହେଲା—

 

—ହଁ,

 

—ଛନ୍ଦା,

 

—ଉଁ,

 

ତମେ ଭାବିଥିବ ମୁଁ ତୁମର ଚିଠିଟା ପାଇଁ ଆଶ୍ଚର୍ଯ୍ୟ ହୋଇ ଯାଇଥିବି—ନାଁ !

 

—ମୁଁ କଣ ତୁମ ମନରେ ପଶିଛିକି—

 

—ନ ହେଲେ, ଭାବି ଥିବ, ମୁଁ ଆସିବିନି । ଯଦି ମୁଁ ଆସିନଥାନ୍ତି !

 

—ଘରକୁ ଫେରିଯାଇ ଥାଆନ୍ତି । କିନ୍ତୁ ମୁଁ ଠିକ୍‌ ଜାଣେ ତୁମେ ଆସିବ—

 

—ବାଃ, ଖୁବ୍‌ ଆଶା ବାଦିନୀତ ।

 

—ସତେ ସ୍ନିଗ୍‌ଧା ଯେ ଖୁବ୍‌ ଭାଗ୍ୟବତୀ, ସେ ତୁମକୁ ପାଇ ସୁଖି ହେବ ।

 

—ସେ ମୋ ନିକଟରୁ ଦୂରେଇ ଗଲା, ଛାଡ଼ ସେ କଥା !

 

—ଛନ୍ଦା !

 

—ଉଁ

 

—ଏ କବର ଗୁଡ଼ାକ ଦେଖୁଛ ନା ।

 

—ହଁ, ଭୟ ଲାଗୁଛି କି ?

 

—ନାଁ ଦିନରେ କଣ ଭୟ ! ଖାଲି ତୁମ....

 

—ମୋତେ ମୋଟେ ଡର ମାଡ଼େ ନାଁ !

 

—ଭାଇ, ଭାଉଜଙ୍କୁ !

 

—କିନ୍ତୁ ତୁମ ନିକଟରେ ନୁହେଁ, ବରଂ ସେମାନେ ଦେଖିଲେ ଖୁସି ହେବେ । ଜାଣ ତୁମେ, ମୋ ଅପେକ୍ଷା ସେମାନେ ତୁମକୁ ଭଲ ପାଆନ୍ତି ।

 

—ମୁଁ କଥା ବଦଳାଇ କହିଲି ଛାଡ଼ ସେ କଥା, ମୁଁ କଣ ଏମିତି ନିତି ଆସି ପାରିବି ନାଁ, ତୁମେ ଯାଇ ପାରିବ ।

 

—କାଇଁ ଆମ ଘରକୁତ ତୁମକୁ ମନା ନାହିଁ ।

 

ତାର କଅଁଳିଆ ହାତଟିକୁ ମୋର ହାତ ସହିତ ମିଳାଇ ଧରିଲି । କଣ ଠିକ୍‌ ଅଛି ନାଁ—

 

—ତୁମେ କହୁନଁ !

 

—ହଁ,

 

—ମିଛ କଥା !

 

—ନ ହେଲେ ନାଇଁ !

 

ଅଭିମାନରେ ହାତଟିକୁ ଭିଡ଼ିନେଲା ସେ !

 

—ଦୁଷ୍ଟ !

 

ମୋର ହାତ ଟିକୁ ଭିଡ଼ି ନେଲା ସେ, ନିଜର ଆଙ୍ଗୁଠିରୁ ମୁଦିଟିଏ କାଢ଼ି ପିନ୍ଧାଇ ଦେଲା ସେ—

 

—ହେଲାତ—ଆମର ବଂଶର ଗୌରବର ଚିହ୍ନ ଏ, ମୋର ବାପା ମୋତେ ଦେଇଥିଲେ ।

 

—ଏଇଟା ଯେ ହିରା ବସା ମୁଦି ନା ।

 

—ହଁ, କଣ ହେଲାକି ?

 

କିଛି କହିବାକୁ ପାଟିକୁ ଭାଷା ଆସୁନଥିଲା । ମୋର କାନ ନିକଟରେ ମୁହଁ ଟାକୁ ଯୋଡ଼ି କହିଲା,—

 

—ଗରିବର ପହିଲି ଉପହାର ।

 

—ଆଉ ଏତେ କଥା କହି ଶିଖନା, ସରୁ ଚାପୁଡ଼ା ଟିଏ ତାର ଗଣ୍ଡ ଦେଶରେ ବସାଇ ଦେଲି ! ଆପେ ତାର ପାଟିରୁ ବାହାରି ଆସିଲା—

 

—ତୁମେ ଦୁଷ୍ଟ !

 

ଘଡ଼ିକୁ ଚାହିଁଲି ୪ଟା ହେବ !

 

—ଛନ୍ଦା

 

—କଣ !

 

—୪ଟା ବାଜିଲାଣି ପରା, ଯିବନି ନାଁ କଣ ?

 

—ନାଁ !

 

—କିଏ ଦେଖିବ ଯଦି ?

 

—ତୁମ ଘରେ କଣ କହିବେ !

 

—ସେଥିରେ ତୁମର କଣ ଅଛି !

 

—ହଁ

 

—ମୋ ଦେହ ଛୁଇଁଲ !

 

ଛୁଇଁଲି !

 

ଚାଲ ଯିବା ।

 

—ହେଉ ଚାଲ ! ମନୁଷ୍ୟକୁ ବଦନାମ ନକରି କଣ ଛାଡ଼ିବ ।

 

ରିକ୍‌ସା ଚାଲିଲା ତାଙ୍କର ଘର ଅଭିମୁଖେ । ଛାତି ମୋର ଉଠୁଥାଏ ପଡ଼ୁଥାଏ । ବାପା କି ସଦାନନ୍ଦ ବାବୁ ଦେଖିବେନିତ । ଯାହା ହେବ ଦେଖାଯିବ ।

 

—ଏଇତ ତୁମ ଘର ହେଲା ଛନ୍ଦା !

 

—ହେଉ !

 

—ମୁଁ ଯାଉଛି ।

 

—ମୋ ରାଣ, ଆମ ଘରୁ ଜଳଖିଆ ଖାଇ ଯିବ । ଭାଉଜ ଦେଖିଲେ କେଡ଼େ ଖୁସି ନ ହେବେ ।

 

ପ୍ରତିବାଦ ନକରି ଓହ୍ଲାଇଲି । ଦାଣ୍ଡ ଦୁଆର ମୁହଁରେ ଠିଆ ହୋଇଥିଲା ଚାରୁ ।

 

—ଚନ୍ଦ୍ର ଭାଇ !

 

—ସେ ପରା ଯାଉ ଥିଲେ, ଭାଉଜ ମୁଁ ତାଙ୍କୁ ପରା ଜବରଦସ୍ତ ନେଇ ଆସିଲି ।

 

—ଚାରୁ ହସିଲା ।

 

ତାହାସବୁ ଝରି ପଡ଼ୁଥିଲା ଅସୁମାରୀ ସ୍ନେହ ମମତା । —ଛନ୍ଦା ଭିତରକୁ ଚାଲିଗଲା । ମୁଁ ଓ ଚାରୁ ସେଇ ବାରଣ୍ଡାରେ ଠିଆ ହୋଇ ରହିଲୁ ।

 

—ଚାରୁ

 

—ଉଁ

 

—ତୁ ଖରାପ ଭାବିଲୁକି !

 

—ନାଁ ତ, ବରଂ ଖୁସି ହେଉଛି, ତୁମେ ମୋ ପାଇଁ କଣ ନ କରିଛ । ମୁଁ କିଛି ଦେଇ ପାରିଲିନି, ତୁମକୁ ଆଜି ଛନ୍ଦା ସହିତ ଦେଖିଲା ପରେ ମୋ ମନ କେତେ ଖୁସି ହେଲା, ତୁମେ ବୁଝିପାରିବନି ଚାଲ ଉପରକୁ—

 

ଛନ୍ଦାର ପଢ଼ାଘର । ମୁଁ କହିଲି ଚାରୁ—ତୋ କଥା ମୁଁ ଯେତେ ଚେଷ୍ଟା କଲେ ବି ଭାଙ୍ଗି ପାରୁନି । ଜାଣେନି ୟା ପଛରେ କି ଅଜଣା ହାତ ଅଛି—

 

ଚନ୍ଦ୍ର ଭାଇ, ଦିନ ଥିଲା ମୁଁ ବି ଧାଇଁ ଯାଉଥିଲି ତୁମ ନିକଟକୁ ରାତି ଦିନ ନମାନି ! ଆମର ମିଳନ ମଧ୍ୟରେ ପ୍ରାଚୀର ସଦୃଶ ଠିଆ ହେଲା ମୋର ବିଭାଘର । ମୁଁ କଅଣ ପାଇ ପାରିଲି ଚନ୍ଦ୍ର ଭାଇ ? ତୁମର ସୁଖର ଦୁନିଆଁରେ ନିଆଁ ଜଳାଇ ମୁଁ କଣ ଶାନ୍ତି ପାଇଲି—ବରଂ ନିଜେ ଜଳି ପୋଡ଼ି ମରୁଛି ମୁଁ ଆଜି ବିବାହିତା ! ତୁମର ନାଁ ଶୁଣି ଦୁନିଆଁ ପାଗଳ ହୋଇଛି, ଛନ୍ଦାବା କେତେ ମାତ୍ର, କଣ ତୁମେ ସୁଖୀ ହୋଇ ପାରିଛ ତ—

 

ସୁଖୀ ସିନା ହୋଇଛି ଚାରୁ କିନ୍ତୁ ସରସତା ନାହିଁ । ସମୟେ ସମୟେ ଅତୀତର କଥା ଗୁଡ଼ାକ ମନେ ପଡ଼ି ମୋତେ ବ୍ୟତିବ୍ୟସ୍ତ କରି ପକାଉଛି—

 

ଛନ୍ଦା ଡାକିଲା, ଚନ୍ଦ୍ରବାବୁ ଆସ ଜଳଖିଆ ଖାଇବ ।

 

ମୋର ଖାଇବାର ଇଚ୍ଛା ନାହିଁ ।

 

—ମିଛ କଥା, ଖାଇଲେ ବି ଖାଇବାକୁ ହେବ ! କଣ ଭାଉଜ କହୁନ, ତୁମର ଗୁଣବନ୍ତ ଭାଇଙ୍କୁ—

 

—ଚାରୁ ଅଭିମାନିଆ ସ୍ୱରରେ କହିଲା ତୁଜାଣୁ, ତୋ ଚନ୍ଦ୍ର ଭାଇ ଜାଣେ । ଯାଅ ଚନ୍ଦ୍ର ଭାଇ, ଖାଇ ଦିଅ । ମୁଁ ଯାଉଛି ତେଣେ ମୋର କାମ ଅଛି ।

 

—ଚାରୁ ଚାଲିଗଲା, ଛନ୍ଦାକୁ ଏଥର ସୁବିଧା ମିଳିଲା—

 

—ଆପଣ କେତେ ବେଳେ ଖାଇଲେ ? କଣ ଗୋରା ଖବର ଠେଇଁ ।

 

 

—ହଁ, ଜାଣି ପଚାରୁଛି ଯେ—

 

—ଭଲ ହେଲା ଖାଇ ଦିଅ ।

 

—ଖୁଆଇ ଦିଅ !

 

—ମୋତେ ଆସେନି !

 

—ତେବେ ଯାଉଛି ।

 

—ମୋ ରାଣ ଏଇ ନିଅ କହି ଖୁଆଇ ଦେଲା ସେ !

 

—ହେଲା ତ,

 

—ହଁ,

 

—ମୁଁ ଯାଉଛି !

 

—ଯାଉନ ।

 

—ହଉ ଆଉ ଦିନେ, କାନ ମୋଡ଼ି....କେତେ ଡରାଉଛୁ ମୁଁ—ଆସିବନି ନାଁ, ଦେଖିବା ।

 

ମୁଁ ହସି ହସି ବିଦାୟ ନେଲି । ପୁଣି ବଞ୍ଚିଥିଲେ କାଲି—ଛନ୍ଦା—କିଛି କହିଲାନି ସେ.....

 

ମୁଁ ଧୀରେ ଧୀରେ ଅନେଇ ଯାଉଥାଏ ଧୂଳି ଧୂସର ନାଲି ରାସ୍ତା ଉପରେ ।

 

—ପନ୍ଦର—

 

ଦିନ ପରେ ଦିନ ଆଗେଇ ଚାଲିଥାଏ କାହାକୁ ଅପେକ୍ଷା ନକରି । ଏଇ କେଇ ଦିନ ମଧ୍ୟରେ କଣ ଯେ ଘଟି ଯାଇଛି, ମୋର ଭାବିବାକୁ ସମୟ ନ ଥାଏ ! ଦିନ ୫ଟା ଗଲେ, ମୋର ବିଭାଘର । ରାତି ପାହି ସକାଳ ହେଲେ ଦୁନିଆ ଜାଣିବ ! କିନ୍ତୁ ସେ କଣ କରୁଛି । ଛନ୍ଦା ପରି ନିଷ୍କଳଙ୍କ ପ୍ରତିମାଟିକୁ ଠକି ବାକୁ ଯାଉଛି—ମୁଣ୍ଡ ଘୂରାଇ ଗଲା—ଝପ୍‌ସା ଅନ୍ଧକାର ମଧ୍ୟରେ ଠିଆ ହେଲେ—

ଛନ୍ଦା—କଳା,

ଗୋଟିଏ ଡେମ୍ଫରେ ଦୁଇଟି କଳି ! ଉଭୟେ ତା ନିକଟରେ ଆତ୍ମା ପ୍ରକାଶ ପାଇଁ ବ୍ୟାକୁଳ । ସେ କାହାକୁ ଗ୍ରହଣ କରି କାହାକୁ ବିସର୍ଜନ ଦେବ ! ଅମାନିଆ ମନଟା ପୁଣି ଦୁଇ ଜଣଙ୍କୁ ତୁଳନା କରି ବସିଲା—

ସେ ବି ହେଲାନି—

କଳା ଝପ୍‌ସା ଅନ୍ଧକାର ମଧ୍ୟରେ ଉଭାଇ ଗଲା । ଏକା ରହିଗଲା ଛନ୍ଦା—ଆଖିରୁ ଝରି ପଡ଼ୁଛି ଲୋତକ—

—ମୋତେ ଛାଡ଼ିଯିବ ଚନ୍ଦ୍ରବାବୁ—ଏଇଥି ପାଇଁକି କଣ ତୁମକୁ ଭଲ ପାଇ ଥିଲି ! ତୁମେ ନିଷ୍ଠୁର—ହୃଦୟ ହୀନ ! ଥରେ ଭାବ—ମୁଁ କେଉଁ ଗୁଣରେ ତୁମର ଅଯୋଗ୍ୟା—ମୁଣ୍ଡ ଘୂରାଇ ଗଲା—

ନାଁ, ନାଁ ଛନ୍ଦା, ମୁଁ ତୋତେ ଛାଡ଼ି ପାରେନା, ବରଂ ମରଣ ବରଣ କରିବି କିନ୍ତୁ, ତୋତେ ଛାଡ଼ି ପାରିବି ନାହିଁ ! କିନ୍ତୁ ବାପା— !! ସେ କରାଇ ଦେବେନି—ସଦାନନ୍ଦ ବାବୁ ଚାକିରୀରୁ ତଡ଼ି ଦେବେ । ତାର ଜୀବନ ବେକାର ହୋଇ ଯିବ । ଜୀଇଁ ରହି ପରିତ୍ରାଣ ପାଇ ପାରିବି ନାହିଁ । ସମସ୍ତେ ତାକୁ ତିଳ ତିଳ କରି ଖାଇଯିବେ । ଚାରି ଆଡ଼େ ଅପବାଦ, ଦୁନିଆଁ ଛି, ଛି କରିବ । ତେବେ ଉପାୟ—ମୃତ୍ୟୁ !

 

ମରଣକୁ ଆଜି ଡରନାହିଁ କିନ୍ତୁ—ଡର ଏଇ ସମାଜ ! ସବୁଗଢ଼ୁଛି ଭାଙ୍ଗୁଛି । ସେଥିରେ କାହାର କହିବାର କିଛି ନାହିଁ ।

 

ଦିନ ଯାଇ ରାତି ଆସିଲା । ମନେ ପଡ଼ିଲା ଛନ୍ଦା କହିଥିଲା ଆସିବାକୁ । ସେ କେତେ ଖବର ଦିଅନ୍ତାଣି କିନ୍ତୁ କୁନି ଯାଉନି ବୋଲି ଖବର ଦେଇ ପାରୁନି—କିନ୍ତୁ ଉପାୟ ନାହିଁ, ସମୟ ଅଳ୍ପ—

 

ଚିଠି ଖଣ୍ଡେ ଲେଖିଲି—

 

ଆଦରର ଚାରୁ,

 

ମୋ ଚିଠିଟି ପାଇଁ ଆଶ୍ଚର୍ଯ୍ୟ ହେବୁନି । ଧୈର୍ଯ୍ୟ ଧରି ପଢ଼ିବୁ । ଜୀବନର ପ୍ରଥମ ପ୍ରହରରେ ତୋ ଦେଖା । ଅତି ଅଳ୍ପ ଦିନର ଖୁବ୍‌ ଆପଣାର କରି ନେଲୁତୁ । ମନରେ କେତେ କଳ୍ପନାର ତାଜମହଲ ତୋଳିଲେ । ଅଜଣା ଝଡ଼ରେ ସେ ଭାଙ୍ଗି ଚୁର ମାର ହୋଇଗଲା ।

 

ଏବେ ତୁ ହେଲୁ ପରା ସଂସାରୀ । ମୋ ଜୀବନର ଯୋଗ ସୂତ୍ର ଛିଡ଼ି ଗଲା । ପୁଣି ତୁ ଭଙ୍ଗା ହୃଦୟକୁ ଛନ୍ଦା ସହିତ ଯୋଡ଼ି ଦେଲୁ । ମୁଁ ବି ପାଗଳ ହୋଇ ମାତି ଗଲି । ମାତ୍ର ଆଜି—ଲେଖିବାକୁ ଡର ମାଡ଼ୁଛି ।

 

ସେଇଟା ମୋର ଦୋଷ ନୁହେଁ—ତୁ ସିନା ମୋତେ କହି ଦେଲୁ, ମାତ୍ର ବାପା ବୋଉକୁ ତ ରାଜି କରିଲୁନି । ତୁ ସମୟକୁ ଅପେକ୍ଷା କରିଥିଲୁ ମାତ୍ର ମୁଁ ବି ଜାଣିନି ବାପା, ଆମ ଦୁହିଁଙ୍କର ମିଳନର ପୂର୍ଣ୍ଣଛେଦ ପକାଇ ଦେବେ ବୋଲି ।

 

ମୋର ବିଭାଘର । ଛନ୍ଦା ସହିତ ନୁହେଁ, କଳା ସହିତ । ତା ପୁଣି ଗାଁରେ ହେବ । ଚିଠିଟା ପାଇଲା ବେଳକୁ ତୁ କୌଣସି ପ୍ରତିକାର କରି ପାରିବୁ ନାହିଁ । ସେତବେଳକୁ ମୁଁ ଥିବି ୩୦ ମାଇଲ ଦୂରରେ ।

 

କିନ୍ତୁ......

 

କଲମ ମୋର ଚାଲୁନାହିଁ ମୁଁ ଚାହେଁନା ବିଭା ହେବାକୁ ଜୀବନର ଏହି ଶେଷ ନାଟକରେ ପଟ ପତନ ହେବା ପୂର୍ବରୁ ଚାଲି ଯାଇଥିବି ବହୁତ ଦୂର ! ମୋର ଦୋଷ ଦେବାକୁ କେହିନଥିବେ । ଜାଣେନା, ଚନ୍ଦ୍ରର କଳା ବଢ଼ିବ କି, ଛାଡ଼ି ଛାଡ଼ି ଅମାବାସ୍ୟାରେ ପରିଣତ ହେବ ।

 

ତୋର ଶେଷ ଅନୁରୋଧ ରଖି ପାରିଲି ନାହିଁ । ଏବେ ବୁଝୁଛି ନ ବୁଝି ନକରି ଲୋକ ପର ମୁଣ୍ଡରେ ବୋଝ ଲଦିଦିଏ । ମୋତେ କ୍ଷମା କରିବୁ । ମୁଁ ଆଜି ହସି ହସି ବିଦାୟ ନେଉଛି । ମୋତେ ଖୋଜି ବାହାର କରିବାକୁ ଚେଷ୍ଟା କରିବୁନି । କାରଣ କେହି ସେଠାରୁ ଫେରି ଆସେନି—

 

ଆଉ ଲେଖି ପାରୁନି ପର ଚିଠିଟା ଛନ୍ଦାକୁ ଦେଇ ଦେବୁ ଭାବିପାରୁନି ଚିଠିଟା ପାଇବ କି ନାହିଁ ।

 

ଇତି

ହତଭାଗା ଚନ୍ଦ୍ର—

 

ମୂଳରୁ ଶେଷ ଯାଏ ପଢ଼ି ଗଲି ଠିକ୍‌ ଅଛି । ଚାରୁ ପଢ଼ି, ଭାବିବା ବେଳକୁ ମୋତେ ଆଉ ପାଇବନି । ସମସ୍ତେ ଦୁଃଖ କରିବେ । କିନ୍ତୁ କଳା—ସେ କଣ ବା ଦୋଷ କଲା ମୋର । ତା ପ୍ରତି ଦୟା ଦେଖାଇବା ଅବସ୍ଥାରେ ମୁଁ ନଥିଲି । ତାର ଭାଗ୍ୟ—ଆର ଘରୁ ବୋଉ ଡାକିଲେ—

 

—ଚନ୍ଦ୍ର !

 

—ବୋଉ !

 

ଖାଇବୁନିକି ?

 

—ନାଁ, ତୁ ଯା ପରେ ମୁଁ ଯାଇ ଖାଇବି—

 

ବୋଉ ଚାଲି ଗଲେ । ବାକିରହିଲା ଛନ୍ଦା—ତା ନିକଟକୁ ଲେଖିଲି—

 

ହୃଦୟର ଛନ୍ଦା—

 

ମୋର ଶେଷଥର ପାଇଁ ଆନ୍ତରିକ ଶୁଭେଚ୍ଛା ଗ୍ରହଣ କରିବ । ତୁମ ନିକଟକୁ କ’ଣ ଲେଖିଲେ ଯେ ମୁଁ କ୍ଷମା ପାଇବି ତା’ବି ଅନୁମାନ କରି ପାରୁ ନାହିଁ । କେଉଁ ଅଶୁଭ ମୁହୂର୍ତ୍ତରେ ତୁମର ମୋର ଦେଖା—ଯାହା ପାଇଁ ଆଜି ମୁଁ ଅନୁତପ୍ତ । କୁହ ଛନ୍ଦା—ଧୈର୍ଯ୍ୟ ଧରି ମୋତେ କ୍ଷମା ଦେବ ତ । ମୁଁ ଜାଣେ କେହି ମୋ କଥା ଶୁଣିବେନି କେବଳ ତୁମ ଛଡ଼ା—ପାରିବ ତ—

 

ତୁମେ ମୋତେ ଚାହିଁଥିଲ ନିଜର କରି, କିନ୍ତୁ ନିୟତିର ନିର୍ଦ୍ଦେଶ ଭିନ୍ନ—

 

ମୋର ବିଭାଘର—ତୁମ ସାଥିରେ ନୁହେଁ—ଦୁଃଖ କରୁଛ କି ? କିନ୍ତୁ ମୁଁ ଆଜି ସମାଜର ବାଡ଼ ବତା ଭାଙ୍ଗି, ଚାଲି ଯାଉଛି ବହୁଦୂର, ଯେଉଁଠାରେ କି, ସମାଜର ବନ୍ଧନ ନଥିବ, ନିନ୍ଦାର ବାତାବରଣ ନଥିବ । ତୁମେ ଚହିଁଥିବ ଦୁନିଆଁ ଚାହିଁ ଥିବ ଫେରି ଆସିବାକୁ—କିନ୍ତୁ ଛନ୍ଦା, ସେ ପୁରରୁ କେହି କେବେ ପୁଣି ଫେରି ଆସେନା ! ତୁମର ମୋର ମିଳନ ଏ ଜୀବନରେ ଅସମ୍ଭବ, ପୁଣି ଭଗବାନଙ୍କର ଇଚ୍ଛାଥିଲେ ଆର ଜନ୍ମରେ ମିଳିବା—

 

ମୁଁ ଆର ପୁରରେ ତୁମ ପାଇଁ ଫୁଲମାଳ ପାତି ଅପେକ୍ଷା କରିଥିବି । ମୋ ରାଣ ଦୁଃଖ ନକରି, ଭୁଲିଯିବ । ଚେଷ୍ଟା କରିବନି ଆସିବାକୁ—କାରଣ ଫଳ କିଛି ହେବନି—ମୁଣ୍ଡ ମୋର ଠିକ୍‌ ନାହିଁ, ରହିଲି, ଏଇମୋର ଶେଷ ଚିଠି ।

 

ଇତି

ତୁମର ଚନ୍ଦ୍ର—

 

ଦୁଇଟି ଯାକ ଚିଠି ଠିକ୍‌ କରି ରଖିଦେଲି । ରାତି ପାହିଲେ ଗାଁ କୁ ଯିବାକୁ ହେବ । ସେଥି ପାଇଁ ସମସ୍ତେ ବ୍ୟସ୍ତ । କେବଳ ମୁଁ ଏକା ବସି ଭାବୁଥିଲି ମୋର ଜୀବନର ଗତି—

 

ଅନ୍ଧକାରକୁ ନା ଆଲୋକକୁ—

 

—ଷୋଳ—

 

ଇନ୍ଦୁପୁର ନିତାନ୍ତ ଅଜଣା ଗାଁ । ଘର ଦ୍ୱାର ଆନନ୍ଦରେ ପୂରୀ ଉଠୁଥାଏ । ବନ୍ଧୁବାନ୍ଧବ ଗହଳିରେ, ସାଙ୍ଗ ସାଥି ମାନେ ନିଜକୁ ହଜାଇ ଦେଇ ଥାଆନ୍ତି । ସମସ୍ତଙ୍କର ଲକ୍ଷ୍ୟ ଏକ । ମୋର ବିଭାଘର—

 

ପକେଟ୍‌ରେ ହାତ ମାରିଲି, ଚିଠି ଗୁଡ଼ାକ ଏବେ ବି ଠିକ୍‌ ଅଛି । ମୁଣ୍ଡ ମୋର ଘୂରାଇ ଯାଉ ଥାଏ । ଦିନ ନୁହେଁ ବର୍ଷ ନୁହେଁ, ମାତ୍ର ଦୁଇ ଘଣ୍ଟାପରେ କୁଳ ପୁରୋହିତେ ଛନ୍ଦି ଦେବେ ଦୁଇଟା ଆତ୍ମାକୁ ସେଇ ପବିତ୍ର ବନ୍ଧନରେ । ବାପା ବୋଉ ନିଶ୍ଚିନ୍ତ ହେବେ । କଳା ତାର ଜୀବନ ସାର୍ଥକ ମଣିବ । କିନ୍ତୁ ସେ—

 

ଭାବିବାକୁ ସମୟ ନାହିଁ । ଯାହାହିଁ ଠିକ୍‌ କରିଛି ତା ହିଁ ହେବ ।

 

ରାମା ଭଣ୍ଡାରିଟାର ଲଣ୍ଡ ଭଣ୍ଡ କହିଲେ ନସରେ । ସତେ ଯେମିତି ଗୋଡ଼ ତାର ତଳେ ପଡ଼ୁନାହିଁ ।

 

କଣ ବାବୁ, ଏଥର ବେଦି ଉପରକୁ ଚାଲନ୍ତୁ, ପ୍ରଥମ ବରଣଟା ସରିଯାଉ—

 

ମୁଣ୍ଡରେ ତାର କଥା ଗୁଡ଼ାକ ଧରୁନଥାଏ । ରାମା କହୁଛି, ପୁଣି ସମସ୍ତଙ୍କର ପରଓ୍ୟାନା ନେଇ ଆସିଛି, ନଗଲେ ନଚଳେ !

 

ରାମ—

 

ବାବୁ !

 

ଟିକେ ରବିକୁ ଡାକି ଦେଲୁ !

 

—ଆଜ୍ଞା, କହି ଚାଲି ଗଲା, କିନ୍ତୁ ଭାବିବା ପାଇଁ ସମୟ ଦେଇ ଗଲାନିତ । ରବି ଆସିବ କଣ ପାଇଁ, ତାକୁ ଡାକିଲି—ହଁ ଶେଷ ସମୟରେ ଲୁଚାଇ ବା ଲାଭକଣ, ବରଂ ପାପର ବୋଝ ବଢ଼ିବ ପଛେ, କମିବ ନାହିଁ ।

 

—ମୋତେ ଡାକୁଥିଲୁ ଚନ୍ଦ୍ର !

 

—ହଁ, ବସ, କହୁଛି—

 

—କଣ କହୁନୁ !

 

—ମୋର ଗୋଟିଏ ଉପକାର କରି ପାରିବୁ ରବି ! ସାଥି ହିସାବରେ କୌଣସି ଦିନ ତୋତେ ମୋ ଠାରୁ ଭିନ୍ନ ଭାବିନି ଦିନ ଟିଏ ମାତ୍ର ଉପକାର ଆଶା କରିନି, କିନ୍ତୁ ଆଜି ମୁଁ ନିରୁପାୟ ରବି ତୁହି ମୋର ଜୀବନ ଆକାଶର ଧୃବତାରା ମୋର ଆଶା, ତୁ ପାରିବୁ ରବି—

 

—କଣ ତୋର ମୁଣ୍ଡ ଖରାପ ହୋଇଛି ନାଁ କଣ !

 

ନାଁ ଭାଇ ମୁଣ୍ଡ ମୋର ଏବେ ଠିକ୍‌ ଅଛି । କିନ୍ତୁ—ଛାଡ଼ ସେ କଥା ପ୍ରଦୀପର ଘରଟା ତୁ ଦେଖିଛୁ ନାଁ—

 

—କେଉଁ ପ୍ରଦୀପ, ଚୌଧୁରୀ ବଜାର ନାଁ,

 

—ହଁ, ମଟର ସାଇକେଲଟା ଆଣିଛୁଟି !

 

—ହଁ

 

—ଯିବା ଆସିବା ୬୦ ମାଇଲ, ଅନ୍ଦାଜ ୨ ଘଣ୍ଟା ଲାଗିବ । ଏଇ ନେ, ଏ ଚିଠି ଦୁଇଖଣ୍ଡ ତାଙ୍କ ଘରେ ଦେଇ ଦେବୁ । ହଁ ଚାରୁକୁତ ଜାଣୁ, ତାକୁହିଁ ଦେବୁ ।

 

—କିନ୍ତୁ, ବର୍ତ୍ତମାନ କଣ କାମ !

 

—ତା ମୁଁ ଜାଣେ, ତୁ ପାରିବୁକି ନାଁ କହ !

 

—ଆଚ୍ଛା ଦେ !

 

ରବି ଚାଲି ଗଲା । ସତେ ଯେମିତି ଛାତିଟା ମୋର କେତେ ହାଲୁକା ଲାଗିଲା ! ଛନ୍ଦା, ଚାରୁ ପାଇଁ ଏବେ ସେ ନିଶ୍ଚିନ୍ତ । ଟିକକ୍‌ ପରେ ରାମା ଆସିବ । ପୁଣି ବେଦିକି ଯିବା ପାଇଁ ଡକରା ଆସିବ । ଆସୁ, ଏଥର ତାର ଡର ନାହିଁ—ମନେ ପଡ଼ିଲା । ମୂଷା ମରା ପୁଡ଼ିଆ । ସେବି ଠିକ୍‌ ଅଛି ପକେଟରେ ! ରାମା ଡାକିଲା—ଆସନ୍ତୁ ବାବୁ ।

 

ଯିବାକୁ ହେବ । ବିବେକର ତାଡ଼ନାରେ ନୁହେଁ, ସମାଜର—କିନ୍ତୁ କାହିଁକି ? ବଞ୍ଚିରହିଲେ ସିନା ସେ ସମାଜ ଆଗରେ ମୁଣ୍ଡ ଟେକିପାରିବ ନାହିଁ । ଛାତିଟା ପୁଣି ଦୁର୍ବଳ ହୋଇ ଗଲା, ମନର ବିଦ୍ରୋହତା, କେଉଁ ଆଡ଼େ ଉଭେଇ ଗଲା ! ଯିବାକୁ ହିଁ ହେବ ।

 

—ଚାଲ ମୁଁ ଯାଉଛି । ପାଣି ଗିଲାସେ ଦେଇ ପାରିବୁ ରାମା ।

 

ଆଣି ଦେଉଛି ବାବୁ !

 

ରାମା ଚାଲି ଗଲା, ମୁଁ ଅପେକ୍ଷା କରିରହିଲି, ମରଣର ସେଇ ବରଫିଆ ହାତର ପରଶକୁ—

 

ଦୁନିଆର ବନ୍ଧନ ତୁଟାଇ ଦେଇ ତାକୁ ଯିବାକୁ ହେବ, ପୁଣି, ସେଇ ଧର୍ମ ବେଦିକା ଉପରେ, କିନ୍ତୁ, କଳା—ମୁଣ୍ଡଟା ନାନା ଆଡ଼ୁ କେତେ କଥା ଢୁକି ପୁଣି ଉଭେଇ ଯାଉଥାଏ । ବିଚାରା ନିରୀହ ପିଲାଟି ପ୍ରତି ଦୟା ଦେଖାଇ ବାକୁ, ଟିକିଏ ବି ମନେ ହେଉ ନ ଥାଏ । କିନ୍ତୁ—

 

ପାଣି, ଗିଲାସେ ବାବୁ—

 

—ହଁ, ଦେ !

 

ଠିଆ ହୋଇ ରହିଲୁ ଯେ !

 

—ନାଁ, ଯାଉଛି !

 

ରାମା ଚାଲିଗଲା । ମନର ଝଡ଼ ତୋଫାନର ଆଭାସ ଟିକିଏ ହେଲେ ସେବି ପାଇଲା ନାହିଁ । ପୁଡ଼ିଆଟା ଫିଟାଇଲି, ମୂଷାମାରିବା ପାଇଁ ଦିନେ ସେ ଆଣିଥିଲା । ସାମାନ୍ୟ ଦୁଇ ଅଣା ପଇସା ଦେଇ; ସେ ଚାହିଁଥିଲା ମୂଷାମାନଙ୍କୁ ଗୋଟି ଗୋଟି କରି ସେ—ପୁରକୁ ପଠାଇ ଦେବାକୁ । କିନ୍ତୁ ଆଜି ସେ......

 

ସମୟ ଗଡ଼ି ଯାଉଛି । କିଏ ଜାଣେ କଣ ଘଟିପାରେ । ଆଖି ବୁଜିଲି ଏଇଥର ଶେଷ—

 

କାହାର ହାତର ଗୁରୁଚାପରେ ମୋ ହାତର ପୁଡ଼ିଆଟି ଛିଞ୍ଚାଡ଼ି ହୋଇ ପଡ଼ିଲା ।

 

—ଚନ୍ଦ୍ର, ଏଇ କଣ ମନୁଷ୍ୟର କର୍ତ୍ତବ୍ୟ । ଏଇଥି ପାଇଁ କଣ, ମନୁଷ୍ୟ ଜନ୍ମଗ୍ରହଣ କରି ସଂସାରକୁ ଆସିଛି । ତୁ ଏହି ସାମାନ୍ୟ ଧକ୍‌କାରେ ତୁ ହାରି ଗଲୁ ଚନ୍ଦ୍ର ।

 

ତାର ଉତ୍ତର ଦେବାର ଅବସ୍ଥାରେ ମୁଁ ନଥିଲି । ଚୁପ୍‌ ହୋଇ ଖାଲି ବସି ରହିଲି ।

 

—ଚନ୍ଦ୍ର !

 

—ଉଁ !

 

—ତୁ ଛନ୍ଦାକୁ ଚାହୁଁନାଁ !

 

—ଦୁଃଖ କରନା ଚନ୍ଦ୍ର ମୁଁ teligram କରି ଦେଇଛି । ସେମାନେ ଆସୁଥିବେ ।

 

—କିନ୍ତୁ କଳା !

 

—ତା ପାଇଁ ତୁ ବ୍ୟସ୍ତ କାହିଁକି ? ମୁଁ ଯେତେବେଳେ ଅଛି, ତାର କୌଣସି ଚିନ୍ତା ନାହିଁ । ତାର ବ୍ୟବସ୍ଥା କରିଦେଇ ଆସିଛି, ମନଟା ରବିପ୍ରତି ସହାନୁଭୂତିରେ ନଇଁପଡ଼ିଲା । ମୁଁ ଆନନ୍ଦରେ ଆତ୍ମହରା ହୋଇ ତାର ପାଦ ତଳେ ଲୋଟି ପଡ଼ିଲି ।—ରବି ତୋର ଉପକାର ଏ ଜୀବନରେ ସୁଝି ପାରିବି ନାହିଁ—

 

ତା ପରେ—ତାପରେ ମୁଁ କିଛି ଜାଣେନି, ଧିରେ ଧିରେ ମୋର ସଜ୍ଞା ଲୋପ ହୋଇ ଯାଉଥିଲା । ଅନ୍ତର ଆତ୍ମା କିଛି ସମୟ ବିଶ୍ରାମ ନେବା ପାଇଁ, ଲୁଚିଯାଉ ଥିଲା କାହିଁ, କେତେ ଦୂର ।

 

—ସତର—

 

ରାତି ଦଶଟା ଉପରେ । ଘରେ ସମସ୍ତେ ଖିଆ ପିଆ ବଢାଇ ଦେଇ ପରିଶାନ୍ତ ଦେହଟାକୁ ନିଦ୍ରାଦେବୀଙ୍କର କୋଳରେ ହଜାଇ ଦେବାକୁ ବ୍ୟସ୍ତ । ଏକୁଟିଆ ବସି ବସି ମନଟା ଭଲ ଲାଗୁନଥାଏ । ପଛ କଥା ଗୁଡ଼ାକ ଭାବି ଭାବି ମନଟା ଭାରି ଭାରି ଲାଗୁଥାଏ !

 

—ରାତି ବହୁତ ହେଲାଣି ପରା !

 

—କିଏ ଚାରୁ !

 

ହଁ !

 

—ତା ହେଲେ ଟିକେ ବସ ।

 

କଣ କହି ବସି ପଡ଼ିଲା ସେ ! ମୁଁ ଆରମ୍ଭ କଲି—

 

—ଚାରୁ । ତୁମ୍ଭମାନଙ୍କୁ ଠକି ମୁଁ ବିଦାୟ ନେଇ ପାରିଲି ନାହିଁ, ରବି କୁଆଡ଼େ ଗଲା । ବିଚରା ମୋପାଇଁ କଣ ନ କଲା ସେ ।

 

—ଚନ୍ଦ୍ର ଭାଇ, ଛାଡ଼ ସେ ପଛକଥା । ଯାଅ ଛନ୍ଦା ତେଣେ ଅପେକ୍ଷା କରି ବସିଥିବ ଯେ–ଏହି ଦେଖ–ହାତ ବଢାଇ ଦେଖାଇ ଦେଲା ସେ–

 

—ରବି, ବାତାୟନର ଦ୍ୱାର ଦେଶରେ ଠିଆ ହୋଇ ଚାହିଁ ରହିଛି ଚନ୍ଦ୍ରାନନକୁ । ପଛରେ କଳା । ଝଲକାଏ ଚନ୍ଦ୍ରକିରଣ ବିଛାଡ଼ି ହୋଇ ପଡ଼ୁଛି ସେମାନଙ୍କର ମୁହଁ ଉପରେ । ରବି ପରି ସ୍ୱାମୀ ପାଇ କଳା ଆଜି ଶାନ୍ତି ପାଇଛି, ଜୀବନ ତାର ରଙ୍ଗୀନ ହୋଇ ଉଠିଛି । ରବି ଡାକ୍ତର—କେତେ ଲୋକଙ୍କୁ ମରଣର ବରଫିଆ ହାତର କବଳରୁ ଟାଣି ଆଣିଛି । ନିରାଶରେ ଆଶାର ସଞ୍ଚାର କରିଛି-। କଳା ନିଷ୍କଳଙ୍କ ପ୍ରତିମାଟି, ଏହି ଦେବୋପମ ପୁରୁଷଟିର ପରଶରେ ସରସ ହୋଇ ଉଠିଛି-। ଥପ୍‌ କରି ଆଲୋକଟି ଲିଭିଗଲା । ବୋଧେ ସେମାନେ ଅନ୍ଧକାର ମଧ୍ୟରେ ଲୁଚିଗଲେ । ଚାରୁ ଚାହିଁ ରହିଛି ।

 

—ରାତି ବେଶି ହେଲାଣି ପରା !

 

ହଁ ଯାଉଛି କହି ଆଗେଇଲି । ଯେଉଁ ଠାରୁ ଛନ୍ଦା ମୋର ପ୍ରତୀକ୍ଷାରେ ଚାହିଁ ରହିଥିଲା ।

 

—ମୋ କଥା ଭୁଲିବ ନାହିଁ ଚନ୍ଦ୍ର ଭାଇ !

 

ଚାରୁ । ଜୀବନ ଗଲେବି ହେବନି !

 

ଜଳନ୍ତା ଦୀପଟା ଲିଭି ଲିଭି ଆସିଲାଣି । ଛନ୍ଦା ଶୋଇ ରହିଛି ବିଛଣା ଉପରେ । ବୋଧେ ଅପେକ୍ଷା କରି କରି ଶୋଇ ପଡ଼ିଲାଣି । ବହୁତ ଦିନର ଆଶା ମୋର ଆଜି ସାର୍ଥକ ହୋଇଛି । ବାପା ବୋଉଙ୍କର ମନ ସନ୍ତୁଷ୍ଟ ହୋଇଛି । କଳା ଦିନରେ ଛନ୍ଦା ଆସିଛି ଆମ ଘରକୁ । ଚାରୁ ଖୁସି ହୋଇ ପାରିଛି । ଅପୂରା ଆତ୍ମା ଆଜି ତାର ଚିତ୍କାର କରୁଥିବ, ତୁମକୁ ହରାଇ ମୁଁ ଆଜି ପୁଣି ତୁମକୁ ଫେରି ପାଇଛି ସ୍ୱାମୀ ରୂପରେ ନୁହେଁ, ଜ୍ୱାଇଁ ରୂପରେ । ଛନ୍ଦା ଶୋଇଛନ୍ତି ! ଉଠାଇବାକୁ ମନ ହେଉ ନଥାଏ ।

 

—ନିଦ ତାର ଭାଙ୍ଗିଗଲା ।

 

—ତୁମେ ଚୁପ୍‌ ହୋଇ ବସିଛ ।

 

—ହଁ !

 

—କଣ କିଛି ପୁଣି କରିବାକୁ ବସୁଛ କି ?

 

—ହସ ମାଡ଼ିଲା, କହିଲି ନାଁ—

 

ତୁମକୁ କେଉଁ ବିଶ୍ୱାସ !

 

ପାଖକୁ ଟାଣି ନେଲି । ଛନ୍ଦା ଠିକ୍‌ ଲତାଟି ପରି ଲୋଟି ପଡ଼ିଲା ମୋ ଉପରେ ! କୌଣସି ପ୍ରତିବାଦ କଲାନି । ସେ !

 

—ଛନ୍ଦା

 

—ଉଁ !

 

—ମୁଁ ତୁମକୁ ଠକି ଆଉ ଯାଇପାରିଲି ନାହିଁ । ପୁଣି ଥରେ ତୁମ ପାଇଁ ମୋତେ ବଞ୍ଚି ରହିବାକୁ ହେଲା—ମୁଁ ଚାଲି ଯିବାକୁ ଚାହୁଁଥିଲେ ମଧ୍ୟ ପାଦ ମୋର ଅଟକି ଗଲା, ତୁମେ ମୋର ପାଦପରେ ଛନ୍ଦି ହୋଇଗଲ ।

—ମୋତେ କ’ଣ ପାଇ ସୁଖି ହୋଇ ପାରିଛ ?

—ହଁ ଛନ୍ଦା, ତୁମେ ସେ କଥା କହୁନ ।

—ନା, ତୁମେ !

—ମୋ ରାଣ

—ହଁ !

ମୋର କୋଳକୁ ଶୋଇ ରହିଲା ସେ । ମୁଁ ତା’ର ଚୂର୍ଣ୍ଣ କୁନ୍ତଳରେ ସଜାଇ ଦେଉ ଦେଉ କହିଲି, ଛନ୍ଦା; କଳା କ’ଣ କହୁଥିଲା କି ?

—ହଁ

—କଣ କହୁଥିଲା ?

—ମୁଁ କହିବି ନାହିଁ ।

—ମୋ ରାଣ !

—ପରେ କହିବି, ଶୋଇପଡ଼ ।

ନାଁ !

ଖିଡ଼ିକି ଟା ଖୋଲିଲି । ଚାନ୍ଦ ମଥା ଛୁଇଁ ନଥାଏ । ବିରହିଣୀ ଚକୋରୀଟା, ନଈକୂଳ ବରଗଛରେ ବିଳାପ କରୁଥାଏ । ନିର୍ଜନ ରାତ୍ରି, ବାଦୁଡ଼ିଗୁଡ଼ିକ ଉଡ଼ିଗଲେ, ଖସ୍‌ ଖସ୍‌ ଶବ୍ଦରେ ଦିଗ କମ୍ପାଇ ଦେଉଛି ।

—ଛନ୍ଦା,

—ଉଁ,

—ଶୋଇ ଗଲକି ?

ନାଁ ।

—କ’ଣ କହିଲ ନାହିଁ ?

—କ’ଣ ?

—ସେଇ କଳା କଥା ମଁ—

—କାଇଁ କି ? କ’ଣ ବିଭା ହେବକି ?

—ଶେଷରେ ଏଇଆ ବୁଝିଲ । ହେଉ—

—ରାଗିଲ କି—ମୋ—ରାଣ ! ଶୁଣ କହୁଛି, Telegram ଯେତେବେଳେ ପହଁଞ୍ଚିଲା, ଚନ୍ଦ୍ରକୁ ଦେଖିବାକୁ ଚାହଁ ତ, ଶୀଘ୍ର ଆସ ! ପାଗଳଙ୍କ ପରି ଧାଇଁଲୁ ଆମେ । ମନଟା ମୋର ବାଟରେ ପାପ ଛୁଉଁ ଥାଏ—ସତେ କଣ ମୋର ତୁମ ସାଥିରେ ଦେଖା ହେବ ! ଭଗବାନ ମୋର ଡାକ ଶୁଣିଲେ—

 

—ବନ୍ଦ ହୋଇ ଗଲ ଯେ—

 

—ହଁ, ରବିବାବୁ, ଆମକୁ ଅପେକ୍ଷା କରି ରହିଥିଲେ ! ଚିଠିଟି ପାଇଲି, ମୋର ମନ ସେତେବେଳେ କ’ଣ ହେଲା ତୁମେ ବୁଝି ପାରିବ ନାହିଁ । କିନ୍ତୁ ରବିବାବୁ କହିଲେ ଭୟ କରନାଁ, ସବୁ ଠିକ୍‌ଅଛି । କିନ୍ତୁ ମୋତେ କ୍ଷମା ଦେବ, ମୁଁ ତୁମର ଚିଠି ପଢ଼ି ଦେଇଛି—

 

—ତା ପରେ !

 

—ତୁମ ସହିତ ମୋର ବିବାଘର ହେଲା । ବିବାହ ମଣ୍ଡପ ଉପରେ ତୁମର ମୋର ହାତ ଜୀବନ ସାରା ପାଇଁ ଛନ୍ଦି ଦିଆ ଗଲା ! ମୁଁ ସ୍ୱସ୍ଥିର ନିଶ୍ୱାସ ମାଇଲି । ରବି ବାବୁଙ୍କୁ ଅନ୍ତର ସହିତ ସମ୍ବର୍ଦ୍ଧନା ଜଣାଇଲି !

 

—ତା ପରେ ।

 

—ତା ପରେ, କଳା ସହିତ ଦେଖା । ସେତେବେଳେ ମନ ତା’ର, ପ୍ରଫୁଲ୍ଲ ଥାଏ ! ମୋତେ ସେ ଡାକି ନେଲେ,

 

—ଲାଜ କରୁଛ ଛନ୍ଦା !

 

—ନାଁ

 

ତୁମେ ଭାବୁଥିବ ମୁଁ ହିଂସା କରୁଛି ।

 

ନାଁ ତ !

 

—ମୋର ଗୋଟାଏ କଥା ତାଙ୍କୁ କହିବ, ଖରାପ ଭାବିନି ତ ।

 

—ନାଁ !

 

—ସେ କହିଲା, ମୋର ଚନ୍ଦ୍ର ବାବୁଙ୍କ ସହିତ ପ୍ରଥମ ଦେଖା ଆମ ଘରେ । ସେଇ ଦେଖାରେ ମୁଁ ଜାଣିଥିଲି, ମୁଁ ଦିନେ ନାଁ ଦିନେ ତାଙ୍କର ହେବି ! ମୁଁ ବି ସେଇ ଦେଖାରେ, ଏକବାରେ ତାଙ୍କର ହୋଇ ଯାଇଥିଲି । ସେ—ମୋତେ ଭଲ ପାଉଥିଲେ କି ନାଁ ମୁଁ ଜାଣେ ନାଁ—ତା ଏବେ ଆଜି ଜାଣୁଛି । କିନ୍ତୁ—

 

—କୁହ !

 

ସେ ପୁରୁଷ ଛନ୍ଦା ! ସିଧା ମନାକରିପାରି ଥାଆନ୍ତେ । କିନ୍ତୁ ଏ କଣ କରୁଥିଲେ ସେ । ମୋର ଯଦି ତାଙ୍କ ସହିତ ହାତଗଣ୍ଠି ପଡ଼ି ଯାଇ ଥାଆନ୍ତା, ତେବେ ମୋର ଅବସ୍ଥା କଣ ହୋଇ ନ ଥାଆନ୍ତା । ଘରେ ଏ କଥା କେହି ଭାବି ନାହାଁନ୍ତି । ତାଙ୍କୁ ମୋର ଶୁଭେଚ୍ଛା ଜଣାଇବ, କହିବ, ଭବିଷ୍ୟତରେ ଯେପରି ଏମିତି କେବେ ସେ ନ କରନ୍ତି ।

 

—ତା ପରେ !

 

—ତା ପରେ, ରବିବାବୁ ପଶି ଆସିଲେ ।

 

—କଣ, ସଉତୁଣୀକୁ ଗାଳି ଦେଉଛକି ଛନ୍ଦା, ସରମରେ ଭାଙ୍ଗିପଡ଼ିଲି ମୁଁ—

 

—ମୁଣ୍ଡ ହଲାଇଲି ନାଁ !

 

—ଶୁଣ, ଚନ୍ଦ୍ରକୁ କହିବ, ତାର ଦେହରୁ କଳା, ହ୍ରାସ ପାଇ ସେ ଆଜି ପୂର୍ଣ୍ଣିମାରେ ଉପସ୍ଥିତ । ମୋର ଶୁଭେଚ୍ଛା, ସେ ଯେମିତି ତୁମକୁ ପାଇଁ ଜୀବନକୁ ସୁଖୀ ମନେ କରେ । ସେଇ ସରଳ ଦେବତାଙ୍କ ନିକଟରେ ମୋର ମୁଣ୍ଡ ନଇଁ ଗଲା । ମୁଁ ଫେରି ଆସିଲି—ପଛରୁ ଶୁଣାଯାଉଥିଲା—ଖିଲି ଖିଲିଆ ହସ—

 

—ସତେ ଛନ୍ଦା !

 

—ହଁ—ଉଁ !

 

—ଶୋଇ ପଡ଼ !

 

—ନାଁ

 

—ଅବାଧ୍ୟ ହେବ !

 

—ଆଜିକ ପାଇଁ !

 

—ତେବେ ମୁଁ ଯାଉଛି !

 

—ଯାଉନ, ସେ ଡର କଣ ମୋର ଅଛି ।

 

—ହସ ମାଡ଼ିଲା ଥପ୍‌ କରି ଆଲୋକଟା ଲିଭାଇ ଦେଲି, ଦୁଇଟି ମିଳନ ଆତ୍ମା ହଜି ଗଲା କେଉଁ ଅଜଣା ରାଇଜରେ ଆର ପାରିରେ ।

Image